ରଥଯାତ୍ରା ରଣନୀତି ଚୂଡ଼ାନ୍ତ କଲା ପୁଲିସ

ପ୍ରଥମଥର ଏନ୍‌ଏସ୍‌ଜି ନିୟୋଜିତ ହେବେ, ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଉପରେ ଉଡ଼ି ପାରିବନି ଡ୍ରୋନ୍‌, ହେଲିକପ୍ଟର, ମୁତୟନ ହେବେ ୧୫୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଆଜି ଅପରାହ୍‌ଣରେ ଜାତୀୟ ସ୍ତରୀୟ ସୁରକ୍ଷା ଏଜେନ୍ସି ଅଧିକାରୀମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ବେଳେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ, ତା’ର ମୁକାବିଲା ଓ ତଟ ସୁରକ୍ଷା ନେଇ ଓଡ଼ିଶା ପୁଲିସର ରଣନୀତି ସଂପର୍କ‌ରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ଶେଷରେ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ।

ଶ୍ରୀ ଶର୍ମା କହିଥିଲେ, ଚଳିତ ବର୍ଷ ରଥଯାତ୍ରା ବେଳେ ପ୍ରଥମଥର ଲାଗି ଏନଏସଜି କମାଣ୍ଡୋମାନଙ୍କୁ ମୁତୟନ କରାଯିବ। ଏନଏସଜିର ନିକଟତମ ହବ୍‌ ହାଇଦ୍ରାବାଦ ଓ କୋଲକାତାରେ ଏହି କମାଣ୍ଡୋମାନେ ରଥଯାତ୍ରାର ପୂର୍ବ ଦିନରୁ ୪୮ଘଣ୍ଟା ପାଇଁ ପ୍ରସ୍ତୁତ ରହିବେ। ଆବଶ୍ୟକ ପଡ଼ିଲେ, ଏନ୍‌ଏସଜିର ଗୋଟିଏ ୟୁନିଟକୁ ପୁରୀରେ ମୁତୟନ କରାଯିବାକୁ ଆଲୋଚନା ଚାଲିଛି।

ଡିଜି କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ହେବ।ସିଆରପିଏଫର ଦୁଇ ପ୍ଲାଟୁନ୍‌ ରାପିଡ ଆକ୍ସନ ଫୋର୍ସ ରଥଯାତ୍ରା ସମୟରେ ନିୟୋଜିତ ରହିବେ। ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ଶ୍ରୀ ମନ୍ଦିର ଉପରେ ହେଲିକପ୍ଟର ଉଡ଼ି ପାରିବନି। ସେହିପରି କେହି ଡ୍ରୋନ୍‌ କ୍ୟାମେରାରେ ଭିଡିଓ ସୁଟିଂ ମଧ୍ୟ କରିପାରିବେ ନାହିଁ।

ସମୁଦ୍ର ବାଟେ ଆତଙ୍କବାଦୀ ପ୍ରବେଶ କରି ରଥଯାତ୍ରା ବେଳେ ଅଘଟଣ ଘଟାଇବା ଆଶଙ୍କାକୁ ପୁଲିସ ଏଡ଼ାଇ ଯାଇନାହିଁ। ରଥଯାତ୍ରାର କିଛି ଦିନ ପୂର୍ବରୁ ନୌସେନା ଓ କୋଷ୍ଟଗାର୍ଡର ଅଧିକାରୀମାନେ ପୁରୀ ସମେତ ଓଡ଼ିଶାର କେତେକ ପ୍ରମୁଖ ତଟ ନିକଟରେ ଅହରହ ପଇଁତରା ମାରିବେ। ସମୁଦ୍ରରେ ଯେ କୌଣସି ସନ୍ଦିଗ୍ଧଙ୍କୁ ଦେଖି‌ବେ, ତୁରନ୍ତ ଅଟକ ରଖି ମେରାଇନ୍‌ ପୁଲିସକୁ ହସ୍ତାନ୍ତର କରିବେ। ମେରାଇନ୍‌ ପୁଲିସ ସେମାନଙ୍କୁ ସହଯୋଗ କରିବ। ଏଥିପାଇଁ କେତେକ ବ୍ଲାକସ୍ପଟ ଚିହ୍ନଟ ହୋଇଛି।

ଡାକ୍ତର ଶର୍ମା କହିଥିଲେ, ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ରରେ ସ୍ନାନ ମଧ୍ୟ କରିବାର ମଜା ଉଠାଇବେ। ବିଗତ ବର୍ଷଗୁଡ଼ିକରେ ସମୁଦ୍ରରେ ସ୍ନାନ କରିବା ବେଳେ ଅଘଟଣ ଘଟିଥିବାର ନଜିର ରହିଛି। ଚଳିତ ବର୍ଷ ଏଭଳି ଅଘଟଣକୁ ରୋକିବା ଲାଗି ସମୁଦ୍ର ତଟରେ ବହୁ ସଂଖ୍ୟାରେ ଲାଇଫ ଗାର୍ଡ ମୁତୟନ କରାଯିବ। ଏହି ଲାଇଫ ଗାର୍ଡମାନଙ୍କ ମଧ୍ୟରେ ନୌସେନା, କୋଷ୍ଟଗାର୍ଡ, ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ, ମେରାଇନ୍‌ ପୁଲିସ ରହିଛନ୍ତି।

ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ପୁରୀ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଯେଉଁ କ୍ଷତ ଏଯାଏ ପୂରାପୂରି ଭରଣା ହୋଇପାରିନାହିଁ। ଏବେ ବି ଅନେକ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ରଥଯାତ୍ରା ପାଇଁ ପୁରୀ ସହରକୁ ତ୍ବରିତ ବେଗରେ ସଜାଡ଼ିବାକୁ ଏନଡିଆରଏଫ ୩ଟି ଟିମକୁ ପୁଣି ଥରେ ପୁରୀ ଅଣାଯାଉଛି। ପୁରୀ ସହର ବଡ଼ଦାଣ୍ଡରେ ଲାଗିଥିବା ସିସି କ୍ୟାମେରା ନଷ୍ଟ ହୋଇଯାଇଛି। ଏନଡିଆରଏଫ ଟିମ୍‌ ପହଞ୍ଚିବା ପରେ ସିସି କ୍ୟାମେରା ଲଗାଯିବା କାମ ମଧ୍ୟ ତ୍ବରିତ ବେଗରେ ଆରମ୍ଭ କରାଯିବ।

ରଥଯାତ୍ରା ପାଇଁ ପୁରୀ ଆସୁଥିବା ସମସ୍ତ ଜାତୀୟ ସୁରକ୍ଷା ଏଜେନ୍ସିଙ୍କ ପାଇଁ ଗୋଟିଏ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବ। ଫଳରେ ସମସ୍ତ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟ ସୂଚନା ଆଦାନ ପ୍ରଦାନ ତତ୍କାଳ ହୋଇପାରିବ।

ରେଳଯାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ବ ସଂପୂର୍ଣ୍ଣ ଭାବେ ଆରପିଏଫର ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସେମାନଙ୍କୁ ଜିଆରପି ଓ ସ୍ଥାନୀୟ ପୁଲିସ ସହଯୋଗ କରିବେ।

ରଥଯାତ୍ରା ପାଇଁ ସମୁଦାୟ ୧୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଟ୍ରାଫିକଠାରୁ ଆରମ୍ଭ କରି, ସୁରକ୍ଷା, ଫୋର୍ସ ଭଳି ସମସ୍ତ ପ୍ରମୁଖ ଦାୟିତ୍ବର ମୁଖ୍ୟ ଭାବେ ଜଣେ ଏଡିଜି ରୢାଙ୍କର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଟ୍ରାଫିକ ପରିଚାଳନା ଦାୟିତ୍ବ କମିସନରେଟ୍‌ ଓ ପୁରୀ ପୁଲିସ କରିବ।

ବୈଠକରେ ନୌସେନା, କୋଷ୍ଟଗାର୍ଡ, ଏୟାରଟ୍ରାଫିକ, ଏନ୍‌ଡିଆରଏଫ, ଆରପିଏଫ, ସିଆରପିଏଫ, ବିଏସଏଫ, ଏନ୍‌ଏସଜି, ସ୍ପେସାଲ ଇଣ୍ଟେଲିଜେନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର