୧୧ କୋଟିର ଚେର ମିଳିଲା : ଭୁବନେଶ୍ବରରୁ ହିଁ ଆଗ୍ରା ଯାଉଥିଲା ଟଙ୍କା

କେନ୍ଦୁଝରରେ ଇଓଡବ୍ଲ୍ୟୁର ଚଢ଼ଉ, ରାଜେଶଙ୍କୁ ଖୋଜୁଛି ‌ପୁଲିସ୍

ଭୁବନେଶ୍ବର/ କେନ୍ଦୁଝର : ଛତିଶଗଡ଼ ମହାସମୁନ୍ଦ ପୁଲିସ ଜବତ କରିଥିବା ୧୦ କୋଟି ୯୦ ଲକ୍ଷ ଟଙ୍କା କେନ୍ଦୁଝରର ଗୁଟ୍‌ଖା ବ୍ୟବସାୟୀ ରାଜେଶ ଗୁପ୍ତାଙ୍କର ବୋଲି କ୍ରାଇମ ବ୍ରାଞ୍ଚର ଇଓଡବ୍ଲ୍ୟୁ ସୂଚନା ଦେଇଛି। ଏଭଳି ତଥ୍ୟ ପାଇବା ପରେ ଇଓଡବ୍ଲ୍ୟୁର ଏକ ଟିମ୍‌ ଗତ ଦୁଇ ଦିନ ହେବ କେନ୍ଦୁଝରରେ ଡେରା ପକାଇଛି। ତେବେ ରାଜେଶଙ୍କର କୌଣସି ପତ୍ତା ପାଇ ନାହିଁ କ୍ରାଇମ ବ୍ରାଞ୍ଚ। ରାଜେଶଙ୍କ ମୋବାଇଲ୍ ଫୋନ୍ ଟ୍ରାକ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ରାଜେଶଙ୍କର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ମଧ୍ୟ ଏକ ଫ୍ୟାକ୍ଟ୍ରି ରହିଛି। ଜବତ ଟଙ୍କା ମଞ୍ଚେଶ୍ବରରୁ ଆଗ୍ରା ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ଦୁଇ ଦିନ ତଳେ ଇଓଡବ୍ଲ୍ୟୁ ପକ୍ଷରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚଢ଼ଉ କରାଯାଇଥିଲା। କିନ୍ତୁ ଏଠାରେ ରାଜେଶଙ୍କର କୌଣସି ପତ୍ତା ମିଳି ନ ଥିଲା। କ୍ରାଇମ୍‌ ବ୍ରାଞ୍ଚ ରାଜେଶଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତାଙ୍କ କେନ୍ଦୁଝର ଠିକଣା ସମ୍ପର୍କରେ ତଥ୍ୟ ନେଇଥିଲା। ଏହା ପରେ ଶନିବାର ଓ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ କେନ୍ଦୁଝରରେ ଚଢ଼ଉ ଜାରି ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କେଉଁଥି ପାଇଁ ରାଜେଶ ଏତେ ଗୁଡିଏ ଟଙ୍କା ନଗଦ ଆକାରରେ ଆଗ୍ରା ପଠାଉଥିଲେ ତାର ଖୁବଶୀଘ୍ର ତଦନ୍ତ ହେବ। ଏଥିପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ଆଗ୍ରା ଯିବ। ଆବଶ୍ୟକ ହେଲେ କ୍ରାଇମ୍‌ବ୍ରାଞ୍ଚ ଆଗ୍ରାର ବ୍ୟବସାୟୀ ବିବୁଧେଶ ଅଗ୍ରୱାଲଙ୍କୁ ଜେରା କରିବା ପାଇଁ ନୋଟିସ୍‌ ମଧ୍ୟ କରିବ ବୋଲି କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶଥାଉକି, ଚଳିତ ମାସ ୧୯ ତାରିଖରେ ଛତିଶଗଡ଼ର ମହାସମୁଦ ପୁଲିସ ମଧ୍ୟ ପ୍ରଦେଶ ସୀମାରେ ଯାନବାହାନ ଯାଞ୍ଚ କରିବାବେ‌ଳେ ଓଡ଼ିଶାର କଟକରୁ ଯାଉଥିବା ଏକ ଟୋୟଟା କାର୍‌ ଜବତ କରିଥିଲା ଯେଉଁଥିରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଥିଲା। ଏତେ ପରିମା‌ଣର ଟଙ୍କା କେଉଁଠିକୁ ପଠାଯାଉଥିଲା, କିଏ ପଠାଉଥିଲା ତାର ଖୋଳତାଡ଼ ବେଳେ ଜଣାପଡ଼ିଥିଲା କି ଆଗ୍ରାର ବିବୁଧେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଟଙ୍କା ସେହି ଗାଡିରେ ଆଗ୍ରା ଯାଉଥିଲା। ଏହାକୁ ନେବାପାଇଁ ଆଗ୍ରାରୁ ବନବାରୀ, ପ୍ରହ୍ଲାଦ, ମହମ୍ମଦ ଇବ୍ରାହିମ, ନଜମା ନାମକ ଜଣେ ମହିଳା ଓଡ଼ିଶା ଆସିଥିଲେ। ଏହା ପରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚକୁ ନି‌ର୍ଦେଶ ଦେଇଥିଲେ।

କିନ୍ତୁ ଛତିଶଗଡ଼ ପୁଲିସ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ନିର୍ଦେଶ ଦେଇଥିଲା। ଆୟକର ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ବୋଲି ସୂଚନା ଦେଇଛନ୍ତି ଛତିଶଗଡ଼ ଗୁଇନ୍ଦା ବିଭାଗ ଡିଆଇଜି ଅମରେଶ ମିଶ୍ର।

ସମ୍ବନ୍ଧିତ ଖବର