ଶକ୍ତି କ୍ଷେତ୍ରରେ ଅଂଶୀଦାରଙ୍କ ବୈଠକ : ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ତାଲିମ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର : ନ୍ୟାସନାଲ ପାୱାର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ବା ଏନ୍‌ପିଟିଆଇ ପକ୍ଷରୁ ଆଜି ହୋଟେଲ ମେ’ ଫେୟାରରେ ଶକ୍ତି କ୍ଷେତ୍ରରେ ଥିବା ଅଂଶୀଦାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍‌ପିଟିଆଇର ମହାନିର୍ଦେଶକ ପ୍ରଫେସର ରାଜେନ୍ଦ୍ର କୁମାର ପ‌ାଣ୍ଡେଙ୍କ ସଭାପତିତ୍ବରେ ଏହି ବୈଠକ ଆରମ୍ଭ ହୋଇଥିଲା।

ଏଥିରେ ଓପିଟିସିଏଲର ସିଏମ୍‌ଡି ହେମନ୍ତ ଶର୍ମା କହିଲେ, ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ କରି‌ବା ଜରୁରି। ବିତରଣ କ୍ଷେତ୍ରଟି ଘରୋଇ କମ୍ପାନି ହାତରେ ରହିଥିବାରୁ ସେସବୁ ସଂସ୍ଥା ଦ୍ବାରା ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ତେଣୁ ସେମାନେ କାର୍ଯ୍ୟରେ ଯୋଗଦେବା ସମୟରେ କୌଣସି ପ୍ରକାର ତାଲିମ୍‌ ନେଇ ନ ଥାନ୍ତି। ଏଭଳି କ୍ଷେତ୍ରରେ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଆଉଟସୋର୍ସିଂ ସଂସ୍ଥା ଅତିକମ୍‌ରେ ୧୫ ଦିନ କିମ୍ବା ୧ମାସ ତାଲିମ କାର୍ଯ୍ୟକ୍ରମ କରିବା ଉଚିତ୍। ଯେଉଁମାନେ ଏହି ତାଲିମ୍ କାର୍ଯ୍ୟକ୍ରମରେ ସଫଳ ହେବେ, ସେମାନଙ୍କୁ କମ୍ପାନି ତରଫରୁ ନିଯୁକ୍ତି ଦିଆଯିବା ଆବଶ୍ୟକ। ଫଳରେ ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଧିକ ଜ୍ଞାନ ହାସଲ କରିପାରିବେ। ଏଥିପାଇଁ ଏକ ମଡ୍ୟୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଓପିଟିସିଏଲରେ ୨୪ଟି ଜିଏମ୍‌ ପଦ ରହିଥିବା ବେଳେ ପ୍ରତିବର୍ଷ ୭/୮ଜଣ ଏହି ପଦକୁ ଆସୁଛନ୍ତି। ଏଭଳି କ୍ଷେତ୍ରରେ ପଦୋନ୍ନତି ପାଉଥିବା କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ତାଲିମ୍ ପ୍ରଦାନ କରାଯିବା ଜରୁରି। ଏହାସହ ଶକ୍ତି କ୍ଷେତ୍ରର ବୈଷୟିକ ଓ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ରିଫ୍ରେସର କୋର୍ସ ପ୍ରଦାନ କରିବାର ସମୟ ମଧ୍ୟ ଆସିଛି। ରାସ୍ତା ଓ ବିଲ୍ଡିଂ କ୍ଷେତ୍ରରେ ଯେତିକି ପରିବର୍ତନ ହେଉନାହିଁ, ଶକ୍ତି କ୍ଷେତ୍ରରେ ପ୍ରତିବର୍ଷ ନୂତନ ଜ୍ଞାନକୌଶଳ ଆସୁଛି। ତେଣୁ ନୂତନ ଜ୍ଞାନ କୌଶଳ ସହ କର୍ମଚାରୀମାନଙ୍କୁ ପରିଚିତ କରିବା ପାଇଁ ତାଲିମର ଆବଶ୍ୟକତା ରହିଛି। ତେଣୁ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଏନ୍‌ପିଟିଆଇ ଆଗେଇ ଆସୁ ବୋଲି ଶ୍ରୀ ଶର୍ମା କହିଥିଲେ।

ଓଇଆରସିର ଅଧ୍ୟକ୍ଷ ୟୁ.ଏନ୍ ବେହେରା କହିଲେ, ମାନସ ସମ୍ବଳର ବିକାଶ ପାଇଁ ତାଲିମ ଗୁରୁତ୍ବପୂର୍ଣ୍ଣ। ପରିଚଳନା କ୍ଷେତ୍ରରେ କୌଣସି ଶିକ୍ଷାନୁଷ୍ଠାନ ତାଲିମ ପ୍ରଦାନ କରୁନାହାନ୍ତି। ତେଣୁ ଏନ୍‌ପିଟିଆଇ ତାଲିମ ପ୍ରଦାନ କରିବା ପାଇଁ ଆଗେଇ ଆସୁ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ପିଟିଆଇ ପୂବାଞ୍ଚଳର ନିର୍ଦେଶକ ଏସ୍‌.କେ ଶ୍ରୀବାସ୍ତବ, ଉପ-ନିର୍ଦେଶିକା ଏ.ଇନ୍ଦିରା, ମୋତିଲାଲ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଓଇଆରସି, ଓଏଚ୍‌ପିସି, ଓପିଟିସିଏଲ, ଗ୍ରିଡକୋ, ଓପିଜିସି, ସେସୁ, ଆରଇସି, ବେଦାନ୍ତ, ଜିନ୍ଦଲ ଓ ପିଜିସିଆଇଏଲର କର୍ମକର୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର