କଟକ: ୨୦୨୩ ସେପ୍ଟେମ୍ବର ୧୬ ତାରିଖରେ କଟକ କମିସନରେଟ୍ ପୁଲିସ କରିଥିଲା ଶେଷ ଏନ୍କାଉଣ୍ଟର। ସେହିବର୍ଷ ମାର୍ଚ୍ଚ ୩ରେ ବି ଗୋଟିଏ ଏନ୍କାଉଣ୍ଟର ହୋଇଥିଲା। ୧୯ ମାସର ବ୍ୟବଧାନ ପରେ କଟକ କମିସନରେଟ୍ ପୁଲିସ ଗତ ୧୬ ତାରିଖ ରାତିରେ କରିଛି ଡବଲ୍ ଏନ୍କାଉଣ୍ଟର। ଯେଉଁ ଢଙ୍ଗରେ ପୁଲିସ ଏହି ଏନ୍କାଉଣ୍ଟର କରିଛି, ତାହାକୁ ନେଇ ସନ୍ଦେହ ବଢୁଛି। ଓଡ଼ିଶା ପୁଲିସ ହଠାତ୍ ନିଜକୁ ଦକ୍ଷ ବୋଲି ପ୍ରମାଣିତ କରିବା ପାଇଁ ଏନ୍କାଉଣ୍ଟର୍କୁ ମାଧ୍ୟମ କରିବା ନେଇ ପ୍ରଶ୍ନ ଉଠୁଛି। ପାଖାପାଖି ଦେଢ଼ବର୍ଷ ହେଲା ପୁଲିସ ଏନ୍କାଉଣ୍ଟର୍ ରାଜ୍ୟରେ ଶୂନ ଥିବା ବେଳେ ହଠାତ ଚେଇଁ ଉଠିବା ଏବଂ ଫେବ୍ରୁଆରି ୧୭ରୁ ଏପ୍ରିଲ ୧୬ ତାରିଖ, ମାତ୍ର ମାସକ ମଧ୍ୟରେ ୧୬ ଜଣ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରିବା ଘଟଣା ରହସ୍ୟମୟ ହେବାରେ ଲାଗିଛି। କଟକ ସମେତ ଭୁବନେଶ୍ବର, ଅନୁଗୁଳ, ରାଉରକେଲା, ସମ୍ବଲପୁର ଓ ଝାରସୁଗୁଡ଼ାରେ ପୁଲିସ ଏଭଳି ଏନ୍କାଉଣ୍ଟର କରିଛି। କିନ୍ତୁ ପୁଲିସ ଏନ୍କାଉଣ୍ଟର ସଂପର୍କରେ ଯାହା ବର୍ଣ୍ଣନା କରୁଛି, ବାସ୍ତବ ଘଟଣା ସହ ତାହା ଅନେକ କ୍ଷେତ୍ରରେ ମେଳ ଖାଉ ନ ଥିବାରୁ ଏଭଳି ଏନ୍କାଉଣ୍ଟର୍ର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁ କାହାଣୀ ସମାନ, ଗୁଳି ବି ବାଜୁଛି ଗୋଡ଼ର ନିର୍ଦ୍ଦିଷ୍ଟ ଜାଗାରେ
ତଥ୍ୟ ଅନୁଯାୟୀ ୨୦୨୩ ମାର୍ଚ୍ଚ ୩ ରେ ରାଣୀହାଟ ଗୋପାଳସାହିର ଶଙ୍କର ଓରଫ୍ ଦୀପକ ନାୟକକୁ ଭୁଆଶୁଣି ପଠାରେ ଏନ୍କାଉଣ୍ଟର୍ କରାଯାଇଥିଲା। ସେହି ବର୍ଷ ସେପ୍ଟେମ୍ବର ୧୬ରେ ମଙ୍ଗୁ ଓରଫ୍ ମନୋଜ ମହାରଣାକୁ କନ୍ଦରପୁର ଥାନା ପୁଲିସ ସଦର ଥାନା କାଜିପାଟଣା ନିକଟରେ ଏନ୍କାଉଣ୍ଟର୍ କରିଥିଲା। କିନ୍ତୁ ୨୦୨୫ରେ ପୁଲିସ ଯେଉଁ ଏନ୍କାଉଣ୍ଟର ଅଭିଯାନ ଆରମ୍ଭ କରିଛି ସେଥିରେ ରହିଛି ଫେବ୍ରୁଆରି ୧୭ରେ ଭୁବନେଶ୍ବର ବାଲିଅନ୍ତା ନିକଟରେ ମଧ୍ୟପ୍ରଦେଶର ଅପରାଧୀ ଅର୍ଜୁନ ଆନାରେ ଏନ୍କାଉଣ୍ଟର୍। ପରକୁ ପର ମାର୍ଚ୍ଚ ୪ରେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାର ଏନ୍କାଉଣ୍ଟର୍, ମାର୍ଚ୍ଚ ୮ ରାତିରେ ଭୁବନେଶ୍ବର ବଡ଼ଗଡ଼ ଥାନା ଅଞ୍ଚଳରେ ବିହାରୀ ଡକାୟତ ଦୀପକ କୁମାର ଏନ୍କାଉଣ୍ଟର୍, ମାର୍ଚ୍ଚ ୧୧ ରାତିରେ ସମ୍ବଲପୁର ପୁଲିସ ପକ୍ଷରୁ ପଶ୍ଚିମବଙ୍ଗ ହାୱଡ଼ାର ଦୁଇ ଗୋରୁ ମାଫିଆ ସେକ୍ ମଣ୍ଟୋ ହକ୍ ଓ ସେକ୍ ଆରିଫକୁ ଏନ୍କାଉଣ୍ଟର, ମାର୍ଚ୍ଚ ୧୨ରେ ରାଉରକେଲା ପୁଲିସର ଦୁର୍ଦ୍ଦାନ୍ତ ବେୟାସ ଲାଖୁଆକୁ ଏନ୍କାଉଣ୍ଟର୍, ଏପ୍ରିଲ ୨ ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡ଼ା ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ କୁମାର ନାୟକ ଓରଫ୍ ଝାମୁକୁ ଏନ୍କାଉଣ୍ଟର୍, ଏପ୍ରିଲ ୪ ସକାଳେ ଦୁଇ ବିହାରୀ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବକୁ ଭୁବନେଶ୍ବର ସହିଦନଗର ଥାନା ବାଙ୍କୁଆଳରେ ଏନ୍କାଉଣ୍ଟର୍, ଏପ୍ରିଲ ୬ରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ଷୀରୋଦ ନାୟକକୁ ଅନୁଗୁଳ ପୁଲିସର ଏନ୍କାଉଣ୍ଟର, ଏପ୍ରିଲ ୧୦ ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଜୟଦେବ ବାଟିକା ଅଞ୍ଚଳରେ ବ୍ରାଉନ୍ସୁଗାର ମାଫିଆ ସେକ୍ ଜାମସେଦକୁ ଏନ୍କାଉଣ୍ଟର୍, ଏପ୍ରିଲ ୧୩ରେ ସମ୍ବଲପୁର ପୁଲିସ ପକ୍ଷରୁ ସୀତାରାମ ଷଡ଼ଙ୍ଗୀକୁ ଏନ୍କାଉଣ୍ଟର୍, ଏପ୍ରିଲ ୧୨ରେ ଝାରସୁଗୁଡ଼ା ପୁଲିସ ଦ୍ବାରା ସେକ ଆସିଫ ଓ ଅଭିଷେକ ବାରିକକୁ ଏନ୍କାଉଣ୍ଟର୍ ଓ ଏପ୍ରିଲ ୧୬ ତାରିଖ ରାତିରେ ଭୁବନେଶ୍ବର ନନ୍ଦନକାନନ ଥାନା ଅଞ୍ଚଳର କଟାସ ଓରଫ୍ ସଂଗ୍ରାମ ଓରଫ୍ ସଂଯୋଗ ରାଉତ ଓ କଟକ ବୟାଳିଶମୌଜାର ଶୁଭ ଓରଫ୍ ଜୁବୁଲା ଓରଫ୍ ଶୁଭ୍ରାଂଶୁ ପରିଡ଼ାକୁ କଟକ ପୁଲିସର ଏନ୍କାଉଣ୍ଟର୍ ଘଟଣା। ରାଜ୍ୟରେ ଅପରାଧ, ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ଭୟ ସୃଷ୍ଟି କରିବାକୁ ପୁଲିସ ଏଭଳି ଏନ୍କାଉଣ୍ଟର କରୁଛି ନା ନିଜର ପାରିବାପଣିଆ ସାବ୍ୟସ୍ତ କରିବାକୁ ଏହି ଅଭିଯାନ ଆରମ୍ଭ କରିଛି, ତାହା ଏବେ ବଡ଼ ପ୍ରଶ୍ନ। ଏସବୁ ଏନ୍କାଉଣ୍ଟର୍ କରିଥିବା ପୁଲିସ ଅଧିକାରୀଙ୍କ ଗୁଳିଚାଳନା ବିଶେଷ କରି ଗୋଡ଼ର ନିର୍ଦ୍ଦିଷ୍ଟ ସ୍ଥାନରେ ଗୁଳି ଫୁଟାଇବାର ଦକ୍ଷତା ବି ଆଲୋଚ୍ୟ ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/20/PnFZeBxl0TeTPJ3pMRGE.jpg)