୧୫୧ ଜଣଙ୍କୁ ଡିଏସ୍‌ପି ପାହ୍ୟା

କଟକ : ଓଡ଼ିଶା ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ପକ୍ଷରୁ ୧୫୧ ଜଣ ପୁଲିସ ଇନ୍‌ସ୍ପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାରେ ଅବସ୍ଥାପିତ କରାଯାଇଛି । କିନ୍ତୁ ଏହାକୁ ସେମାନଙ୍କର ପଦୋନ୍ନତି ବୋଲି ବିଚାର କରାଯିବ ନାହିଁ। ସେମାନେ ବର୍ତ୍ତମାନ ଯେଉଁ ଇନ୍ସପେକ୍ଟର ପାହ୍ୟାର ଦରମା ପାଉଛନ୍ତି, ସେହି ଦରମାରେ କାର୍ଯ୍ୟ କରିବେ। ଏଭଳି ସର୍ତ୍ତ ରଖି ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ୧୫୧ ଜଣ ପୁଲିସ ଇନ୍ସପେକ୍ଟରଙ୍କ ନାମ ଓ ଡିଏସପି ପାହ୍ୟାରେ ଅବସ୍ଥାପିତ କରାଯିବା ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ କମିସନରେଟ୍‌ ପୁଲିସରେ ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିବା ତିନି ଜଣ ଇନ୍‌ସ୍ପେକ୍ଟର ମଧୁପାଟଣା ଥାନା ଅଧିକାରୀ ଜିତେନ୍ଦ୍ର ଦଳାଇ, ଲାଲବାଗ ଥାନା ଅଧିକାରୀ ଦେବଦତ୍ତ ବରାଳ ଏବଂ ସଦର ଥାନା ଅଧିକାରୀ ଦେବଦତ୍ତ କର ଏଥିରେ ରହିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ସି/ଏସ୍‌ଟି ବର୍ଗର ଇନ୍‌ସ୍ପେକ୍ଟରଙ୍କୁ ପଦୋନ୍ନତିରେ ଅନିୟମିତତା ବିରୋଧରେ ପ୍ରଥମେ ସ୍ୟାଟ୍‌ ଏବଂ ପରେ ହାଇକୋର୍ଟରେ ସାଧାରଣ ବର୍ଗର ପୁଲିସ ଅଧିକାରୀ ମାମଲା ଦାୟର କରିଥିଲେ । ଏବେ ସୁପ୍ରିମ୍‌କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ପଦୋନ୍ନତି ଉପରେ ଗଲା ଦୁଇ ବର୍ଷ ତଳେ ରହିତାଦେଶ ଜାରି କରାଯାଇଥିଲା । କିନ୍ତୁ ଓଡ଼ିଶା ପୁଲିସରେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଅଭାବ ପଡ଼ିବାରୁ ଅସ୍ଥାୟୀ ଭାବେ ୧୫୧ ଜଣ ଇନ୍‌ସ୍ପେକ୍ଟରଙ୍କୁ ପୁଲିସ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଡିଏସ୍‌ପି ପାହ୍ୟାରେ ଅବସ୍ଥାପିତ କରାଯାଇଛି । କିନ୍ତୁ ଏଥିରେ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ସର୍ତ୍ତ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର