ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରମୁଖ ବିମାନ ଚଳାଚଳ ଏବଂ ପରିବହନ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀ ରାଜପୁତ ଉତ୍କେଲା ବିମାନବନ୍ଦର, ଜୟପୁର ବିମାନବନ୍ଦର ସମେତ ନବରଙ୍ଗପୁର ଓ ଭବାନୀପାଟଣାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଉତ୍କେଲା ବିମାନବନ୍ଦରରେ ସେ ବିମାନ ଚଳାଚଳ ପାଇଁ ପ୍ରସ୍ତୁତି, ଯାତ୍ରୀଙ୍କ ପାଇଁ ଥିବା ସୁବିଧା ଏବଂ ରନ୍-ୱେ ସଂପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। କେବିକେ ଅଞ୍ଚଳରେ ଆକାଶପଥ ରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି।
ସେହିପରି ଜୟପୁର ବିମାନବନ୍ଦର ଗସ୍ତ କରି ଶ୍ରୀ ରାଜପୁତ ସେଠାକାର ଭିତ୍ତିଭୂମି ବିକାଶ, ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସେବାର ତଦାରଖ କରିବା ସହ ସ୍ଥାନୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସାଧାରଣ ଲୋକଙ୍କୁ ଶସ୍ତା ଏବଂ ନିର୍ଭରଯୋଗ୍ୟ ବିମାନ ସେବା ଯୋଗାଇ ଦେବା ପାଇଁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ସେବା ବ୍ୟତୀତ ସଡ଼କ ପରିବହନରେ ସଂସ୍କାର ଆଣିବା ଲକ୍ଷ୍ୟରେ ପ୍ରମୁଖ ଶାସନ ସଚିବ ଭବାନୀପାଟଣାସ୍ଥିତ ଓଏସ୍ଆର୍ଟିସି ଡିପୋ ଓ ବସଷ୍ଟାଣ୍ଡ ସମେତ ନବରଙ୍ଗପୁରରେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧାର ସମୀକ୍ଷା କରିଥିଲେ। ବସଷ୍ଟାଣ୍ଡଗୁଡ଼ିକରେ ସ୍ୱଚ୍ଛତା, ଡିଜିଟାଲ୍ ଟିକେଟିଂ ଓ ବସ ଚଳାଚଳର ସଠିକ୍ ସମୟାନୁବର୍ତ୍ତିତା ସୁନିଶ୍ଚିତ କରିବା ସହ ଦୂରଦୂରାନ୍ତ ଓ ଆଭ୍ୟନ୍ତରୀଣ ଅଞ୍ଚଳ ରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ବିଶେଷ ରୂପେ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: FIDE Master: ଫିଡେ ମାଷ୍ଟର୍ ଟାଇଟଲ୍ ଜିତିଲେ ଓଡ଼ିଆ ପୁଅ ହର୍ଷିତ
ଅନ୍ୟପଟେ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ରାଜସ୍ୱ ଆଦାୟ ସ୍ଥିତିର ଅନୁଧ୍ୟାନ କରିବା ସହ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଡିଜିଟାଲ୍ ପ୍ରଣାଳୀର ବ୍ୟାପକ ଉପଯୋଗ ଓ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସେ କହିଛନ୍ତି। ରାଜ୍ୟରେ ଉଭୟ ବିମାନ ଏବଂ ସଡ଼କ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରି ଶ୍ରୀ ରାଜପୁତ କହିଛନ୍ତି ଯେ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ହିଁ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ ଓ ଜନସାଧାରଣଙ୍କ ପାଇଁ ସବୁ ପ୍ରକାର ସେବାକୁ ସହଜ କରିବ। ଏହି ଗସ୍ତ ସମୟରେ ତାଙ୍କ ସହ ବିଭାଗର ବରିଷ୍ଠ ପଦାଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/15/whatsapp-image-2026-02-15-19-17-30.jpeg)