ଏଣିକି ତଦନ୍ତକାରୀ ଅଫିସର ବ୍ୟବହାର କରିବେ ଲାପ୍‌ଟପ୍‌

ସିସିଟିଏନ୍‌ଏସ୍‌ ପ୍ରକଳ୍ପର ସମୀକ୍ଷା କଲେ ଡିଜି

ଷ୍ଟେସନ୍‌ ଡାଇରି ବି ଅନ୍‌ଲାଇନ୍‌ରେ କରାଯିବ

ଭୁବନେଶ୍ୱର : ଏଣିକି ତଦନ୍ତକାରୀ ଅଫିସର ମାମଲା ରୁଜୁ କରିବା ପାଇଁ ଫାଇଲ ବା କାଗଜପତ୍ର ବ୍ୟବହାର କରିବେ ନାହିଁ। ଲାପ୍‌ଟପ୍‌, ଟ୍ୟାବ୍‌ ଓ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ମାମଲା ରୁଜୁ ହେବ। ଏପରିକି ଷ୍ଟେସନ୍‌ ଡାଇରି ମଧ୍ୟ ଅନଲାଇନ୍‌ରେ କରାଯିବ। ସିସିଟିଏନ୍‌ଏସ୍‌ ଯୋଜନାରେ ଏହା ଖୁବ୍‌ ଶୀଘ୍ର ଲାଗୁ କରାଯିବ। ଜାତୀୟ ଇ-ଗଭର୍ଣ୍ଣାସ୍‌ ଅଧୀନରେ ୬୧କୋଟି ଟଙ୍କା ଖର୍ଚ୍ଚ କରି ଅପରାଧ-ଅପରାଧୀ ନେଟଓା୍ଵର୍କ ସିଷ୍ଟମ ବା ସିସିଟିଏନ୍‌ଏସ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପୁଲିସ କର୍ମଚାରୀମାନଙ୍କୁ ମଧ୍ୟ ଗତ ଦୁଇ ବର୍ଷ ହେବ ତାଲିମ ଦିଆଯାଉଛି ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ଆଜି ଡିଜିଙ୍କ କ୍ୟାମ୍ପସ ଅଫିସଠାରେ ପୋଲିସ କମ୍ପୁଟରୀକରଣକୁ ପରିବର୍ତ୍ତୀ ସୋପାନକୁ ନେବା ପାଇଁ ଅନୁଷ୍ଠିତ ବୈଠକରେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରି ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକ ଯେଉଁଭଳି କୋର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି, ଥାନାଗୁଡ଼ିକର କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ କରିବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ବର୍ଷଠାରୁ ଥାନାରେ ବ୍ୟବହାର କରାଯାଉଥିବା ଅନେକ ରେଜିଷ୍ଟରକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେତେ ଶୀଘ୍ର ସମ୍ଭବ ଥାନାରେ ଷ୍ଟେସନ ଡାଇରିକୁ ମଧ୍ୟ କାଗଜ କଲମରେ ନଲେଖି କେବଳ କମ୍ପ୍ୟୁଟର ମାଧ୍ୟମରେ ଲିପିବଦ୍ଧ କରିବାକୁ ଉଦ୍ୟମ କରାଯାଇଛି। ତଦନ୍ତକାରୀ ଅଫିସରମାନେ ଯେଉଁଭଳି ଲାପଟପ,ଟ୍ୟାବ୍‌ ଓ ମୋବାଇଲ ବ୍ୟବହାର କରି ନିଜର କାର୍ଯ୍ୟ କରିପାରିବେ ସେଥିପାଇଁ ବର୍ତ୍ତମାନ ବ୍ୟବସ୍ଥାକୁ ଇଣ୍ଟରନେଟ ମାଧ୍ୟମରେ ସଂଯୋଗୀକରଣ ଆବଶ୍ୟକତା ହେଲାଣି।

ଶ୍ରୀ ଶର୍ମା ଆହୁରି କହିଲେ ଯେ ବର୍ତ୍ତମାନ ବ୍ୟବସ୍ଥାଟି ଇଣ୍ଟରନେଟ୍‌ ମାଧ୍ୟମରେ କାମ କରୁଛି। କିନ୍ତୁ କେତେକ ସ୍ଥାନରେ ସଂଯୋଗୀକରଣ ସମସ୍ୟା ଦେଖାଦେଉଛି। ସିସିଟିଏନ୍‌ଏସର ବ୍ୟବସ୍ଥା କେବଳ ଥାନାରେ ଥିବା କମ୍ପ୍ୟୁଟରରେ ଇଣ୍ଟରନେଟ ମାଧ୍ୟମରେ ଉପଲବ୍ଧ ହେଉଛି, ତେଣୁ ଇଣ୍ଟରନେଟ ସଂଯୋଗୀକରଣ ପାଇଁ ଏ ପ୍ରସ୍ତାବ ବିଚାରଧୀନ ଅଛି। ଏହା ହେଲେ ତଦନନ୍ତକାରୀ ଅଫିସରମାନେ କୌଣସି ସ୍ଥାନକୁ ଲାପଟପରେ ନିଜ କାମ କରିପାରିବେ।

ଆଜିର ବୈଠକରେ ନାଗରିକମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ୧୩ଟି ସେବାକୁ ଅଧିକ ଲୋକପ୍ରିୟ କରିବା ବିଷୟରେ ଆଲୋଚନା ହୋଇଥିଲା। ସ୍ୱଚ୍ଛତା, ବୈଷୟିକ ଜ୍ଞାନର ପ୍ରୟୋଗ ଓ ଦଳଗତ ଭାବନାକୁ ପୁଷ୍ଠଭୂମିକାରେ ରଖି ସରକାରୀ କାମରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ପୁଲିସ ସେବା ପ୍ରଦାନରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ରାଜ୍ୟର ୬୧୨ ଥାନାରୁ ୫୮୯ ଥାନାକୁ ଏହି ସିସିଟିଏନ୍‌ଏସ୍‌ ନେଟଓ୍ଵାର୍କ ଦ୍ୱାରା ସଂଯୋଗ କରାଯାଇଛି ଓ ଏବେ ଥାନା ମାନଙ୍କରେ କମ୍ପ୍ୟୁଟରରେ ଏତଲା ପଞ୍ଜୀକରଣ କରାଯାଉଛି ବୋଲି ଏହି ଅବସରରେ ଡିଜି ଶ୍ରୀ ଶର୍ମା ସୂଚନା ଦେଇଥିଲେ।

ଆଜିର ବୈଠକରେ କାଇମବ୍ରାଞ୍ଚ ଅତିରିକ୍ତ ଡ଼ିଜି ସନ୍ତୋଷ କୁମାର ଉପାଧ୍ୟାୟ, ରାଜ୍ୟ ଅପରାଧ ରେକର୍ଡ଼ ସଂସ୍ଥାର ନିର୍ଦ୍ଦେଶକ ତଥା ଅତିରିକ୍ତ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର