ଆତଙ୍କବାଦୀଙ୍କ ପ୍ରତିରୋଧ ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ: ଡିଜି

ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ସମିତି ବୈଠକ

ଭୁବନେଶ୍ୱର: ରେଳଯାତ୍ରୀ କିଭଳି ସୁରକ୍ଷିତ ଯାତ୍ରା କରିବେ ତାହା ହିଁ ପ୍ରାଥମିକତା। ଘଟଣା ‌ଛୋଟ ହେଉ କି ବଡ଼, କୌଣସି ସ୍ଥିତିରେ ଯାତ୍ରୀମାନଙ୍କ ନିରାପତ୍ତାକୁ ବାଜିରେ ଲଗାଯାଇ ପାରିବ ନାହିଁ। ଚା’ରେ ନିଶା ଦେଇ ଲୁଟିବା ହେଉ ବା ସମ୍ବେଦନଶୀଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହେଉ, ସବୁ ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ରହିଛି। ପ୍ରମୁଖ ରେଳଷ୍ଟେସନରେ ଶତପ୍ରତିଶତ ସିସିଟିଭି ଲାଗିବାକୁ ଯାଉଥିବା ବେଳେ ଆତଙ୍କବାଦୀ ଓ ନକ୍ସଲ କାର୍ଯ୍ୟକଳାପ ଉପରେ କାବୁ ପାଇବା ପାଇଁ ‘ଆଭ୍ୟନ୍ତରୀଣ ନିରାପତ୍ତା ଯୋଜନା’ ପ୍ରସ୍ତୁତ ହୋଇଛି। ଏଥିସହିତ ସମସ୍ତ ଷ୍ଟେସନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ଆଜି ପୂର୍ବାହ୍ନରେ ଡିଜିଙ୍କ କ୍ୟାମ୍ପ ଅଫିସରେ ଆୟୋଜିତ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ସମିତି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ ଏହା କହିଛନ୍ତି। ଗତକାଲି ଏନ୍‌ଆଇଏ ଡିଜି ଦେଇଥିବା ସୂଚନା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଓଡ଼ିଶାରେ ବାଂଲାଦେଶୀ ଜମ୍ମାତ ଉଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସକ୍ରିୟ ହେଉଥିବା ନେଇ ଏନ୍‌ଆଇଏ ଡିଜିଙ୍କ ସୂଚନାକୁ ଆଧାର କରି ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିରୋଧ ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ରହିଛି‌ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଯାତ୍ରୀଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା
କାର୍ଯ୍ୟକ୍ଷମ ହେବ ଆଭ୍ୟନ୍ତରୀଣ ନିରାପତ୍ତା ଯୋଜନା

ବୈଠକରେ ରେଳ ଯାତ୍ରୀଙ୍କ ସୁରକ୍ଷା ସମେତ ଜିଆରପି ଓ ଆରପିଏଫ୍‌ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ବାରୋପ କରାଯାଇଛି। ରେଳବାଇ ସମ୍ପତ୍ତି ସୁରକ୍ଷା ସହ ଅନୁପ୍ରବେଶ ରୋକିବା ପାଇଁ କେତେକ ଷ୍ଟେସନରେ ପାଚେରି କରିବା ଯୋଜନା ହୋଇଛି। ଅନେକ ଷ୍ଟେସନର ପ୍ରମୁଖ ଜାଗା ଅନ୍ଧାର ରହୁଥିବାରୁ ହାଇମାଷ୍ଟ ଲାଇଟ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ଚିହ୍ନଟ ହୋଇଥିବା ୫ଟି ସମ୍ବେଦନଶୀଳ ଷ୍ଟେସନ ଉପରେ କଡ଼ା ନଜର ରଖାଯିବା ସହ ସୁରକ୍ଷା ବଢ଼ାଇବା ପାଇଁ ଯୋଜନା ହୋଇଛି। ଫେରିବାଲାଙ୍କ ଉପରେ କଡ଼ା ନଜର ରଖାଯିବା ସହ ସେମାନଙ୍କର ପରିଚୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଅଭିଯାନ ହେବାକୁ ସ୍ଥିର ହୋଇଛି। ଶିଶୁ, ମହିଳା, ଦିବ୍ୟାଙ୍ଗଙ୍କ ସୁରକ୍ଷିତ ଯାତ୍ରା ଉପରେ କଡ଼ା ନଜର ରହିଥିବା ବେଳେ ନିଶା ଦିଆ ଲୁଟେରାଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରତ୍ୟେକ ଷ୍ଟେସନରେ ବ୍ୟାଗେଜ୍‌ ସ୍କାନର ସଚଳ ରହିଛି ବୋଲି ନିଶ୍ଚିତ କରିବାକୁ ରେଳବାଇକୁ ପରାମର୍ଶ ଦିଆଯାଇଛି।

ଗୁଇନ୍ଦା ତଥ୍ୟ ପ୍ରସାରଣ ପାଇଁ ଜିଆର୍‌ପି ଜିଲ୍ଲାମାନଙ୍କ ମଧ୍ୟରେ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ଖୋଲାଯାଇଛି। କଟକ ଓ ରାଉରକେଲା ଜିଆରପି ଜିଲ୍ଲା ଏକ ଡାଟାବେସ୍‌ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଗତ ତିନି ବର୍ଷର ଅଭ୍ୟାସଗତ ଅପରାଧୀଙ୍କର ଫଟୋ ସହ ସମ୍ପୂର୍ଣ୍ଣ ବିବରଣୀ ରହିଛି। ରେଳରୋକ ଆନ୍ଦୋଳନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ରେଳ ଜରିଆରେ ନିଶା କାରବାର ହେଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହା କିଭଳି ଶୂନ ହୋଇ ପାରିବ ‌ତାହା ଉପରେ ଜିଆରପି ଓ ଆରପିଏଫ୍ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ନିରାପତ୍ତା) ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଅତିରିକ୍ତ ଡିଜି (ଗୁଇନ୍ଦା) ଆର.କେ ଶର୍ମା, ଏସ୍‌ଆଇବି ଯୁଗ୍ମ ନିର୍ଦ୍ଦେଶକ ଭି. ଶର୍ମା, ଆର୍‌ପିଏଫ୍‌ ଆଇଜି(କୋଲକାତା) ଏସ୍‌.ସି ପର୍‌ହି, ଆର୍‌ପିଏଫ୍‌ ଆଇଜି ପୂର୍ବତଟ ରେଳବାଇ ରାଜା ରାମ୍‌, ଆର୍‌ପିଏଫ୍‌ ଆଇଜି (ବିଳାସପୁର) ଆର୍‌ ଏସ୍‌ ଚୌହାନ୍‌, ସିଟିଇ ଜେ ପରିଡ଼ା, ଡିଇଏନ୍‌ ସି ଭି ନାୟକ, ରାଉରକେଲା ଏସ୍‌ଆରପିର ଟି. ପଟେଲ୍‌, କଟକ ଏସ୍‌ଆରପିର କେ. କେ. ଡୋଙ୍ଗାୟତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର