ଏମିତି ଏକ ମେଡିକାଲ କଲେଜ ଓ ହସ୍ପିଟାଲ ଯେଉଁଠି ମହମବତି ଓ ମୋବାଇଲ ଫୋନ୍‌ର ଫ୍ଲାସ୍‌ ଲାଇଟ୍‌ ଆଲୋକରେ ହୁଏ ରୋଗୀଙ୍କର ଅସ୍ତ୍ରୋପଚାର!

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ସରକାରୀ ଡାକ୍ତରଖାନାରେ ଉତ୍କଟ ବିଜୁଳି ଅବ୍ୟବସ୍ଥା କାରଣରୁ ଡାକ୍ତରମାନେ ମହମବତି ଓ ଫ୍ଲାସ୍‌ ଲାଇଟ୍‌ ଆଲୋକରେ ରୋଗୀମାନଙ୍କର ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୟୂରଭଞ୍ଜ ଜିଲ୍ଲାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ, ଦୁର୍ଭାଗ୍ୟର ବିଷୟ ଏହି ଡାକ୍ତରଖାନାରେ କୌଣସି ପ୍ରକାରର ବିଦ୍ୟୁତ ଟ୍ରନ୍ସଫରମର ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ। ଫଳରେ ଏହି ଡାକ୍ତରଖାନାରେ ଅନେକ ସମୟରେ ବିଜୁଳି ନଥାଏ। ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦକ୍ଷିଣ ରଞ୍ଜନ ଟୁଡ଼ୁ କହିଛନ୍ତି ଯେ ଏହି ଡାକ୍ତରଖାନାର ବିଦ୍ୟୁତ ସମସ୍ୟା ଅତ୍ୟନ୍ତ ଉତ୍କଟ। ମୁଁ ପ୍ରତିଦିନ ପ୍ରାୟ ୧୮୦ରୁ ୨୦୦ ରୋଗୀଙ୍କୁ ବିନା ବିଜୁଳି ଆଲୋକରେ ଦେଖିଥାଏ। ତେବେ, ଯେତେବେଳେ କୌଣସି ଗୁରୁତର ରୋଗୀ ଡାକ୍ତରଖାନାକୁ ଆସିଥାନ୍ତି ଓ ତାଙ୍କର ଅସ୍ତ୍ରୋପଚାର ନିହାତି ଆବଶ୍ୟକ ଥାଏ, ସେ କ୍ଷେତ୍ରରେ ଆମକୁ ମହମବତି ଓ ମୋବାଇଲ ଫୋନ୍‌ର ଫ୍ଲାସ୍‌ ଲାଇଟ୍‌ ଆଲୋକରେ ରୋଗୀମାନଙ୍କର ଅସ୍ତ୍ରୋପଚାର କରିବା ପାଇଁ ପଡ଼ିଥାଏ। ଏପ୍ରକାରର କାର୍ଯ୍ୟ ବିପଦଜନକ ହୋଇଥିବା ଜାଣି ସୁଦ୍ଧା ଆମକୁ ପରିସ୍ଥିତି ଏପରି କରିବାକୁ ବାଧ୍ୟ କରିଥାଏ; କାରଣ ଆମ ନିକଟରେ ଅନ୍ୟ କୌଣସି ପ୍ରକାରର ବିକଳ୍ପ ନଥାଏ।

ଏସଂପର୍କରେ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅନେକ ଥର ଜଣା ଯାଇଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ ନକରି ନିଦାବିଷ୍ଣୁ ସାଜି ବସିଥିବା ଅଭିଯୋଗ କରିଛନ୍ତି ଡାକ୍ତର ମୁର୍ମୁ। ସଂପ୍ରତି ସ୍ୱାସ୍ଥ୍ୟ ସେବା ଓ ରୋଗୀ ସେବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଡିଣ୍ଡିମ ପିଟୁଥିବା ବେଳେ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏ ଅବସ୍ଥା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ।

ସମ୍ବନ୍ଧିତ ଖବର