ଭୁବନେଶ୍ବର: ବିଜେପି ସରକାର ଗଠନ କରିବାକୁ ବହୁମତ ପାଇସାରିଛି। କେବଳ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ବାକି ଅଛି। ନୂଆ ସରକାର ଗଢ଼ିବାକୁ ଯାଉଥିବା ଏହି ଦଳର ୭୦ ପ୍ରତିଶତ ବିଧାୟକ ସମ୍ପୂର୍ଣ୍ଣ ନୂଆ। ଅର୍ଥାତ ୭୮ ବିଧାୟକଙ୍କ ମଧ୍ୟରୁ ୫୪ ଜଣ ପ୍ରଥମ ଥର ପାଇଁ ବିଧାନସଭାରେ ପ୍ରବେଶ କରିବେ। ସେମାନଙ୍କୁ ନେଇ ଦଳ ବିଧାନସଭାରେ ଏକ ଶକ୍ତିଶାଳୀ ବିରୋଧୀ ଦଳକୁ ସାମ୍ନା କରିବ। ବିଜେପିର ୨୪ ଜଣ ନବନିର୍ବାଚିତ ବିଧାୟକ ପୂର୍ବରୁ ବିଭିନ୍ନ ସମୟରେ ବିଧାନସଭାକୁ ନିର୍ବାଚିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଅନ୍ୟ ଦଳରୁ ନିର୍ବାଚିତ ହୋଇଥିଲେ। ଘଟଣାକ୍ରମେ ସେମାନେ ବିଜେପିରେ ମିଶି ପୁଣି ଏଥର ବିଧାୟକ ଭାବେ ଜିତିଛନ୍ତି। ତେବେ ପ୍ରଥମ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୫୪ ବିଧାୟକଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ସୁରେଶ ପୂଜାରୀ ଓ ସିଦ୍ଧାନ୍ତ ମହାପାତ୍ର। ଶ୍ରୀ ପୂଜାରୀ ବିଜେପି ଟିକେଟରେ ଥରେ ଓ ଶ୍ରୀ ମହାପାତ୍ର ବିଜେଡି ଟିକେଟରେ ଦୁଇ ଥର ଲୋକସଭାକୁ ପ୍ରତିନିଧିତ୍ବ କରିସାରିଛନ୍ତି।
୧୦ ବିଧାୟକଙ୍କ ବିଜୟ ବ୍ୟବଧାନ ୩୦ ହଜାର ଉପରେ
ନୂଆ ବିଧାୟକମାନଙ୍କ ପ୍ରଦର୍ଶନ ଉତ୍ସାହଜନକ
ସର୍ବାଧିକ ଭୋଟ୍ ପାଇଛନ୍ତି ଦୁର୍ଗାପ୍ରସନ୍ନ
ସବୁ ସଂସଦୀୟ କ୍ଷେତ୍ରରେ ଉପସ୍ଥିତି ଜାହିର କଲା ବିଜେପି
ଏହି ନିର୍ବାଚନର ଆଉ ଏକ ରୋଚକ ତଥ୍ୟ ହେଉଛି ଯେ ଦଳର ୧୦ ଜଣ ବିଧାୟକ ୩୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଛନ୍ତି। ସେମାନେ ହେଲେ ଭଦ୍ରକର ସୀତାଂଶୁ ଶେଖର ମହାପାତ୍ର, ପାଟନାର ଅଖିଳ ଚନ୍ଦ୍ର ନାଏକ, ବଡ଼ସାହିର ସନାତନ ବିଜୁଳି, ବାଙ୍ଗିରୀପୋଷିର ସଞ୍ଜଳି ମୁର୍ମୁ, ଯଶୀପୁରର ଗଣେଶରାମ ସିଂହ ଖୁଣ୍ଟିଆ, ମହାକାଳପଡ଼ାର ଦୁର୍ଗାପ୍ରସନ୍ନ ନାୟକ, ମୋରଡ଼ାର କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡାର ରବିନାରାୟଣ ନାଏକ, ପର୍ଜଙ୍ଗର ବିଭୂତି ଭୂଷଣ ପ୍ରଧାନ ଓ କବିସୂର୍ଯ୍ୟନଗରର ପ୍ରତାପ ଚନ୍ଦ୍ର ନାୟକ। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏଥର ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇଥିବାର ରେକର୍ଡ ମହାକାଳପଡ଼ାର ଦୁର୍ଗାପ୍ରସନ୍ନ ନାୟକଙ୍କ ନାମରେ ହୋଇଛି। ସେ ୧ ଲକ୍ଷ ୯ ହଜାର ୬୫୩ ଭୋଟ୍ ପାଇଛନ୍ତି। ବିଜେଡିର ବେଶ୍ ପ୍ରଭାବଶାଳୀ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସେ ଏକମାତ୍ର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏକ ଲକ୍ଷ ଉପରେ ଭୋଟ୍ ପାଇଥିବା ବିଜେପିର ଅନ୍ୟ ବିଜୟୀ ପ୍ରାର୍ଥୀମାନେ ହେଲେ ଭଟ୍ଲିର ଇରାଶିଷ ଆଚାର୍ଯ୍ୟ, ଢେଙ୍କାନାଳର କୃଷ୍ଣଚନ୍ଦ୍ର ପାତ୍ର ଓ ପର୍ଜଙ୍ଗର ବିଭୂତି ଭୂଷଣ ପ୍ରଧାନ। ଏମାନଙ୍କ ବାଦ୍ ବିଜେଡିର ଦୁଇ ଜଣ ବିଜୟୀ ପ୍ରାର୍ଥୀ ଏକ ଲକ୍ଷ ଉପରେ ଭୋଟ୍ ପାଇଛନ୍ତି। ସେମାନେ ହେଲେ ବରୀର ବିଶ୍ବରଞ୍ଜନ ମଲ୍ଲିକ ଓ ଚମ୍ପୁଆର ସନାତନ ମହାକୁଡ଼।
ବିଜେପିର ନୂଆ ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ ଦଳ ବହୁ ବରିଷ୍ଠ ନେତାଙ୍କୁ ଧରାଶାୟୀ କରିଛନ୍ତି। ସେମାନଙ୍କ ସାଂଗଠନିକ ଦକ୍ଷତାକୁ ନେଇ ଦଳ କିପରି ଆଗକୁ ବଢ଼ୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ଯେହେତୁ ବିଜେପି ରାଜ୍ୟରେ ସରକାରକୁ ଆସିଛି, ତେଣୁ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଆଶା ବଢ଼ିବା ସ୍ବାଭାବିକ। ଏହି ନୂଆ ବିଧାୟକମାନେ କିପରି ନିଜ ଅଞ୍ଚଳରେ କାମ କରୁଛନ୍ତି ଓ କିପରି ବିଧାନସଭାରେ ପ୍ରଦର୍ଶନ କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ। ଏହି ବିଧାୟକଙ୍କ ପ୍ରଦର୍ଶନ ଉପରେ ରାଜ୍ୟରେ ଦଳର ଭବିଷ୍ୟତ ନିର୍ଭର କରୁଛି। ଗତ ଥର ୧୦ଟି ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ବିଜେପି ଆଦୌ ଖାତା ଖୋଲିପାରି ନଥିଲା। ସେଗୁଡ଼ିକ ହେଲା କୋରାପୁଟ, ଆସ୍କା, କନ୍ଧମାଳ, ବରଗଡ଼, ଢେଙ୍କାନାଳ, କଟକ, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର। କିନ୍ତୁ ଏଥର ସବୁ ସଂସଦୀୟ କ୍ଷେତ୍ରରେ ବିଜେପି ତା’ର ଉପସ୍ଥିତି ଜାହିର କରିଛି। ଉପକୂଳର ବିଜେଡି ଗଡ଼ରେ ବିଜେପି ଧସେଇ ପଶିଛି। ବିଜେପି ହାରିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ଶାସକ ଦଳର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଛି।