ପୁଲିସ ବିଭାଗର ନାବାଳିକା ସୁରକ୍ଷା ଚିନ୍ତା : ସଚେତନ କରିବ ‘ପରୀ ପାଇଁ କଥାଟିଏ’

୩୦ଜିଲ୍ଲାରେ ବୁଲିବ ୧୫ ‘ପରୀ ରଥ’

କଟକ : ଉପାନ୍ତ ଜିଲ୍ଲାରେ ଅସୁରକ୍ଷିତ ହୋଇପଡ଼ିଲେଣି ନାବାଳିକା। ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ନାବାଳିକାଙ୍କ ଇଜ୍ଜତ ଲୁଟି ଚାଲିଛନ୍ତି। ଏଣିକି ସେମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବ। ପୁଲିସ ବିଭାଗ ପକ୍ଷରୁ ରାଜ୍ୟର ଜିଲ୍ଲାଓ୍ଵାରି ବୁଲିବ ସଚେତନା ଗାଡ଼ି ‘ପରୀ ରଥ’। ୧୫ ଦିନ ବ୍ୟାପୀ ରଥ ବୁଲି ଅବିଭାବକ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ। ମାନସିକତାର ପରିବର୍ତ୍ତନ କରିବା ପାଇଁ ପ୍ରତି ଗାଁରେ ସଭା ଆୟୋଜନ ମାଧ୍ୟମରେ ସଚେତନା ସୃଷ୍ଟି କରାଯିବ। ମେ’ ୨୮ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଆଜି ପୁଲିସ ଡିଜି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ଏ ନେଇ ଜିଲ୍ଲା ଏସ୍‌ପି/ଡିସିପିଙ୍କୁ ନେଇ କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଏକ ଭିଡିଓ କନ୍‌ଫରେନ୍‌ସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାବାଳିକାଙ୍କୁ ଦୁଷ୍କର୍ମ ବିରୋଧରେ ଏକ ମହାଅଭିଯାନ ରାଜ୍ୟ ପୁଲିସ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ସହଭାଗିତାରେ ଜିଲ୍ଲା ଓ୍ଵାରି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସେଲ୍‌ ଖୋଲାଯାଇ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ସଚେତନତା କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ କରାଯିବ। ଜିଲ୍ଲା ସ୍ତରରେ ଏସ୍‌ପି ନିଜ ଜିଲ୍ଲାର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏଥିରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସାମିଲ କରିବେ।

ମୁଖ୍ୟତଃ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଳାହାଣ୍ଡି, ଯାଜପୁର, କୋରାପୁଟ ଭଳି ଦୁଷ୍କର୍ମପ୍ରବଣ ଜିଲ୍ଲାଗୁଡ଼ିକୁ ଅଧିକ ନଜରରେ ରଖାଯିବ। ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ବ୍ଲକ ଓ ପଞ୍ଚାୟତ ସ୍ତରରେ ଲୋକମାନଙ୍କ ମଧ୍ୟରେ ନାବାଳିକା ଦୁଷ୍କର୍ମ ବିରୋଧରେ ସଚେତନା ସୃଷ୍ଟି କରିବାକୁ ୧୫ଟି ରଥ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ଦୁଇଟି ଜିଲ୍ଲା ପାଇଁ ଗୋଟିଏ ରଥ କରାଯାଇଛି। ଏହି ରଥର ନାମକରଣ ‘ପରୀ ରଥ’ କରାଯାଇଛି। ସ୍ଳୋଗାନ୍‌ ରହିବ ‘ପରୀ ପାଇଁ କଥାଟିଏ’। ରଥରେ ଲାଗିଥିବା ଏଲ୍‌ଇଡି ଟିଭିରେ ବିଭିନ୍ନ ସଚେତନା ଭିଡିଓ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।

ଏଥିସହିତ ପ୍ରଚାରପତ୍ର, ପୋଷ୍ଟର, ବ୍ୟାନର୍‌ ଇତ୍ୟାଦି ବଣ୍ଟାଯିବ। ରାଜ୍ୟର ପଶ୍ଚିମ ଓଡ଼ିଶା ସମତେ ଅନ୍ୟ ପଡ଼ୋଶୀ ରାଜ୍ୟକୁ ଲାଗିରହିଥିବା ଓଡ଼ିଶାର ହିନ୍ଦୀ ଭାଷାଭାଷୀ ଜିଲ୍ଲାରେ ଆଞ୍ଚଳିକ ଭାଷାକୁ ଆଧାର କରି ପ୍ରଚାର ପତ୍ର ବଣ୍ଟାଯିବ। ଯଦ୍ୱାରା ସ୍ଥାନୀୟ ଲୋକେ ସହଜରେ ବୁଝିପାରିବେ। ଅନ୍ୟପଟେ ଯୁବକମାନଙ୍କ ହାତରେ ରାକ୍ଷୀ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଗାଁରେ ଅବିଭାବକ ଏବଂ ମୁରବି ଶ୍ରେଣୀୟ ଲୋକଙ୍କୁ ନେଇ ଆଲୋଚନା କରାଯିବ। ଏବେ ରାଜ୍ୟରେ ଗ୍ରୀଷ୍ମ ଛୁଟି ଚାଲିଥିବାରୁ ସ୍କୁଲ ଖୋଲିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଓ୍ଵାରି ସଚେତନତା ରଥ ବୁଲିବ। ବୈଠକ ଡକାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ନାବାଳିକାଙ୍କ ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରାଯିବ।

ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଚେତନତା ରଥ ସମ୍ପର୍କରେ ଘୋଷଣା କରିବା ସହିତ ୨୮ ତାରିଖରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହେବ। ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରେ ଏକ ଉଦ୍‌ଯାପନ କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟରେ ବଢ଼ିଚାଲିଥିବା ନାବାଳିକା ଦୁଷ୍କର୍ମକୁ ଦୃଢ଼ ଭାବେ ବିରୋଧ କରିବା ସହିତ ସଚେତନତା ସୃଷ୍ଟି କରିବାକୁ ଯୋଜନା କରାଯାଇଥିବା ଡାକ୍ତର ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର