ଖାକି ‘ସାହବ’ଙ୍କୁ ବିରୋଧ! କେବେ ହଟିବ ଅଙ୍ଗ୍ରେଜି ଢାଞ୍ଚା?

କଟକ : ଭୁବନେଶ୍ୱରରେ ନିକଟରେ ଅନୁଷ୍ଠିତ ବରିଷ୍ଠ ପୁଲିସ୍‌ ଅଧିକାରୀ ସମ୍ମିଳନୀରେ ବିଭାଗରେ କୁହୁଳୁଥିବା ଅସନ୍ତୋଷ ସାମନାକୁ ଆସିଛି। ଭାରତୀୟ ପୁଲିସ୍‌ ସେବା (ଆଇପିଏସ୍‌) ଅଧିକାରୀ ମାନଙ୍କ ‘ସାହବ’ ଢାଞ୍ଚା ଯେ ଆଉ ଅଣ ଆଇପିଏସ୍‌ ଅଧିକାରୀଙ୍କ ଦ୍ୱାରା ଗ୍ରହଣୀୟ ହେଉ ନାହିଁ କି ସହଜରେ ହଜମ ହେଉନାହିଁ, ତାହା ଏବେ ସ୍ପଷ୍ଟ ଭାବେ ସାମନାକୁ ଆସିଛି। ସମ୍ମିଳନୀରେ ରାଜ୍ୟ ପୁଲିସ୍‌ ସଂଘ ପକ୍ଷରୁ କେତେକ ପ୍ରସ୍ତାବ ସମ୍ବଳିତ ସ୍ମାରକପତ୍ର ଦିଆଯାଇ ତାହାର ସମାଧାନ ପାଇଁ ଅନୁରୋଧ କରାଯାଇଛି। ବିଭାଗରେ କୁହୁଳୁଥିବା ଅସନ୍ତୋଷ ଏବେ ସବୁ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ରାଜ୍ୟ ପୁଲିସ ଅଫିସର ସଂଘ ପକ୍ଷରୁ ଉପସ୍ଥାପିତ ଯେଉଁ କେତେକ ଦାବି ଏବେ ବିଭିନ୍ନ ଫୋରମରେ ଆଲୋଚନା କରାଯାଉଛି, ସେଥିରୁ ଅନ୍ୟତମ ପ୍ରମୁଖ ଦାବି ହେଉଛି ଏସ୍‌ପି/ଡିସିପିଙ୍କୁ ଦିଆଯାଉ ତଦନ୍ତ ଦାୟିତ୍ୱ। ଦାବି ଅନୁଯାୟୀ ଏଏସ୍‌ଆଇରୁ ଆରମ୍ଭ କରି ଏଏସ୍‌ପି ପାହ୍ୟାର ଅଧିକାରୀ ବିଭିନ୍ନ ମାମଲାର ତଦନ୍ତ କରୁଥିବା ବେଳେ ଏସ୍‌ପି/ଡିସିପି ପାହ୍ୟାର ଅଧିକାରୀଙ୍କୁ ମାସକୁ ଅତି କମ୍‌ରେ ଗୋଟିଏ ଜଘନ୍ୟ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଉ। ଯାହା ଦ୍ୱାରା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପ୍ରକ୍ରିୟା ତ୍ୱରାନ୍ଵିତ ହେବ। ପୁଲିସ ଅଫିସର ସଂଘର ଏ ପ୍ରକାର ଦାବି ଗୋଟିଏ ପଟେ ଆଇପିଏସ୍‌ ପାହ୍ୟା ଅଧିକାରୀଙ୍କ କାର୍ଯ୍ୟଧାରା ପ୍ରତି ରହିଥିବା ଅସନ୍ତୋଷର ପ୍ରତିଫଳନ ବୋଲି କୁହାଯାଉଛି।

ସେହିଭଳି ଏସ୍‌ପି/ଡିସିପି ଅଥବା ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀ ନିୟମଠାରୁ ଅଧିକ ଅର୍ଡର୍‌ଲିଙ୍କୁ ପାଖରେ ରଖୁଥିବା ବେଳେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଜଣକୁ ବି ରଖିବାର ସୁଯୋଗ ମିଳୁନି। ‘ସାହବ’ ହଜୁର ସଂସ୍କୃତିରେ ଯିଏ ମୁଣ୍ଡ ନୁଆଁଇ ରହୁଛନ୍ତି, ସିଏ ବର୍ଷବର୍ଷ ଧରି ଗୋଟିଏ ଜାଗାରେ କାମ କରୁଛନ୍ତି। ଏଭଳି ସ୍ଥିତିରେ ଇନ୍ସପେକ୍ଟର ଏବଂ ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀଙ୍କୁ ଆବେଦନର ବିଚାର ଅଧିକାର ଆଇ ମୁଖ୍ୟାଳୟ ଏସ୍‌ପିଙ୍କ ହାତରେ ନରଖି ଗୃହ ବିଭାଗ ହାତରେ ରଖାଯାଉ ବୋଲି ଦାବି କରାଯାଇଛି। ୨୦୦୪ ପୂର୍ବରୁ ଗୃହ ବିଭାଗ ପାଖରେ ଏହି ଅଧିକାର ରହିଥିଲା। ପରିବର୍ତ୍ତୀତ ପରିସ୍ଥିତିରେ ମୁଖ୍ୟାଳୟ ଏସ୍‌ପିଙ୍କ ହାତରେ କ୍ଷମତା ରହିବା ଦ୍ୱାରା ନ୍ୟାୟ ମିଳିବା ଜାଣିଶୁଣି ବିଳମ୍ବିତ ହେଉଥିବା ଅଭିଯୋଗ ହେଉଛି। ରାଜ୍ୟ ପୁଲିସ ସଂଘ ପକ୍ଷରୁ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀରେ ଦିଆଯାଇଥିବା ଏଭଳି କିଛି ଦାବି ସମ୍ବଳିତ ସ୍ମାରକପତ୍ର ଏବେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ବିଚଳିତ କରିଛି। ଯଦିଓ ପୁଲିସ ବିଭାଗରେ ଶୃଙ୍ଖଳା ନାମରେ ଏହାକୁ ଚପାଇ ରଖାଯାଇଛି, କିନ୍ତୁ ଆଗକୁ ଯେ ଏହା କୌଣସି ସମୟରେ ବିସ୍ଫୋରକ ରୂପ ନନେବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର