ରାଇଘର: ଛତିଶଗଡ଼ରେ ବୁଧବାର ନକ୍ସଲ ଓ ପୁଲିସ ଗୁଳି ବିନିମୟ ପରେ ଓଡ଼ିଶା ପୁଲିସ ଛତିଶଗଡ଼ ଅଂଚଳରୁ ଦୁଇ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରି ଆଜି ଶୋଭା ଥାନା ଅଂଚଳର ୮ ଗୋଟି ପଂଚାୟତର ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ରାଇଘର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନିରୀହ ଯୁବକଙ୍କୁ ଉଠାଇ ଆଣିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ବେଳେ ସେମାନଙ୍କୁ ତୁରନ୍ତ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି। ଉକ୍ତ ଯୁବକ ଦୁହେଁ ହେଲେ ମୋତିପାଣି ଗ୍ରାମର ହେମଲାଲ୍ ନାଗେଶ (୩୧) ଓ ଭୁତବେଡ଼ା ଗ୍ରାମର ପ୍ରକାଶ ମାର୍କମ (୨୦)ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ ଗତକାଲି ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧ ଜିଲ୍ଲାର ଶୋଭା ଥାନା ଅନ୍ତର୍ଗତ ସାଇବାନୀ ଜଂଗଲ ମଧ୍ୟରେ ନକ୍ସଲଙ୍କ ଗତିବିଧି ରହିଥିବା ସୂଚନା ପାଇ ଓଡ଼ିଶା ଏସ୍ଓଜି ଯବାନଙ୍କ ଆକ୍ରମଣ ସହିତ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେ ଅଂଚଳର ଦୁଇଜଣ ଯୁବକଙ୍କୁ ଓଡ଼ିଶା ପୁଲିସ ଉଠାଇ ଆଣିଥିବା ଅଭିଯୋଗ ହୋଇଛି। ଆଜି ଏହାର ପ୍ରତିବାଦରେ ଛତିଶଗଡ଼ର ୮ ଗୋଟି ପଂଚାୟତର ଲୋକେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ପ୍ରଥମେ ଫୁଟାନଡ଼ାଠାରେ ଥିବା ସିଆର୍ପିଏଫ କ୍ୟାମ୍ପକୁ ଯାଇ ପ୍ରତିବାଦ ଜଣାଇ ଥିଲେ। କିନ୍ତୁ ସମାନଙ୍କୁ ରାଇଘର ପୁଲିସ ନବରଙ୍ଗପୁର ପଠାଇଥିବା ଜାଣିବା ପରେ ସମସ୍ତେ ରାଇଘର ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଲୋକଙ୍କ କହିବା ଅନୁଯାୟୀ ସେମାନେ ଗତକାଲି ଜଙ୍ଗଲରେ ଶିଆଳି ଦଉଡ଼ି ଆଣିବାକୁ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛନ୍ତି।
ଆଜିର ଏହି ଥାନା ଘେରାଉ ସମୟରେ ଗାରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ଅଦଗଡି, ଶୋଭା, ଗୋନା, ଭୁତବେଡା, କୋଚିଙ୍ଗା, ଖୋକୋଡି, ଗରଡିହୀ, ଗୋରଗାଁ ପଂଚାୟତ ଲୋକେ ଉପସ୍ଥିତ ଥିଲେ। ଅପରପକ୍ଷରେ ଏ ନେଇ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବରଙ୍କୁ ପଚାରିବାରୁ ସେମାନଙ୍କର ନିଖୋଜ ଥିବା ଦୁଇ ଜଣ ଯୁବକଙ୍କ ବିଷୟରେ ପୁଲିସ ନିକଟରେ କୌଣସି ସୂଚନା ନଥିବା ସେ ପ୍ରକଶ କରିଥିଲେ।