ଭୁବନେଶ୍ବର : ରାଜ୍ୟରେ ଏବେ କ୍ଷମତା ପରିବର୍ତନର ପବନ ବୋହୁଛି। ରାଜ୍ୟରେ ନାରୀ ନିର୍ଯାତନା, ବେକାରି ସମସ୍ୟା, ଚାଷୀ ଆତ୍ମହତ୍ୟା, ଶ୍ରମିକଙ୍କୁ ସର୍ବନିମ୍ନ ମଜୁରିରୁ ବଞ୍ଚିତ କରିବା ଭଳି ଗୁରୁତର ପ୍ରସଙ୍ଗ ଚଳିତ ନିର୍ବାଚନରେ ପ୍ରମୁଖ ସ୍ଥାନରେ ରହିବ। ତେଣୁ ‘ଓଡ଼ିଶା ପ୍ରଗତି ଦଳ’ ଏହାର ବିକଳ୍ପ ଭାବେ ଉଭା ହେବ। ତେଣୁ ଶାସକ ବିଜେଡି, ବିଜେପି ଓ କଂଗ୍ରେସ ଭଳି ଦୁର୍ନୀତିଗ୍ରସ୍ତ ଦଳକୁ ବାଦ୍ ଦେଇ ଅନ୍ୟ ସମଭାବାପନ୍ନ ଦଳ ଚାହିଁଲେ ଓଡ଼ିଶା ପ୍ରଗତି ଦଳ ସହଯୋଗ କରିବ ବୋଲି କହିଛନ୍ତି ରାଜ୍ୟ ସଭାପତି ସଦାଶିବ ସେଠୀ।

Advertisment

ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଲେ, ନୀତିହୀନ ରାଜନୀତି, କୁଶାସନ ଯୋଗୁଁ ରାଜ୍ୟ ଚରମ ଦୁର୍ଦ୍ଦଶା ଭିତରେ ଗତି କରୁଛି। ଦଳିତ ଆଦିବାସୀ ପଛୁଆବର୍ଗ ଓ ଦୁର୍ବଳ ଶ୍ରେଣୀଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ପୁଞ୍ଜିବାଦରେ ବିଶ୍ବାସ କରୁଥିବା ଅପାରଗ ବିଜେପି ସରକାର ଦୁର୍ନୀତିରେ ଫସିଥିବା ବେଳେ ରାଜ୍ୟ କଂଗ୍ରେସ ମଧ୍ୟ ଜନସାଧାରଣଙ୍କ ଆସ୍ଥା ଫେରି ପାଇବାରେ ବିଫଳ ହୋଇଛି। ତେଣୁ ଓଡ଼ିଶା ପ୍ରଗତି ଦଳ ଯଦି ରାଜ୍ୟରେ ସରକାରକୁ ଆସେ ତେବେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ନୃସିଂହ ନାଥ ନନ୍ଦ, ଲିଙ୍ଗରାଜ ଦାସ, ଶ୍ରୀହରି ପଟ୍ଟନାୟକ, ମିର୍ଜା ମେହେରାଜ ବାଗ, ମଞ୍ଜୁଲତା ନାୟକ, ତୁଲେଶ୍ବରୀ ସୁଚେନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।