୯୫% ମାମଲାରେ ନିର୍ଦୋଷରେ ଖଲାସ ହେଉଛନ୍ତି ଅଭିଯୁକ୍ତ

ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିବସ

ଗଠନ ହେଲା ୪ଟି କମିଟି

ଭୁବନେଶ୍ୱର : ଅପରାଧୀ ଧରା ପଡ଼ୁଛନ୍ତି, କିନ୍ତୁ ହୋଇ ପାରୁନି ଦଣ୍ଡ ବିଧାନ। ଅପରାଧ ପରେ ଖସି ଯାଉଛନ୍ତି ଅପରାଧୀ। ପୁଲିସ ବିଭାଗର ଯାହା ତଥ୍ୟ କହୁଛି, ପଞ୍ଚାନବେ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ କୋର୍ଟରେ ନିର୍ଦୋଷରେ ଖଲାସ ହେଉଛନ୍ତି। ୨୦୧୪ ମସିହାରେ ୯.୨ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୦୧୫ରେ ୪.୪ ପ୍ରତିଶତ ଓ ୨୦୧୬ରେ ୪.୮ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯାହାକି ସାରା ଦେଶରେ ପଞ୍ଚମ। ଏଭଳି ଘଟଣା ପୁଲିସ ବିଭାଗ ପାଇଁ ଚିନ୍ତା ଓ ଉଦ୍‌ବେଗର ବିଷୟ ହୋଇଛି। କେମିତି ଅଭିଯୁକ୍ତମାନେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବେ ତାହା ଏବେ ପୁଲିସ ବିଭାଗର ମୁଖ୍ୟ ଲକ୍ଷ୍ୟ। ଏ ନେଇ ଆଜି ୬୦ତମ ପୁଲିସ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିନରେ ଗମ୍ଭୀର ଆଲୋଚନା ହୋଇଥିଲା।

ଆଜି ସମ୍ମିଳନୀରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ରାଜ୍ୟରେ ମାତ୍ର ୫ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ପୂର୍ବରୁ କେବଳ ମନୋନୀତ ଆଇନଜୀବୀମାନେ ମାମଲା ପରିଚାଳନା କରୁଥିଲେ। ଅଭିଯୁକ୍ତ ନିର୍ଦୋଷରେ ଖଲାସ ହେବା ପରେ ସେମାନେ ଉତ୍ତରଦାୟୀ ହେଉ ନ ଥିଲେ। ଏବେ ଅଭିଯୁକ୍ତମାନଙ୍କୁ କିଭଳି କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବ ସେ ନେଇ ପୁଲିସ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କ୍ୟାଡର ପବ୍ଲିକ ପ୍ରୋସିକ୍ୟୁଟର ନିଯୁକ୍ତି ଦେବାକୁ ଚିଠି କରାଯାଇଛି। ଏହା ଛଡ଼ା ବିଭିନ୍ନ ସମୟରେ ତଦନ୍ତକାରୀ ଅଫିସରଙ୍କ ବଦଳି ହୋଇ ଯାଇଥାନ୍ତି। ଫଳରେ ତଦନ୍ତକାରୀ ଅଫିସର ସମ୍ବେଦନଶୀଳ ଅପରାଧ ଉପରେ ନଜର ରଖିବା କଷ୍ଟକର ହୋଇ ପଡ଼ିଥାଏ। ତେଣୁ ଏବେ ଜଘନ୍ୟ ଅପରାଧର ତଦନ୍ତକାରୀ ଅଫିସର ଜଣେ ହିଁ ବିଚାର ଶେଷ ପର୍ଯ୍ୟନ୍ତ ରହିବେ। ସେମାନଙ୍କୁ ହୋଲଡିଂ ଆଇଓ ବୋଲି କୁହାଯିବ। ଏହା ଛଡ଼ା ଏକାଧିକ ଅପରାଧର ତଦନ୍ତକାରୀ ଅଫିସରମାନେ ହେଉଛନ୍ତି ଏଏସ୍‌ଆଇ ଓ ଏସଆଇ। କିଭଳି ସେମାନେ ଅଭିଯୁକ୍ତମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଓ ତଥ୍ୟ ସଂଗ୍ରହ କରି କୋର୍ଟରେ ଉପସ୍ଥାପନ କରିବେ ସେ ନେଇ ଖୁବ୍‌ ଶୀଘ୍ର ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ସେହିପରି ତଦନ୍ତରେ କିଭଳି ତ୍ରୁଟି ନ ରହିବ ସେ ଦିଗରେ ଆଜି ଆଲୋଚନା ହୋଇଥିଲା।

ଏତଦବ୍ୟତୀତ ତଦନ୍ତକାରୀ ଅଧିକାରୀମାନେ ଠିକ ଆକାରରେ ତଦନ୍ତ ସାରି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରି କେମିତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବେ ତାହା ଉପରେ ନଜର ରଖିବାକୁ ଆଇପିଏସ୍‌ ସ୍ତରରେ ଏକ କମିଟି ଗଠନ ହୋଇଛି। ଏହି ଆଇପିଏସ୍‌ ଅଧିକାରୀମାନେ ସମ୍ବେଦନଶୀଳ ମାମଲା, ରେଡଫ୍ଲାଗ୍‌ ମାମଲାଗୁଡିକର ତଦାରଖ କରିବେ। ଏହାର ମୁଖ୍ୟ ରହିବେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କୁ ସହଯୋଗ କରିବେ ଆଇଜି ଅସିତ କୁମାର ପାଣିଗ୍ରାହୀ, ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ମାଲାକାନାଗିରି ଏସ୍‌ପି କେଭି ସିଂହ, କଟକ ଏସ୍‌ପି ମାଧବଚନ୍ଦ୍ର ସାହୁ ପ୍ରମୁଖ। ଏହି କମିଟି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ତଦାରଖ କରିବ। ଏହା ଛଡ଼ା ଏହି କମିଟି ଅପରାଧ ନିୟନ୍ତ୍ରଣ ଦିଗରେ ମଧ୍ୟ କାମ କରିବେ।

ସେହିପରି ବେଳେବେଳେ ରାଜ୍ୟରେ କେତୋଟି ସ୍ଥାନରେ ସଂଘଟିତ ଅପରାଧ ଓ ଆପଦକାଳୀନ ପରିସ୍ଥିତି ଉପୁଜୁଛି। କେମିତି ସେହି ଘଟଣା ପୁଲିସ ହାତରୁ ଖସି ନ ଯିବ ଏବଂ ପୁଲିସ ବିଭାଗ ନିୟନ୍ତ୍ରଣ ନ ହରାଇବ ସେଥିପାଇଁ ଏକ କମିଟି ଗଠନ କରାଯାଇଛି। ଭଦ୍ରକ ଦଙ୍ଗା, କଳହାଣ୍ଡିରେ ମାଓବାଦୀଙ୍କ ଆକ୍ରମଣ ହେଉଛି ଏହାର ଉଦାହରଣ। ଏଭଳି ସଂଘଟିତ ଅପରାଧ ଉପରେ ନଜର ରଖିବାକୁ ମଧ୍ୟ ଗୋଟିଏ କମିଟି ଗଠନ ହୋଇଛି। ଗୁଇନ୍ଦା ବିଭାଗ ନିର୍ଦେଶକ ସୁନୀଲ ରଏ ଏହି କମିଟିର ମୁଖ୍ୟ ରହିଛନ୍ତି। ତାଙ୍କୁ ସହଯୋଗ କରିବାକୁ ଏଡିଜି ମହେନ୍ଦ୍ର ପ୍ରତାପ, ଆଇଜି ଆର୍‌ପି କୋଚେ, ଆଇଜି ରାଧାକୃଷ୍ଣ ଶର୍ମା, ଡିଆଇଜି ଘନଶ୍ୟାମ ଉପାଧ୍ୟାୟ, କଟକ ଡିସିପି ଅଖିଳେଶ୍ୱର ସିଂହ, ଅନୁଗୁଳ ଏସ୍‌ପି ବି୍ରଜେଶ କୁମାର ରାୟ ଓ ବଲାଙ୍ଗୀର ଏସ୍‌ପି କେ ଶିବା ସୁବ୍ରମଣ୍ୟମ ପ୍ରମୁଖ ସଦସ୍ୟ ରହିବେ। ସେହିପରି ପୁଲିସ ବିଭାଗର ସଶସ୍ତ୍ର ବଳ ମଧ୍ୟରେ ସଂଯୋଜନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ମୁଖ୍ୟ ଭାବେ ଆଇଜି ସଂଜୀବ ପଣ୍ଡା ରହିବେ। ତାଙ୍କୁ ସହଯୋଗ କରିବେ କମାଣ୍ଡାଣ୍ଟ୍‌ ଏସ.ଏନ୍‌ ଜମାଦାର, ବାଳକୃଷ୍ଣ ନନ୍ଦ ଓ ସଂଜୟ କୁମାର ରାଉତ ପ୍ରମୁଖ।

ଶେଷ ଭାଗରେ ସିସିଟିଏନ୍‌ଏସ୍‌, ଫରେନସିକ ଲାବୋରେଟାରି, ଭିଜିଲାନ୍ସ, ପୁଲିସ ହାଉସିଂ ପ୍ରୋଜେକ୍ଟ ପାଇଁ ଯେଉଁ କମିଟି ଗଠନ ହୋଇଛି ସେଥିରେ ଏସ୍‌ସିଆର୍‌ବି ନିର୍ଦେଶକ ସୁଧାଂଶ ଷଡ଼ଙ୍ଗୀ, ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ପୁଲିସ ହାଉସିଂ ସିଏମଡି ଲଳିତ ଦାସ ପ୍ରମୁଖ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର