ଚିରଞ୍ଜୀବୀ କର
କଟକ: ଏବେ କନ୍ଧମାଳରେ ଆଡ଼ା ଜମାଇଥିବା ମୋଷ୍ଟ ଵାଣ୍ଟେଡ୍ ଗଣେଶ ଉଇକେ ଓଡ଼ିଶା ପୁଲିସ ଟାର୍ଗେଟ୍ରେ ରହିଛି। ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ମୂଳ ବାସିନ୍ଦା ହନୁମନ୍ଥୁ ଓରଫ ଗଣେଶ ଉଇକେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି (ସିସି)ର ସଦସ୍ୟ। କେରଳର ପଶ୍ଚିମ ଘାଟରେ ମାଓବାଦୀ ଆକ୍ରମଣ ପଛର ମାଷ୍ଟର୍ମାଇଣ୍ଡ୍ ଗଣେଶ ୨୦୧୩ରେ ଛତିଶଗଡ଼ ସୁକୁମାରେ କଂଗ୍ରେସ ନେତା ଭିସି ଶୁକ୍ଳାଙ୍କୁ ହତ୍ୟା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ଗଣେଶ କର୍ଣ୍ଣାଟକ, କେରଳ, ତାମିନଲାଡ଼ୁରେ ମାଓବାଦୀ କାର୍ଯ୍ୟକଳାପ ଚଳାଇବା ପରେ ଏବେ କନ୍ଧମାଳରେ ରହିଛି। କେରଳର କାମ୍ବାମାଲାରେ ମାଓ କାର୍ଯ୍ୟକଳାପର ବି ସେ ମାଷ୍ଟର୍ମାଇଣ୍ଡ୍। ତଥ୍ୟ ଅନୁଯାୟୀ, ୨୦୨୫ରେ ୧୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଜାନୁଆରି ୪ରେ ଓଡ଼ିଶାର ନୂଆପଡ଼ା ଓ ଛତିଶଗଡ଼ ଗରିୟାବନ୍ଧ ଜିଲ୍ଲା ସୀମାରେ ଇନ୍ଦାଗାଁ ଥାନା ଅଞ୍ଚଳରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ୨୦ ଓ ୨୧ ତାରିଖରେ ଗରିୟାବନ୍ଧ ଜିଲ୍ଲା ଇନ୍ଦାଗାଁ ଓ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ୧୬ ଜଣ, ଜୁନ୍ ୩୦ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଇନ୍ଦ୍ରାସୁଗାରେ ୨ଜଣଙ୍କୁ ଏନ୍କାଉଣ୍ଟର କରାଯାଇଛି। ସେହିଭଳି କନ୍ଧମାଳ, କୋରାପୁଟ, ମାଲକାନଗିରି, ରାଉରକେଲା ପୁଲିସ ଜିଲ୍ଲାରେ ମେ ୧୬ରୁ ଜୁନ ୧୭ ମଧ୍ୟରେ ୬ ଜଣ ଗିରଫ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାରେ ମେ ୨୭ରେ ଜଣେ ମାଓବାଦୀ ବିଜୟ ପୁନେମ୍ ଓରଫ ଅଜୟ ଆତ୍ମସମର୍ପଣ କରିଛି। ମୋଷ୍ଟ ଵାଣ୍ଟେଡ୍ ମାଓବାଦୀ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ବୀପାଞ୍ଚଳର ବାଉରୀବନ୍ଧୁ ସେଠୀ ଓରଫ ଆଲୋକ ଓରଫ୍ ବଣ୍ଟିକୁ ଏନ୍କାଉଣ୍ଟର କରାଯାଇଛି। ସେହିଭଳି କେନ୍ଦ୍ରୀୟ କମିଟିର ସଦସ୍ୟ ଉଦୟ, ବାସବରାଜୁ, ସୁଧାକର, ଭାସ୍କର ପୁଲିସ ଗୁଳିରେ ନିହତ ହୋଇଛନ୍ତି। ରାଜ୍ୟ କମିଟି ମୁଖିଆ କୁହାଯାଉଥିବା ଜୟରାମ ପ୍ରତାପ ରେଡ୍ଡୀ ଓରଫ ଚଲପତି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ପୁଲିସ ଗୁଳିରେ ପ୍ରାଣ ହରାଇଛି।
ଛତିଶଗଡ଼ କଂଗ୍ରେସ ନେତା ଭିସି ଶୁକ୍ଳାଙ୍କ ହତ୍ୟାରେ ସଂପୃକ୍ତ
କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ପରେ କନ୍ଧମାଳରେ ଆଡ଼ା ଜମାଇଛି
ସେହିପରି ୨୦୨୪ରେ ୬ ସିପିଆଇ(ମାଓବାଦୀ) କ୍ୟାଡର୍ ନିହତ ହୋଇଥିବା ବେଳେ ୮ ଜଣ ଗିରଫ ଓ ୨୪ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୩ରେ ୩ ଜଣ ସିପିଆଇ (ମାଓବାଦୀ) କ୍ୟାଡର୍ ନିହତ ହୋଇଥିବା ବେଳେ ୧୩ ଜଣ ଗିରଫ ଓ ୫ ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ସମୟରେ ୨୧ ବନ୍ଧୁକ ଓ ୨୫୨ଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ୨୦୨୨ରେ ୭ ଜଣ ନିହତ, ୧୨ ଜଣ ଗିରଫ ଓ ୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ସମୟରେ ୨୯ ବନ୍ଧୁକ ଓ ୮୭ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ୨୦୨୦ରେ ୧୭ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୩୪ ଜଣ ଗିରଫ ଓ ୨୫ ଜଣ ଆତ୍ମସମର୍ପଣ କରିଥିଲେ। ଅପରେସନ୍ ସମୟରେ ୬୦ଟି ବନ୍ଧୁକ ଓ ୬୩ଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ୨୦୧୯ରେ ୮ ଜଣ ନିହତ ହୋଇଥିବା ବେଳେ ୫୦ ଜଣ ଗିରଫ ଓ ୧୩ ଜଣ ଆତ୍ମସମର୍ପଣ କରିଥିଲେ। ଏଥିରେ ୨୧ଟି ବନ୍ଧୁକ ଓ ୩୦ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ୨୦୧୮ରେ ୧୯ ଜଣ ନିହତ ହୋଇଥିଲା ବେଳେ ୩୯ ଜଣ ଗିରଫ ଓ ୨୭ ଜଣ ଆତ୍ମସମର୍ପଣ କରିଥିଲେ। ମାଓବାଦୀ ବିରୋଧୀ ଅଭିଯାନରେ ୪୦ ବନ୍ଧୁକ ଓ ୨୪ଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଚଳିତବର୍ଷ ଓଡ଼ିଶା ପୁଲିସ ସ୍କାନର୍ରେ ଥିବା ମୋଟ ୧୨୦ ମାଓବାଦୀଙ୍କ ମଧ୍ୟରୁ ଛତିଶଗଡ଼ କ୍ୟାଡର୍ର ୧୦୦ ଜଣ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ନଭେମ୍ବର ୧୭ରେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ବଡ଼େଗୋବ୍ରା ଗାଁରେ ଆଇଡି ବିସ୍ଫୋରଣ ହୋଇଥିଲା। ବିଧାନସଭା ନିର୍ବାଚନରେ ମତଦାନ ସରିବା ପରେ ସୁରକ୍ଷା ବାହିନୀ ସହିତ ପୋଲିଂ ଟିମ୍ ଫେରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ଓ ମନୋଜ ସ୍ବତନ୍ତ୍ର ଜୋନାଲ୍ କମିଟି ସଦସ୍ୟ ସତ୍ୟମ ଗାୱାଡ଼େ ସହିତ ମିଶି ଏଭଳି ଷଡ୍ଯନ୍ତ୍ର କରିଥିଲେ। ଏନ୍ଆଇଏ ଏହି ଘଟଣାର ତଦନ୍ତ କରୁଥିବା ବେଳେ ୧୦ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି।