ଭୁବନେଶ୍ବର: ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ଏଥି ପାଇଁ ସାରା ଦେଶର ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ଠିକ୍ ଏହି ସମୟରେ ଓଡ଼ିଶାର ରାଜନୀତି ମଧ୍ୟ ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବିଜେପି ରାଜ୍ୟ ସଭାପତି ସମସ୍ତେ ଦିଲ୍ଲୀମୁହାଁ ହୋଇଛନ୍ତି। ଫଳରେ ଓଡ଼ିଶାକୁ ନେଇ ଦିଲ୍ଲୀରେ କିଛି ବଡ଼ ଯୋଜନା ଚାଲିଛି କି ବୋଲି ଚର୍ଚ୍ଚା ଜୋର୍ ଧରିଛି। କିନ୍ତୁ ଉଭୟ ଦଳର ବରିଷ୍ଠ ନେତାମାନେ ଏ ନେଇ ମୁହଁ ଖୋଲୁ ନାହାନ୍ତି। ମୋଟ୍ ଉପରେ ସଂଖ୍ୟା ଗଣିତକୁ ଦେଖିଲେ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜିତିବାରେ ଅସୁବିଧା ନାହିଁ। ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍ଡିଏ ପ୍ରାର୍ଥୀ ଭୋଟ୍ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନ୍ଡିଏ ପ୍ରାର୍ଥୀଙ୍କୁ ଜିତିବା ପାଇଁ ବିଜେଡିର ସମର୍ଥନ ସେତେଟା ଗୁରୁତ୍ବ ରଖୁନି। ତା’ ସତ୍ତ୍ବେ ଏନ୍ଡିଏ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଛି। ଅଧିକ ସଂଖ୍ୟାରେ ଭୋଟ୍ରେ ଏନ୍ଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ରାଷ୍ଟ୍ରୀୟ ନେତୃତ୍ବ ଲାଗି ପଡ଼ିଛନ୍ତି। ସେହି ଦୃଷ୍ଟିରୁ ବିଜେଡି କି ଭୂମିକା ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଏ ଯାଏଁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇନି। ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଯାଉଛନ୍ତି ବୋଲି ନବୀନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିମାନବନ୍ଦରରେ କହିଥିଲେ। ତେବେ ଦଳର ଆଭିମୁଖ୍ୟ ସମ୍ପର୍କରେ କିଛି କହି ନଥିଲେ।
ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଅଧିକ ଚର୍ଚ୍ଚା ହେବାର ଆଉ ଏକ କାରଣ ରହିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ସେହି ସମୟରେ ଦିଲ୍ଲୀ ଡକରା ହୋଇଛି। ଶ୍ରୀ ସାମଲ ଗତକାଲିଠାରୁ ଦିଲ୍ଲୀ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଦିଲ୍ଲୀ ଯିବେ। ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଦିଲ୍ଲୀ ଗସ୍ତରେ ଯାଇ ବହୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ହଠାତ କ’ଣ ଜରୁରୀ ପରିସ୍ଥିତି ପଡ଼ିଲା ଯେ ତାଙ୍କୁ ପୁଣି ଦିଲ୍ଲୀ ଯିବାକୁ ପଡ଼ିଲା, ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ତାଙ୍କର କୌଣସି ସରକାରୀ କାର୍ଯ୍ୟକ୍ରମ ବି ସ୍ଥିର ହୋଇନି। ଫଳରେ ରାଜ୍ୟ ରାଜନୀତିରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଯାଇଛି। ଅତୀତରେ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଏନ୍ଡିଏକୁ ବିଜେଡି ଅଯାଚିତ ସମର୍ଥନ ଦେଇ ଆସିଛି। ସବୁବେଳେ ବିଜେଡି ସଭାପତି ସମଦୂରତ୍ବ କଥା କହୁଥିଲେ ବି ବାସ୍ତବରେ ବିଜେପିକୁ ହିଁ ସମର୍ଥନ ଦେଇ ଆସିଛନ୍ତି। କିନ୍ତୁ ଏବେ ରାଜ୍ୟ ରାଜନୀତି କଡ଼ ଲେଉଟାଇଛି। ବିଜେଡି ଆଉ କ୍ଷମତାରେ ନାହିଁ।
ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବିଜେଡି
ୱକଫ୍ ବିଲ୍ ବେଳେ ବିଜେଡି ନିଜ ସାଂସଦଙ୍କ ବିବେକ ଉପରେ ଭୋଟିଂକୁ ଛାଡ଼ି ଦେଇ ସମାଲୋଚିତ ହୋଇଥିଲା। ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରିବାକୁ ଦଳୀୟ ନେତାମାନେ ମତ ଦେଉଛନ୍ତି। ଯଦି ବିଜେଡି ସମର୍ଥନ ଦେବ, ତେବେ ବିଜେଡିର ଏବେ ବି ଭିତିରି ବୁଝାମଣା ରହିଛି ବୋଲି ବାର୍ତ୍ତା ଯିବ। ଫଳରେ ଦଳକୁ ପୁଣି ବହୁମୂଲ୍ୟ ଦେବାକୁ ପଡ଼ିବ। ପୁଣି ବିରୋଧୀ ଦଳ ପ୍ରାର୍ଥୀଙ୍କୁ ସମର୍ଥନ କଲେ କେନ୍ଦ୍ର ସରକାରଙ୍କ ରୋଷର ଶିକାର ହେବାର ଆଶଙ୍କା ରହିଛି। ଯଦି ବିଜେଡି ଭୋଟ୍ଦାନରୁ ବିରତ ରହେ, ତେବେ ଜାତୀୟ ରାଜନୀତିରେ ଦଳ ଆହୁରି ଅପ୍ରାସଙ୍ଗିକ ହୋଇପଡ଼ିବ। ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ଦଳ ରହିଛି। ଗତକାଲି ନବୀନ ନିବାସରେ ପିଏସି ବୈଠକ ବସିଥିଲେ ବି ସେଥିରେ ନିଷ୍ପତ୍ତି ହୋଇପାରିନି। ଆସନ୍ତାକାଲି ଦଳୀୟ ସାଂସଦମାନଙ୍କ ସହ ନବୀନ ବୈଠକ କରିବେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ଭେଟିବେ ବୋଲି ଚର୍ଚ୍ଚା ହେଉଥିଲେ ବି ଏ ନେଇ ଠୋସ୍ ସୂଚନା ମିଳିପାରି ନାହିଁ।
ଆଉ ଏକ ମହଲରେ କୁହାଯାଉଛି ଯେ ଏନ୍ଡିଏ ପ୍ରାର୍ଥୀଙ୍କୁ ନବୀନ ସମର୍ଥନ କରିବାର ସମ୍ଭାବନା ଅଧିକ। କାରଣ ରାଜ୍ୟରେ ବିଜେପି ସରକାର ଆସିଥିଲେ ବି ବିଜେଡି ବିରୋଧରେ ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରୁଛନ୍ତି। ନିର୍ବାଚନ ପ୍ରଚାର ବେଳେ ତତ୍କାଳୀନ ବିଜେଡି ସରକାର ବିରୋଧରେ ବହୁ ଆରୋପ ଲଗାଯାଇଥିଲେ ମଧ୍ୟ ସେ ଦିଗରେ ବିଜେପି ସରକାର କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରୁନାହାନ୍ତି। ଏଥି ପାଇଁ ସରକାର ସମାଲୋଚିତ ହେଉଥିଲେ ହେଁ ନିର୍ବିକାର ରହୁଛନ୍ତି। ତେଣୁ ବିଜେପିକୁ ଅସନ୍ତୁଷ୍ଟ କରିବାକୁ ନବୀନ ନ ଚାହିଁବା ସ୍ବାଭାବିକ। ସେହି ଦୃଷ୍ଟିରୁ ନିଜ ଦଳ ସମାଲୋଚିତ ହେଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ନବୀନ ସମର୍ଥନ କରିପାରନ୍ତି।