କଟକ : ନିକଟ ଅତୀତରେ ବିଭିନ୍ନ ସ୍ଥାନରେ ଘଟି ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଜଘନ୍ୟ ଅପରାଧ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହୋଟେଲ, ଲଜ୍ ଏବଂ ଗେଷ୍ଟ୍ ହାଉସ୍ରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁରକ୍ଷା ଓ ସତର୍କତା ପାଇଁ ୧୩ଟି ପରାମର୍ଶ କଡ଼ାକଡି ପାଳନ କରିବାକୁ ହୋଟେଲ, ଲଜ୍ ଓ ଗେଷ୍ଟ୍ ହାଉସ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କିତ ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ପୁଲିସ ଜିଲ୍ଲା ଏସ୍ପି, କମିସନରେଟ୍ ପୁଲିସ ଡିସିପି ଏବଂ ରେଳବାଇ ପୁଲିସର ଏସ୍ପିଙ୍କୁ ଦିଆଯାଇଛି।
ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ହୋଟେଲ, ଲଜ୍ ଏବଂ ଗେଷ୍ଟ୍ ହାଉସ୍ ସରାଇ ନିୟମ ଅନୁଯାୟୀ ଜିଲ୍ଲାପାଳ ଅଥବା କମିସନରେଟ୍ ପୁଲିସରେ ରେଜିଷ୍ଟ୍ରିଭୁକ୍ତ ହେବେ ଏବଂ ନିର୍ଦ୍ଦିଷ୍ଟ ଅବଧିରେ ରେଜିଷ୍ଟ୍ରେସନ୍ ନବୀକରଣ କରିବେ। ହୋଟେଲ୍, ଲଜ୍ ଏବଂ ଗେଷ୍ଟ ହାଉସରେ ରହୁଥିବା ବ୍ୟକ୍ତିଙ୍କ ପରିଚୟପତ୍ର ଠିକରେ ଯାଞ୍ଚ କରି ସେମାନଙ୍କୁ ରଖିବେ ଏବଂ କୌଣସି କ୍ଷେତ୍ରରେ ସନ୍ଦେହ ହେଲେ ତୁରନ୍ତ ପୁଲିସକୁ ସୂଚନା ଦେବେ। ମାଲିକମାନେ ପ୍ରବେଶ, ପ୍ରସ୍ଥାନ ଓ କରିଡର ସମେତ ପାର୍କିଂ ଅଞ୍ଚଳରେ ବି ସିସି କ୍ୟାମେରା ଲଗାଇବେ। ପୂର୍ବରୁ ଯଦି ପୁରୁଣା କ୍ୟାମେରା ଲାଗିଥାଏ ତେବେ ତାହାକୁ ଯାଞ୍ଚ କରି ଉନ୍ନତମାନର ଛବି ଆସୁଥିବା କ୍ୟାମେରା ଲଗାଇବେ। ବ୍ୟାଗେଜ୍, ଗାଡ଼ି ସ୍କାନର, ଡିଏଫ୍ଏମ୍ଡି ବ୍ୟବସ୍ଥା ନିଶ୍ଚିତ ଭାବେ ରହିବ। ଯେଉଁଠି ବାର୍ ରହିଛି, ସେଗୁଡିକର ସମୟ ଅନୁସାରେ ନବୀକରଣ କରାଯିବ।
ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟ ପରେ ବାର୍ ବନ୍ଦ ରହିବ। ପ୍ରତ୍ୟେକ ଅନୁଷ୍ଠାନରେ ଆନୁସଙ୍ଗିକ ସୁରକ୍ଷା ଉପକରଣ ଠିକ୍ ଭାବେ ବ୍ୟବସ୍ଥା କରାଯିବ। ସୁରକ୍ଷା ବ୍ୟବସ୍ଥା ଗୁଡିକର ରୀତିମତ ଯାଞ୍ଚ୍ କରାଯିବ। କର୍ମଚାରୀଙ୍କ ତାଲିକା ଥାନାକୁ ଦିଆଯିବ ଏବଂ ସେମାନଙ୍କ ସଂପର୍କିତ ସବିଶେଷ ତଥ୍ୟ ରଖାଯିବ। ହୋଟେଲ୍ ପରିସରରେ ଆବଶ୍ୟକ ପାର୍କିଂ ସ୍ଥାନ ରହିବ। ମ୍ୟାସେଜ୍ ପାର୍ଲର, ସ୍ପା ନାମରେ କୌଣସି ପ୍ରକାର ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ। ପ୍ରତ୍ୟେକ ଦିନ ହୋଟେଲରେ ରହୁଥିବା ବ୍ୟକ୍ତିବିଶେଷଙ୍କ ନାମ ତାଲିକା ଏସ୍ପି ଅଫିସ ଏବଂ ଥାନାକୁ ଇ-ମେଲ୍ ଓ ହାର୍ଡ କପି ଜରିଆରେ ଦିଆଯିବ। ଥାନା ଅଧିକାରୀମାନେ ନିୟମିତ ଏସବୁ ଯାଞ୍ଚ କରିବେ ଏବଂ ନିୟମ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।