କଳାହାଣ୍ଡିରେ ପୁଲିସ୍ ମହାନିର୍ଦେଶକ : ସୀମାନ୍ତରେ ମାଓ ଦମନ ପାଇଁ ବ୍ଲୁ-ପ୍ରିଣ୍ଟ୍

ରାୟଗଡ଼ା : ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ମାତିଛନ୍ତି ମାଓବାଦୀ। ୩ ଜିଲ୍ଲାର ମାଓ ଉପଦ୍ରୁତ ଅଞ୍ଚଳରେ ସଂଗଠନ ବୃଦ୍ଧି ସହ ଅଘଟଣ ବୃଦ୍ଧି ପାଉଥିବାରୁ ମାଓ ଦମନ ନେଇ ଚିନ୍ତାରେ ପଡ଼ିଛି ପୁଲିସ୍। ଆଜି ମାଓ ଦମନ ନେଇ କଳାହାଣ୍ଡି‌ରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ପହଞ୍ଚି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ମାଓବାଦୀଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଦୀର୍ଘ ଦିନ ଧରି ସୁପ୍ତ ଅବସ୍ଥାରେ ଥିବା ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍, ରାୟଗଡ଼ା ଏରିଆ କମିଟି, ନିୟମଗିରି ଏରିଆ କମିଟି ପୁଣି ଥରେ ସଂଗଠନକୁ ସୁଦୃଢ଼ କରିଛନ୍ତି। ୩ଟି ଦଳରେ ୧୫ରୁ ଊର୍ଦ୍ଧ୍ବ ମାଓବାଦୀ କଳାହାଣ୍ଡି-କନ୍ଧମାଳ-ରାୟଗଡ଼ା ସୀମାନ୍ତରେ ଘୂରି ବୁଲୁଛନ୍ତି। ନିୟମଗିରି ସମେତ ଅପହଞ୍ଚ ଇଲାକାରେ ମାଓବାଦୀ ମେଳି ବାନ୍ଧୁଥିବା, ଯାତାୟାତ କରୁଥିବା ନେଇ ପୁଲିସ୍ ପାଖରେ ସୂଚନା ରହିଛି। କିନ୍ତୁ ବହୁ ସମୟରେ ପୁଲିସକୁ ସୂଚନା ମିଳୁଥିଲେ ସୁଦ୍ଧା ଅପରେସନ୍ ପୂର୍ବରୁ ମାଓବାଦୀ ଖସି ଯାଉଛନ୍ତି। ଜାନୁଆରି ୨୭ ତାରିଖରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଧାମୁଣିପଙ୍ଗା ଜଙ୍ଗଲରେ ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରୁ ବର୍ତିବା ପାଇଁ ମାଓବାଦୀ ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ୧୦ରୁ ୧୫ ମାଓବାଦୀ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଦେଇ ଖସି ଯାଇଥିଲେ। ଗୁଇନ୍ଦା ସୂଚନା ଅନୁଯାୟୀ, ସିଆରପିଏଫ୍ ଯବାନ କମ୍ବିଂ ଅପରେସନ୍ ଜାରି ରଖିଥିବା ବେଳେ ଫେବ୍ରୁଆରି ୧ ତାରିଖରେ ମାଓ ପ୍ରବଣ ଚନ୍ଦ୍ରପୁର ବ୍ଲକର ଅମ୍ବିମହା ଜଙ୍ଗଲରୁ ବ୍ୟାପକ ବିସ୍ଫୋରକ ଜବତ ହୋଇଥିଲା। ସିଆରପିଏଫ୍ ଯବାନଙ୍କ ନିଶାଣରୁ ମାଓବାଦୀ ଅଳ୍ପକେ ଖସି ଯାଇଥିବା ବେଳେ ୯ଟି ଦେଶୀ ବନ୍ଧୁକ, ୧୫ଟି ଡିଟୋନେଟର୍, ୧୧ଟି ଜିଲୋଟିନ୍, ୮ ରାଉଣ୍ଡ ଅଫୁଟା ଗୁଳି, ୧ କେଜି ୟୁରିଆ, ୨ଟି ଟିଫିନ୍ ବକ୍ସ, ଗୋଟିଏ ବଣ୍ଡଲ ତାର ଜବତ ହୋଇଥିଲା। ସେହିପରି ଜାନୁଆରି ୨୧ ତାରିଖ ରାତିରେ ନିୟମଗିରି ପାହାଡ଼ରେ ଚାଲିଥିବା ରାସ୍ତା କାମକୁ ବିରୋଧ କରି ମାଓବାଦୀ ଗୁମ୍ମାରେ ୩ଟି ଗାଡ଼ି ପୋଡ଼ି ଦେଇଥିଲେ। ଏହା ପୂର୍ବରୁ ମାଓବାଦୀ ନିୟମଗିରିକୁ ହେଉଥିବା ରାସ୍ତା କାମକୁ ବିରୋଧ କରି ୧୦ଟି ଗାଡ଼ି ପୋଡ଼ିଥିଲେ। ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନକୁ ପୁଣି ଥରେ ସଶକ୍ତ କରିବା ପାଇଁ ମାଓ ସଂଗଠନ ଛତିଶଗଡ଼ କ୍ୟାଡର ରାଇନୁକୁ ଏବେ ଦାୟିତ୍ବ ଦେଇଛି। ଜିଲ୍ଲାରେ ମାଓ ସଂଗଠନକୁ ନୂଆ ରୂପ ଦେବାକୁ ରାଇନୁ ପୂର୍ବ ମାଓନେତା ବଣ୍ଟି-ନିଖିଲର ଯୋଗାଯୋଗରେ ରହିଛି। ପୁଲିସ୍ ନିଶାଣରୁ ବର୍ତିବା ପାଇଁ ରାଇନୁ ସଦସ୍ୟଙ୍କୁ ବିଭିନ୍ନ ଗ୍ରୁପରେ ବିଭକ୍ତ କରି ବିଭିନ୍ନ ଅଞ୍ଚଳରେ ନିୟୋଜିତ କରିଛି।

ସମ୍ବନ୍ଧିତ ଖବର