ପୁଲିସ୍ ସିଗନାଲ୍ସରେ କ୍ୟାଡର ନିୟମ ଉଲ୍ଲଙ୍ଘନ : ପଦୋନ୍ନତିକୁ ନେଇ କର୍ମଚାରୀ, ଅଧିକାରୀ ମହଲରେ ଅସନ୍ତୋଷ
୪ମାସ ହେଲାଣି ଧାର୍ଯ୍ୟ ହୋଇପାରୁନି ରିଫ୍ରେସର ପରୀକ୍ଷା ତାରିଖ
କଟକ : ରାଜ୍ୟ ପୁଲିସ୍ ବିଭାଗର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସିଗ୍ନାଲ୍ସରେ ଲାଗୁ ହୋଇଥିବା ପଦୋନ୍ନତି ନିୟମକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ପାଇଁ ଏବେ ଅନେକ ଏଏସ୍ଆଇ, ଏସ୍ଆଇ ଓ ଇନ୍ସପେକ୍ଟର ପଦବି ଖାଲି ପଡ଼ିଛି। ଉକ୍ତ ପଦବି ଗୁଡ଼ିକ ପୂରଣ କରିବାକୁ ପଦୋନ୍ନତି ଓ ସିଧାସଳଖ ନିଯୁକ୍ତି ବ୍ୟବସ୍ଥା ରହିଛି। କିନ୍ତୁ କ୍ୟାଡର ନିୟମକୁ ଉଲ୍ଲଙ୍ଘନ କରି ରାଜ୍ୟ ପୁଲିସ୍ ବିଭାଗ ପକ୍ଷରୁ ରିଫ୍ରେସର ପାଠ୍ୟକ୍ରମକୁ ପଦୋନ୍ନତିର ମାନଦଣ୍ଡ ଭାବେ ନିଆଯାଇଛି। ଯେଉଁଥିପାଇଁ ଖାଲି ପଦବି ପୂରଣ ହେବାରେ ଅନେକ ବିଳମ୍ବ ହେଉଛି। ଏହା ଦ୍ୱାରା ସିଗ୍ନାଲ୍ସ୍ର କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ କୌଣସି ବିଭାଗରେ ପଦୋନ୍ନତି ପାଇଁ ରିଫ୍ରେସର ପାଠ୍ୟକ୍ରମ ବ୍ୟବସ୍ଥାକୁ ସ୍ଥାନ ଦିଆଯାଇନାହିଁ। ହେଲେ ସିଗ୍ନାଲ୍ସର ଉଚ୍ଚ ପଦସ୍ଥ ଅଧିକାରୀମାନେ ତଳସ୍ତର ଅଧିକାରୀଙ୍କ ଉପରେ ଅଯଥା ଚାପ ପକାଉଥିବା ଅଭିଯୋଗ ହୋଇଛି। ୨୦୧୬ ଜୁଲାଇ ୨୭, ସେପ୍ଟେମ୍ବର ୧୭ ଓ ଅକ୍ଟୋବର ୪ ତାରିଖରେ ସିଗ୍ନାଲ୍ସର ଏଏସ୍ଆଇରୁ ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ ବେସିକ୍ ଓ ଆଡ୍ଭାନ୍ସ କମ୍ୟୁନିକେସନ୍ ପାଠ୍ୟକ୍ରମ ତାଲିମ ଉପରେ ସିଲାବସ୍ କମିଟିର ବୈଠକ ବସିଥିଲା। ଅତିରିକ୍ତ ଡିଜି (କମ୍ୟୁନିକେସନ୍)ଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିରେ ସିଗ୍ନାଲ୍ ଏସ୍ପି, ସିଇଟି, ଆଇଆଇଆଇଟି, ଓକାକ୍ର ବିଶେଷଜ୍ଞ ପ୍ରଶିକ୍ଷକମାନେ ସଦସ୍ୟ ଭାବେ ରହିଥିଲେ। ନୂଆ ସର୍ଭିସ୍ ରୁଲ୍ ତିଆରି ହେବା ପରେ ପୂର୍ବ ତାଲିମ୍ ଓ ଆଗକୁ ଦିଆଯିବାକୁ ଥିବା ତାଲିମ୍ ମଧ୍ୟରେ ସମାନତା ରକ୍ଷା କରିବା ଓ ଆଉ କ’ଣ ଯୋଡ଼ା ଯାଇପାରିବ ତାହା ଉପରେ ନିଷ୍ପତ୍ତି ନିଆଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା।
ବୈଠକର ନିଷ୍ପତ୍ତିକ୍ରମେ, ଗ୍ରେଡ୍ ୩ ପାଠ୍ୟକ୍ରମ ପାସ୍ କରିଥିବା କମ୍ୟୁନିକେସନର ଏଏସ୍ଆଇ ମାନେ ୩୦ ଦିନିଆ ରିଫ୍ରେସର ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବେ। ପାସ୍ କରିବା ପରେ ହିଁ ତାହା ବେସିକ୍ କମ୍ୟୁନିକେସନ୍ ପାଠ୍ୟକ୍ରମ ସହିତ ସମକକ୍ଷ ହେବ ଏବଂ ଏସ୍ଆଇକୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ଏସ୍ଆଇମାନେ ଗ୍ରେଡ୍ ୧ ପାଠ୍ୟକ୍ରମ ପାସ୍ କରିଥିବେ ସେମାନେ ମଧ୍ୟ ୩୦ ଦିନିଆ ରିଫ୍ରେସର କୋର୍ସ ଶେଷ କରିବାକୁ ପଡ଼ିବ। ଏହାଦ୍ୱାରା ସେମାନେ ଆଡ୍ଭାନ୍ସ କମ୍ୟୁନିକେସନ୍ ପାଠ୍ୟକ୍ରମ ପାସ୍ କରିବା ଭଳି ବିବେଚିତ ହେବେ ଏବଂ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ଯୋଗ୍ୟତା ଅର୍ଜନ କରିବେ। ବୈଠକ ସୁଦ୍ଧା ୨୮ଜଣ ଏଏସ୍ଆଇ ଗ୍ରେଡ୍-୧ ପରୀକ୍ଷା ପାସ୍ କରିଥିଲେ ବି ଏସ୍ଆଇକୁ ପଦୋନ୍ନତି ପାଇନଥିଲେ। ସେହିପରି ୩ଜଣ ଏଏସ୍ଆଇ ଗ୍ରେଡ୍-୧ ପରୀକ୍ଷାରେ ଫେଲ୍ ହୋଇଥିଲାବେଳେ ୫ଜଣ ଏଏସ୍ଆଇ ଗ୍ରେଡ୍-୨ ପରୀକ୍ଷା ପାସ୍ କରିଥିଲେ। କିନ୍ତୁ ସେମାନେ ଗ୍ରେଡ୍-୧ ପରୀକ୍ଷା ଶେଷ କରିପାରିନାହାନ୍ତି। ୩ ଜଣ ଏଏସ୍ଆଇ ସିଧାସଳଖ ନିଯୁକ୍ତି ପାଇଥିଲେ ସୁଦ୍ଧା ଗ୍ରେଡ୍-୩ ପରୀକ୍ଷାରେ ଫେଲ୍ ହୋଇଥିବା ଏସ୍ପି ସୂଚନା ଦେଇଥିଲେ। ତେଣୁ ଯେଉଁ ଏଏସ୍ଆଇମାନେ ଗ୍ରେଡ୍-୧ କିମ୍ବା ଗ୍ରେଡ୍-୨ ପାସ୍ କରିଥିବେ କିମ୍ବା ଗ୍ରେଡ-୧ ପରୀକ୍ଷାରେ ଫେଲ୍ ହୋଇଥିବେ ଓ ସେମାନେ ଏସ୍ଆଇ ପଦୋନ୍ନତି ପାଇନଥିବେ, ସେମାନେ ୩୦ ଦିନିଆ ରିଫ୍ରେସର କୋର୍ସ କରିବାକୁ ବାଧ୍ୟ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ସେମାନେ ଏସ୍ଆଇ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟପକ୍ଷରେ ଯେଉଁ ଏଏସ୍ଆଇମାନେ ଗ୍ରେଡ୍-୩ରେ ଫେଲ୍ ହୋଇଥିବେ ସେମାନେ ୬ମାସିଆ ରିଫ୍ରେସର ପାଠ୍ୟକ୍ରମରେ ପାସ୍ କରିବାକୁ ହେବ। ଫଳରେ ସେମାନେ ଏସ୍ଆଇ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ନିୟମ ଅନୁଯାୟୀ, ଡିଜି ଏକ କମିଟି ପ୍ରସ୍ତୁତ କରି ପ୍ରଶିକ୍ଷଣର ପାଠ୍ୟକ୍ରମ ପ୍ରସ୍ତୁତ କରିବେ। କିନ୍ତୁ ସରକାରଙ୍କ ବିନା ଅନୁମୋଦନରେ କ୍ୟାଡର ନିୟମରେ ପରିବର୍ତ୍ତନ କରିପାରିବେ ନାହିଁ। କିନ୍ତୁ କ୍ୟାଡର ରୁଲ୍ରେ ପଦୋନ୍ନତି ପାଇଁ ରିଫ୍ରେସର ପାଠ୍ୟକ୍ରମ ବିଷୟରେ କିଛିବି ଉଲ୍ଲେଖ ହୋଇନଥିଲାବେଳେ ଏହା ନିୟମ ବିରୋଧୀ ବୋଲି କୁହାଯାଇଛି। ବର୍ତ୍ତମାନ ବିଭାଗରେ ୫ ଡିଏସ୍ପି, ୨୦ରୁ ଉର୍ଦ୍ଧ୍ୱ ଇନ୍ସପେକ୍ଟର ଓ ୮୦ ଏସ୍ଆଇ ପଦବି ପୂରଣ ନହୋଇ ଖାଲି ପଡ଼ିଛି। ତୁଳସୀପୁରସ୍ଥିତ ବେତାର ପ୍ରଶିକ୍ଷଣ କେନ୍ଦ୍ରରେ ୬୦ ଏଏସ୍ଆଇଙ୍କୁ ୩୦ ଦିନିଆ ରିଫ୍ରେସର ପାଠ୍ୟକ୍ରମ ମେ’ ମାସରୁ ଚାଲିଛି। ହେଲେ ୪ମାସ ହେଲାଣି ତାହା ଶେଷ ହୋଇନାହିଁ। ପରୀକ୍ଷା ପାଇଁ ତାରିଖ ନିର୍ଧାରିତ ହୋଇପାରିନଥିବାରୁ କଳାହାଣ୍ଡି, ଫୁଲବାଣୀ, କୋରାପୁଟ ଇତ୍ୟାଦି ଦୂର ଅଞ୍ଚଳରୁ ଆସିଥିବା ପ୍ରଶିକ୍ଷାର୍ଥୀମାନେ ମାସ ମାସ ଧରି ଏଠାରେ ପଡି ରହିଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାର ଏବଂ ପୁଲିସ୍ ଡିଜି ହସ୍ତକ୍ଷେପ କରିବାକୁ ସିଗ୍ନାଲ୍ସର ଅଧିକାରୀ ଓ କର୍ମଚାରୀମାନେ ଦାବି କରିଛନ୍ତି।