ଭୁବନେଶ୍ୱର: ପୁଲିସ ପୋଷାକ ପିନ୍ଧି ସର୍ବସାଧାରଣ ସ୍ଥାନରେ କାମ କରୁଥିବା କର୍ମଚାରୀଙ୍କ ସହ ଆଉ କିଛି ପୁଲିସ ଅଛନ୍ତି ଯେଉଁମାନେ ସାଦା ପୋଷାକରେ ଅଫିସ ଭିତରେ କାଗଜପତ୍ର କାମ କରୁଛନ୍ତି। ଯେତେବେଳେ ପୁଲିସ କର୍ମଚାରୀଙ୍କ ସଂଖ୍ୟା ୩୨ ହଜାର ଥିଲା ସେତେବେଳେ ଏହି କାଗଜପତ୍ର କାମ କରୁଥିବା ବା ପୁଲିସ ମିନିଷ୍ଟ୍ରିଆଲ ଅଫିସରଙ୍କ ସଂଖ୍ୟା ଯାହା ଥିଲା ଏବେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ୭୨ ହଜାର ହୋଇଥିଲେ ମଧ୍ୟ ଏହି ଅଧିକାରୀଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ହୋଇନି। ୧୯୮୫ ପରଠାରୁ କେହି ନିଯୁକ୍ତି ପାଇ ନାହାନ୍ତି। ବରଂ କର୍ମଚାରୀଙ୍କ ଅବସର ପରେ ସଂଖ୍ୟା କମି କମି ଆସୁଛି। ଅଦ୍ୟାବଧି ୨୫୦ ପଦ ଖାଲି ପଡ଼ିଛି। ବଡ଼ କଥା ହେଉଛି କାମର ଚାପ ତିନି ଗୁଣା ହୋଇଥିବା ବେଳେ ଦରମାରେ ବୃଦ୍ଧି ହୋଇ ନାହିଁ। ଆଜି ଇଡିକଲ ଅଡିଟୋରିୟମ ପରିସରରେ ଆୟୋଜିତ ପୁଲିସ ମିନିଷ୍ଟ୍ରିଆଲ ଅଫିସର ସଂଘର ନବମ ସାଧାରଣ ସମ୍ମିଳନୀରେ ସଂଘ ପକ୍ଷରୁ ଏ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ଏପରି ଅଭିଯୋଗକୁ ଯୁକ୍ତିଯୁକ୍ତ ବୋଲି କହିବା ସହ ଆଗକୁ ସରକାର ଏ ନେଇ ଗୁରୁତ୍ବର ସହ ବିଚାର କରିବେ ବୋଲି କହିଛନ୍ତି। ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇ କହିଥିଲେ, ଗୋଟିଏ ପଟେ କାର୍ଯ୍ୟଭାର ବଢ଼ୁଥିବା ବେଳେ ମାନବ ସମ୍ବଳ ଅଭାବ ରହିଛି। ଏହି ପରିପ୍ରେକ୍ଷୀରେ ସଂଘର ଦାବି ଉପରେ ବିଚାର ଜରୁରୀ ହୋଇଛି। ଗୋଟିଏ ସପ୍ତାହ ଭିତରେ ସରକାରଙ୍କ ସହ ଆଲେଚାନା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କମିସନର ସତ୍ୟଜିତ ମହାନ୍ତି ଯୋଗ ଦେଇ ପୁଲିସ ବିଭାଗକୁ ଏକ ରଥ ସହିତ ତୁଳନା କରି ମିନିଷ୍ଟ୍ରିଆଲ ଅଫିସରଙ୍କୁ ଚକ ଓ ଅଖ ବୋଲି ଅଭିହିତ କରିଛନ୍ତି। ସଂଘର ସଭାପତି ଶରତ ମାଝୀ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ସରୋଜ ଓଝା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମିନିଷ୍ଟ୍ରିଆଲ ଅଫିସରଙ୍କୁ ଏକ୍ଜିକ୍ୟୁଟିଭ୍ ପାହ୍ୟା ପ୍ରଦାନ କରାଯିବା ସହ ସ୍ବତନ୍ତ୍ର କ୍ୟାଡର୍ ରୁଲ୍ ପ୍ରଣୟନ ପାଇଁ ନିର୍ଦ୍ଦେଶ ରହିଛି। ପୁଲିସ ଆଇନ ବଳରେ ଏମାନେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଅନ୍ୟ ଏକ୍ଜିକ୍ୟୁଟିଭ୍ ପୁଲିସ ଅଫିସରଙ୍କ ଦରମାଠାରୁ ଢେର କମ୍ ରହିଛି। ଏହି ଦରମା ସମାନ ପ୍ରସଙ୍ଗରେ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିସାରିଛି। କିନ୍ତୁ ଦେଢ଼ ବର୍ଷ ହେଲା ଫାଇଲ ପଡ଼ି ରହିଛି। କ୍ୟାଡର୍ ରୁଲ ନଥିବାରୁ ନିଯୁକ୍ତି କି ପ୍ରମୋସନ୍ ମଧ୍ୟ ହେଉନାହିଁ। ଥାନା, ବାଟାଲିଅନ, ଓଡ୍ରାଫ୍ ସହ ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ନୂଆ ନୂଆ ତିଆରି ହେଉଥିଲେ ମଧ୍ୟ ଏହି ମିନିଷ୍ଟ୍ରିଆଲ ପଦ ସୀମିତ ରହିଛି ବୋଲି ଶ୍ରୀ ଓଝା ସୂଚନା ଦେଇଥିଲେ। ଅନିରୁଦ୍ଧ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।