ସ୍ୱାସ୍ଥ୍ୟ ଚିନ୍ତା: ବୀମାଭୁକ୍ତ ହେବେ ୭୨ ହଜାର ପୁଲିସ୍‌ କର୍ମଚାରୀ

ଭୁବନେଶ୍ୱର : ଓଡ଼ିଶା ପୁଲିସକୁ ଏବେ ସ୍ୱାସ୍ଥ୍ୟ ଚିନ୍ତା ଘାରିଛି। କିଏ ଉଚ୍ଚ ରକ୍ତଚାପ ରୋଗର ଶିକାର ତ ଆଉ କିଏ ଡାଇବେଟିସ୍‌ରେ ପୀଡ଼ିତ ଆଉ କାହାର ସାଂଘାତିକ ଗ୍ୟାସଟ୍ରିକ୍‌, କିଏ ହୃଦ୍‌ରୋଗୀ ଓ କାହାର କିଡ୍‌ନି ଖରାପ। ଚିକିତ୍ସା ପାଇଁ ମାସକୁ ହଜାର ହଜାର ଟଙ୍କା ଖର୍ଚ ହେଉଛି। ଯେତିକି ରୋଜଗାର କରୁଛନ୍ତି, ତାର ଅଧା ଚିକିତ୍ସା ବାବଦରେ ଚାଲି ଯାଉଛି। କେବଳ ଯେ ଟଙ୍କା ଖର୍ଚ ହେଉଛି ତାହା ନୁହେଁ, ଏଥିପାଇଁ ଅନେକ ପୁଲିସ କର୍ମଚାରୀ ଠିକ୍‌ ଭାବେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ବର୍ଷର ୨ ରୁ ୩ ମାସ ଛୁଟିରେ ମଧ୍ୟ ରହୁଛନ୍ତି। ଫଳରେ କାର୍ଯ୍ୟ କ୍ଷେତ୍ରରେ ବାଧା ଓ ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ପୁଲିସ ବିଭାଗ ଚିନ୍ତାରେ। କେମିତି ନିଜ କର୍ମଚାରୀମାନଙ୍କୁ ସୁସ୍ଥ ରଖିବେ ସେଥିପାଇଁ ଯୋଜନା କରାଯାଇଛି। ସମସ୍ତ ପୁଲିସ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମାରେ ଅର୍ନ୍ତଭୁକ୍ତ କରିବାକୁ ପୁଲିସ ମୁଖ୍ୟାଳୟ ଉଦ୍ୟମ ଆରମ୍ଭ କରିଛି। ଏନେଇ ଗୃହ ବିଭାଗକୁ ଏକ ଚିଠି କରାଯାଇଛି। ଚିଠିରେ କୁହାଯାଇଛି ସମସ୍ତ ପୁଲିସ କର୍ମଚାରୀଙ୍କ ଇନ୍ସୁରାନ୍ସ ପ୍ରିମିୟମ ଭରିବାକୁ। ଗୃହ ବିଭାଗ ଏଥିରେ ରାଜି ହୋଇଗଲେ ଓଡ଼ିଶା ପୁଲିସରେ କାର୍ଯ୍ୟରତ ୭୨,୧୪୫ କର୍ମଚାରୀ ଉପକୃତ ହେବେ।

ସୂଚନା ଅନୁସାରେ, ପୁଲିସ ବିଭାଗରେ କାର୍ଯ୍ୟରତ ୭୨ ହଜାର କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ କର୍ମଚାରୀ ନିଜ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟବୀମା କରାଇଛନ୍ତି। ଅନ୍ୟମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଔଷଧ ଖର୍ଚ ବାବଦରେ ବର୍ଷକୁ ମାତ୍ର ୧ ହଜାର ଟଙ୍କା ପାଉଛନ୍ତି। ତାହା କେବଳ ନିଜ ପାଇଁ। ପରିବାରର ଅନ୍ୟ ସଦସ୍ୟମାନଙ୍କ ପାଇଁ ଔଷଧ ଖର୍ଚ ବି ନାହିଁ। ଏହି ଏକ ହଜାର ଟଙ୍କା ବି ତଳିଆ କର୍ମଚାରୀମାନଙ୍କ ପାଇଁ ସାତ ସପନ ହୋଇ ଯାଉଛି। କୌଣିସି ବଡ଼ ରୋଗ ହେଲେ ବିଭାଗ ଶୁଣୁନାହିଁ।

ତେଣୁ ସମସ୍ତଙ୍କୁ ଗ୍ରୁପ୍‌ ଇନ୍ସୁରାନ୍ସ ଭଳି ସ୍ୱାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ କରିବାକୁ ଚିନ୍ତା କରାଯାଇଛି ବୋଲି ପୁଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ କେତେକ ଇନ୍ସୁରାନ୍ସ କମ୍ପାନି ସହିତ ପୁଲିସ ବିଭାଗ ଯୋଗାଯୋଗରେ ରହିଛି। ଯେଉଁ କମ୍ପାନିରେ ଇନ୍ସୁରାନ୍ସ କଲେ ପୁଲିସ କର୍ମଚାରୀଙ୍କୁ ଅଧିକ ଫାଇଦା ହେବ ସେହି କମ୍ପାନିକୁ ଅଗ୍ରାଧିକାର ଦିଆଯିବ।

ଏ ସମ୍ପର୍କରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ପୁଲିସ କର୍ମଚାରୀଙ୍କୁ ଏଭଳି ଏକ ଗ୍ରୁପ୍‌ ସ୍ୱାସ୍ଥ୍ୟବୀମା କରାଯିବାକୁ ଯୋଜନା ହୋଇଛି। ଏହା ଦ୍ୱାରା ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ସ୍ୱାସ୍ଥ୍ୟ ସେବା ପାଇ ପାରିବେ। ଗୃହ ବିଭାଗ ଅନୁମତି ଦେବା ପରେ ସମସ୍ତ ପୁଲିସ କର୍ମଚାରୀ ବୀମାଭୁକ୍ତ ହୋଇ ପାରିବେ।

ସମ୍ବନ୍ଧିତ ଖବର