‘ମରିବୁ ପଛେ ଇଞ୍ଚେ ଜମି ଛାଡ଼ିବୁ ନାହିଁ’: ସର୍ବ ଦଳୀୟ ନେତାଙ୍କ ସ୍ଲୋଗାନ୍‌ରେ କମ୍ପିଲା କୋଟିଆ; ଫସର ଫାଟିଲା ଆନ୍ଧ୍ର ଯୋଜନା

କୋରାପୁଟ: ‘ମରିବୁ ପଛେ କୋଟିଆର ଇଞ୍ଚେ ଜମି ଛାଡ଼ିବୁ ନାହିଁ’। ଏହି ସ୍ଲୋଗାନ୍‌ରେ ଆଜି କମ୍ପି ଉଠିଛି କୋଟିଆ। କୋଟିଆ ସୀମାନ୍ତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢୁଛି ତିକ୍ତତା। କୋଟିଆ ଭିତରକୁ ବାରମ୍ବାର ଆନ୍ଧ୍ରପ୍ରଦେଶ ଅଧିକାରୀ ଓ ନେତା ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତି କରୁଥିବା ବେଳେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ରାଜନୈତିକ ଦଳ  ସୀମାନ୍ତରେ ପହଞ୍ଚିଛନ୍ତି। ତେବେ ପରିସ୍ଥିତିକୁ ନିୟନ୍ତ୍ରିତ ରଖିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ବେଳେ ଆସି ନଥିଲେ ଆନ୍ଧ୍ର ଅଧିକାରୀ ଅଥବା ସାଲୁରୁ ବିଧାୟକ।

ଆନ୍ଧ୍ର ସରକାରଙ୍କ ଷଡଯନ୍ତ୍ର ପୁଣି ଫେଲ ମାରିଛି। ଆଜି କୋଟିଆକୁ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଥିଲା। ସାଲୁର ବିଧାୟକ ବିଡ଼ିକା ରାଜନ ଦୋରାଙ୍କ ସହିତ ଆନ୍ଧ୍ର ସରକାରଙ୍କ ପ୍ରସାସନିକ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ଓଡ଼ିଶା ସୀମାନ୍ତ କୋଟିଆରେ ସର୍ବ ଦଳୀୟ ନେତା ଏକାଠି ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ରାଜନ ଦୋରା  କ୍ଷମତା ପ୍ରଦର୍ଶନ ପାଇଁ ବିଜୟନଗର ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ବାସିନ୍ଦାଙ୍କ ସହିତ କୋଟିଆରେ ପ୍ରବେଶ କରି ସରକାରୀ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରିଥିଲେ। ଏହି ଖବର ପାଇ କୋରାପୁଟ ଜିଲ୍ଲାର ସମସ୍ତ ରାଜନୈତକ ଦଳ ଏକାଠି ହୋଇ କୋଟିଆର ସୀମାନ୍ତ ଫାଟୁ ସିନେରୀରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରବଳ ବିରୋଧ କରିଛନ୍ତି। କୋଟିଆ ପାଇଁ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଏକାଠି ବୋଲି କହିଛନ୍ତି।

କୋଟିଆ ପାଇଁ ସର୍ବଦଳୀୟ କମିଟିର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବିଶୃଙ୍ଖଳାକୁ ଆଖି ଆଗରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତାରେ ବାରିକେଡ଼ କରାଯାଇ ରାସ୍ତା ସିଲ କରାଯାଇଥିଲା। ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ବେଳେ ୧୧ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ରହିଥିଲେ। ଏହାରି ଭିତରେ ଫାଟୁସିନେରୀ ଗାଁରେ ସ୍କୁଲ ପିଲାଙ୍କ ପାଇଁ ବଣ୍ଟା ହେବା ପାଇଁ ଆସୁଥିବା ଆନ୍ଧ୍ରର ବହି, ପୋଷାକ ଓ ଜଙ୍ଗଲ ଜମି ପଟାକୁ ଜବତ କରିଛି ପଟାଙ୍ଗୀ ଥାନା ପୁଲିସ। ତେବେ ସୀମାନ୍ତରେ ଶାନ୍ତି ବଜାୟ ରଖିବା ସହିତ ଆଇନଗତ ପ୍ରକ୍ରିୟାରେ ସମାଧାନ ପାଇଁ ନିବେଦନ କରିଛନ୍ତି କୋରାପୁଟ ଜିଲ୍ଲାପାଳ।

ସମ୍ବନ୍ଧିତ ଖବର