କଟକ : କଟକ ଜିଆର୍ପି ପୁଲିସକୁ ବାଦ୍ଦେଲେ ରାଜ୍ୟର ଏମିତି କୌଣସି ପୁଲିସ ଜିଲ୍ଲା ନାହିଁ, ଯେଉଁଠି ସାଇବର୍ ଅପରାଧ କରୋନା ସମୟରେ ଘଟିନାହିଁ। କରୋନା ଭଳି ରାଜ୍ୟବାସୀଙ୍କୁ କିଲିବିଲି କରୁଥିବା ସାଇବର୍ ଠକଙ୍କ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ଦୁର୍ବଳ ଦିଗ ଏବେ ନିଜେ ଓଡ଼ିଶା ପୁଲିସ ଧରାପକାଇଛି। କ୍ରାଇମ୍ବ୍ରାଞ୍ଚ କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ରୁଜୁ କରିଥିବା ମୋଟ ୧୮୨ ମାମଲାରେ ମାତ୍ର ୨୦ ଜଣ ଅପରାଧୀ ଗିରଫ ହୋଇଛନ୍ତି। ଚାର୍ଜସିଟ୍ ମାତ୍ର ୩ଟି ମାମଲାରେ ହୋଇଛି। ସାରାରାଜ୍ୟର ପୁଲିସ ଅଧିକାରୀଙ୍କୁ ସାଇବର୍ ଅପରାଧ ଦମନ ପାଇଁ ତାଲିମ ଦେଉଥିବା କ୍ରାଇମ୍ବ୍ରାଞ୍ଚର ଦୁର୍ବଳ ତଦନ୍ତ ପ୍ରକ୍ରିୟା ଓଡ଼ିଶା ପୁଲିସ ସାମ୍ନାକୁ ଆଣିବା ପରେ ଠକାମିର ଶିକାର କ୍ଷତିଗ୍ରସ୍ତଙ୍କ ନ୍ୟାୟ ପାଇବାର ଆଶା ଏକପ୍ରକାର ଅନ୍ଧାରକୁ ଠେଲି ହୋଇଯାଉଛି।
ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ୨ ହଜାର ୩୭ଟି ସାଇବର୍ ଅପରାଧ ମାମଲା ରୁଜୁହୋଇଛି। ଏଥିରୁ ଚାର୍ଜସିଟ୍ ମାତ୍ର ୩୦୭ଟି ମାମଲାରେ ହୋଇଥିବାବେଳେ ଗିରଫ ସଂଖ୍ୟା ମାତ୍ର ୪୨୫। ୨୦୨୦ମସିହାରେ ୧୯ଶହ ୩୧ ମାମଲା ରୁଜୁ ହୋଇଥିବାବେଳେ ଚାର୍ଜସିଟ୍ ମାତ୍ର ୨୫୭ ଏବଂ ଗିରଫ ସଂଖ୍ୟା ୩୬୬। ଜିଲ୍ଲା ପୁଲିସ ତୁଳନାରେ କ୍ରାଇମ୍ବ୍ରାଞ୍ଚର ସ୍ଥିତି ସବୁଠାରୁ ଅଧିକ ଦୁର୍ବଳ ହୋଇପଡ଼ିଛି। ସାଇବର୍ ଅପରାଧର ତଦନ୍ତ ପାଇଁ ଯାନ୍ତ୍ରିକ ଜ୍ଞାନ କୌଶଳରେ ଦକ୍ଷ ଅଫିସରଙ୍କୁ କ୍ରାଇମବ୍ରାଞ୍ଚ ନିୟୋଜିତ କରିଛି। କିନ୍ତୁ, କରୋନା ଦୁଇ ବର୍ଷ ତଦନ୍ତ କ୍ଷେତ୍ରରେ ଅଧିକ ବିଫଳତା କ୍ରାଇମ୍ବ୍ରାଞ୍ଚକୁ ହିଁ ମିଳିଛି। କ୍ରାଇମ୍ବ୍ରାଞ୍ଚ ୨୦୨୧ମସିହାରେ ୭୭ଟି ମାମଲାରୁ ମାତ୍ର ଗୋଟିଏରେ ଚାର୍ଜସିଟ୍ କରିଥିବା ବେଳେ ୧୨ ଜଣ ଅପରାଧୀଙ୍କୁ ଗିରଫ କରିଛି। ୨୦୨୦ରେ ୧୦୫ ମାମଲାରୁ ମାତ୍ର ୨ଟି ଚାର୍ଜସିଟ ହୋଇଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି। ସର୍ବାଧିକ ସାଇବର୍ ମାମଲା ହୋଇଥିବା କରୋନା ସମୟରେ ଅବଶିଷ୍ଟ ମାମଲାରେ ସମ୍ପୃକ୍ତ ଅପରାଧୀ କ୍ରାଇମବ୍ରାଞ୍ଚ ପାଇଁ ଅପହଞ୍ଚ ହୋଇପଡ଼ିଛନ୍ତି।
୧୮୨ମାମଲାରେ ୨୦ ଗିରଫ, ୩ ଚାର୍ଜସିଟ୍
ଅପରାଧରେ ଭୁବନେଶ୍ବର ୧, କଟକ ୨ ନମ୍ବର୍
କିଲିବିଲି କଲେଣି ସାଇବର୍ ଠକ
ରାଜ୍ୟ ବାହାରେ ମିଳୁନି ସହଯୋଗ
ଭଦ୍ରକ ଜିଲ୍ଲା କଥା ଯଦି କୁହାଯାଏ, ତେବେ ୨୦୨୧ରେ ୬୯ଟି ମାମଲା ରୁଜୁ ହୋଇଥିବା ବେଳେ ୩୧ଟି ଚାର୍ଜସିଟ୍ ଓ ୩୮ ଜଣ ଗିରଫ ହୋଇଛନ୍ତି। ୨୦୨୦ରେ ଭଦ୍ରକରେ ୮୫ ମାମଲାରୁ ୨୫ ଚାର୍ଜସିଟ୍ ଓ ୪୨ ଜଣ ଗିରଫ ହୋଇଛନ୍ତି। ଭଦ୍ରକ ସମେତ କଟକ ଗ୍ରାମାଞ୍ଚଳ, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲା ଗିରଫଦାରୀ ଓ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ତୁଳନାରେ ଭଲ ସ୍ଥିତିରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ସର୍ବାଧିକ ସାଇବର୍ ଅପରାଧପ୍ରବଣ ଜିଲ୍ଲା ତାଲିକାରେ ରହିଛି କଟକ, ଭୁବନେଶ୍ବର କମିସନରେଟ୍ ସମେତ ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା।
ଅନ୍ୟପକ୍ଷରେ, ସାଇବର୍ ଅପରାଧ ମାମଲାରେ ଗିରଫଦାରୀ ଓ ଚାର୍ଜସିଟ୍ ହାର ରାଜ୍ୟରେ ତଳ ସ୍ତରରେ ରହିବାକୁ ନେଇ ଓଡ଼ିଶା ପୁଲିସର ସାଇବର୍ ବିଶେଷଜ୍ଞ ଭିନ୍ନ ଯୁକ୍ତି ରଖୁଛନ୍ତି। ଅନେକ ମାମଲାରେ ଫଟୋ କିମ୍ବା ଭିଡିଓ ଭାଇରାଲ୍ ହେବାପରେ ଅଭିଯୁକ୍ତ ଇଣ୍ଟର୍ନେଟ୍ରୁ ଡିଲିଟ୍ କରିଦେଉଛି। ଅପଲୋଡ୍ ହୋଇଥିବା ଫଟୋ ଓ ଭିଡିଓର ୟୁଆର୍ଏଲ୍(ୟୁନିଫର୍ମ ରିସୋର୍ସ ଲୋକେଟର୍) ମିଳୁ ନଥିବାରୁ ଅଭିଯୁକ୍ତ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ପାରୁନାହିଁ। ଯେଉଁ କମ୍ପ୍ୟୁଟର୍ ବା ମୋବାଇଲ୍ରୁ ସାଇବର୍ ଅପରାଧ ହେଉଛି, ଅନେକ କ୍ଷେତ୍ରରେ ଅଭିଯୋଗକାରୀ ଘଟଣା ଘଟିବାର ଏକବର୍ଷ ପରେ ଏତଲା ଦେଉଥିବାରୁ ଆଇପି ଆଡ୍ରେସ୍ ଇଣ୍ଟର୍ନେଟ୍ ସର୍ଭିସ୍ ପ୍ରୋଭାଇଡର୍ଙ୍କ ନିକଟରୁ ଆଦୌ ମିଳୁନାହିଁ। ଯଦ୍ବାର ଅଭିଯୁକ୍ତ ନିକଟରେ ପହଞ୍ଚିବା ସମ୍ଭବପର ହୋଇପାରୁ ନାହିଁ। ଏଥିସହିତ, ସାଇବର୍ ଅପରାଧୀ ନେଟଵାର୍କ ରାଜ୍ୟ ବାହାରକୁ ଲମ୍ବିଥିବାବେଳେ ସେଠାକାର ପୁଲିସର ସହଯୋଗ ମିଳିପାରୁ ନଥିବା ଜଣାପଡ଼ିିଛି।