ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ସମୟରେ ନୂତନ ପେନସନ୍‌ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ। ଉତ୍କଳ ସାମ୍ବାଦିକ ଭବନଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାଙ୍କ କହିଛନ୍ତି ଯେ ୨୦୧୭ ନଭେମ୍ବର ୮ରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଟଙ୍କା ଗ୍ରେଡ୍‌ ପେ’ ହିସାବରେ ୨୦୧୬ ଜାନୁଆରି ୧ରୁ ପ୍ରଦାନ ଓ ୬ ବର୍ଷର ଶିକ୍ଷା ସହାୟକ କାର୍ଯ୍ୟକାଳକୁ ସରକାରୀ ଚାକିରିରେ ଗଣନା କରିବା ଦାବିରେ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା। ନଭେମ୍ବର ୧୩ରୁ ଆଜି ପର୍ଯ୍ୟନ୍ତ ବିଭାଗୀୟ କମିଟି, ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକ ବାରମ୍ବାର ବସୁଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍‌ ପେ’ ବୃଦ୍ଧି ସମ୍ପର୍କିତ ନିର୍ଦେଶନାମା ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ଏଲିମେଣ୍ଟାରି କ୍ୟାଡର ରୁଲ୍‌ରେ ସଂଶୋଧନ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାପରେ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେବେ ବୋଲି କହୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବିଧିବଦ୍ଧ ନିର୍ଦେଶନାମା ଜାରି କରୁନାହାନ୍ତି। ଜାଣିଣୁଣି ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି ବୋଲି ସଂଘ ଅଭିଯୋଗ କରିଛି।

ଅନ୍ୟ ବିଭାଗ ଅଧୀନରେ ଥିବା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ମାଟ୍ରିକ୍‌ ଓ ସିଟି ଯୋଗ୍ୟତା ଥିବା ଶିକ୍ଷକଙ୍କୁ ୨୦୧୫ରୁ ୨୮୦୦ ଟଙ୍କା ଗ୍ରେଡ୍‌ ପେ’ ହିସାବରେ ଦରମା ଦେବା ପାଇଁ ନିର୍ଦେଶନାମା ବାହାରିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଯୁକ୍ତ୨ ଓ ସିଟି ଯୋଗ୍ୟତାପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କୁ ୨୨୦୦ ଟଙ୍କା ଗ୍ରେଡ୍‌ ପେ’ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସଂଘ ପ୍ରଶ୍ନ କରିଛି। ବିଭାଗର ଏଭଳି କାଳକ୍ଷେପଣ ନୀତି ପ୍ରତିବାଦରେ ଆସନ୍ତା ଏପ୍ରିଲ ୧୧ ତାରିଖଠାରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଆସି ସେମାନଙ୍କ ବିଧାୟକଙ୍କୁ ଭେଟି ଦାବି ବିଷୟରେ ଅବଗତ କରାଇବେ। ଯଦି ଦାବି ପୂରଣ ନ ହୁଏ ତେବେ ବିଧାନସଭା ସମୟରେ ଭୁବନେଶ୍ୱରରେ ଶିକ୍ଷକଙ୍କ ସମାବେଶ ଆୟୋଜିତ ହେବ ବୋଲି ସଂଘ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ, ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟାକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର