ଓଡ଼ିଶା ପଲିଟେକ୍ନିକ୍ ରୢାଙ୍କ୍ ପ୍ରକାଶ: ଶୀର୍ଷରେ କିଟ୍ ପଲିଟେକ୍ନିକ୍
ତାଲିକାରେ ୧୦୨ ପଲିଟେକ୍ନିକ୍ ସାମିଲ, ଶ୍ରେଷ୍ଠ ୧୦ ସ୍ଥାନରେ ୫ ଘରୋଇ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର: ପ୍ରଥମ ଥର ଲାଗି ରାଜ୍ୟର ସରକାରୀ ଓ ଘରୋଇ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ରାଜ୍ୟସ୍ତରୀୟ ରୢାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ କିଟ୍ ପଲିଟେକ୍ନିକ୍ ବାଜି ମାରି ନେଇଛି। ଶିକ୍ଷା, ଭିତ୍ତିଭୂମି, ଶିକ୍ଷକ-ଛାତ୍ର ଅନୁପାତ ପରି ୭ଟି ପଦ୍ଧତିକୁ ନେଇ କରାଯାଇଥିବା ଏହି ରୢାଙ୍କିଙ୍ଗ୍ରେ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ଶ୍ରେଷ୍ଠ ୧୦ ସ୍ଥାନରେ ଉଭୟ ବର୍ଗର ୫ଟି ଲେଖାଏ ଶିକ୍ଷାନୁଷ୍ଠାନ ରହିଛନ୍ତି। ମୋଟ ୧୦୦ ମାର୍କରୁ କିଟ୍ ପଲିଟେକ୍ନିକ୍ ୭୨.୭୮% ହାସଲ କରି ପ୍ରଥମ ହୋଇଥିବା ବେଳେ ଯାଜପୁର ପଲିଟେକ୍ନିକ୍ ୬୭.୫୦% ହାସଲ କରି ଦ୍ବିତୀୟ ଓ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଫର୍ ଏଜୁକେସନ ଆଣ୍ତ ଟେକ୍ନୋଲୋଜି ୬୪.୬୦% ମାର୍କ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ(ସରକାରୀ), ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ(ସରକାରୀ), ଡ୍ରିମ୍ସ ପଲିଟେକ୍ନିକ୍(ଘରୋଇ), ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂ(ଘରୋଇ), ଏସ୍କେଡିଏଭି ସରକାରୀ ପଲିଟେକ୍ନିକ୍, ଡିଭାଇନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଘରୋଇ), ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ(ସରକାରୀ) କଲେଜ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି।
ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ମୁଖ୍ୟଅତିଥି ଭାବେ ଯୋଗଦେଇ ରୢାଙ୍କିଙ୍ଗ୍ ପୁସ୍ତିକାକୁ ଉନ୍ମୋଚନ କରି କହିଲେ, ଓଡ଼ିଶାର ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନଗୁଡ଼ିକର ଡିପ୍ଲୋମା ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ମାନ ବୃଦ୍ଧି ପାଇଁ ରୢାଙ୍କିଙ୍ଗ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଥର ଲାଗି ରାଜ୍ୟସ୍ତରରେ ରୢାଙ୍କିଙ୍ଗ୍ ପ୍ରଦାନ ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାରଙ୍କ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆର ସହଯୋଗରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରୢାଙ୍କିଙ୍ଗ୍ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ ଏକ ମାଇଲଖୁଣ୍ଟ ହେବ। ଏକାଧିକ ମୂଲ୍ୟାଙ୍କନ ପଦ୍ଧତି ଅବଲମ୍ବନ କରାଯାଇ ରାଜ୍ୟର ସମସ୍ତ ୧୦୨ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନର ରୢାଙ୍କିଙ୍ଗ୍ ସ୍ଥିର ହୋଇଛି। ରୢାଙ୍କିଙ୍ଗ୍ ବ୍ୟବସ୍ଥା ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ। ଆଗାମୀ ବର୍ଷରେ ପଲିଟେକ୍ନିକ୍ର ପରିବେଶକୁ ମଧ୍ୟ ମୂଲ୍ୟାଙ୍କନରେ ସାମିଲ କରାଯିବ। କାଉନସେଲିଂ ସମୟରେ ନିଷ୍ପତ୍ତି ନେବା ପାଇଁ ଏହି ରୢାଙ୍କିଙ୍ଗ୍ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ସାହାୟତା କରିବ ବୋଲି ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ପଲିଟେକ୍ନିକ୍ ରୢାଙ୍କିଙ୍ଗ୍ର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଛନ୍ତି। ରୢାଙ୍କ୍ ନିର୍ଣ୍ଣୟ ପାଇଁ ୭ଟି ପଦ୍ଧତିକୁ ନିଆଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି ଯୋଗଦେଇ ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ଅଭିଯୋଗ ଗ୍ରହଣ ଏବଂ ଚୂଡ଼ାନ୍ତ ସ୍ତରରେ ପହଞ୍ଚିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ କ୍ୟୁସିଆଇର ସେକ୍ରେଟାରି ଜେନେରାଲ ଆର ପି ସିଂହ, ବିଭାଗର ଅତିରିକ୍ତ ସଚିବ ତପନ କୁମାର ଶତପଥୀ, ଯୁଗ୍ମ ସଚିବ ରୋଜିନା ଦାସ ଓ ଏସସିଟିଇଭିଟି ସଚିବ ଏସ୍ କେ ମିଶ୍ର ଉପସ୍ଥିତ ଥିଲେ।
କିଟ୍ ପଲିଟେକ୍ନିକ୍ ସମସ୍ତ ସରକାରୀ ଓ ଘରୋଇ ପଲିଟେକ୍ନିକ୍ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଥିବାରୁ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। କିଟ୍ ପଲିଟେକ୍ନିକ୍ ଏକ ବେସରକାରୀ ଅନୁଷ୍ଠାନ ହୋଇଥିବା ସତ୍ତ୍ୱେ ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ଅନୁଷ୍ଠାନକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିପାରିଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିଛନ୍ତି। କିଟ୍ ପଲିଟେକ୍ନିକର ଅଧ୍ୟକ୍ଷ ତନ୍ମୟ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା କେବଳ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଚଳିତବର୍ଷ କିଟ୍ ପଲିଟେକ୍ନିକ୍କୁ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ ୪୦ରୁ ଊର୍ଦ୍ଧ୍ୱ କମ୍ପାନି ଆସିଥିବା ବେଳେ ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ନିଯୁକ୍ତି ସୁଯୋଗ ମିଳିଛି।