ସର୍ବନିମ୍ନ ମଜୁରି ୨୮୦ ଟଙ୍କା ହେବ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୨ କୋଟି ଶ୍ରମିକଙ୍କ ପାଇଁ ଖୁସି ଖବର। ସେମାନଙ୍କର ସର୍ବନିମ୍ନ ମଜୁରି ବୃଦ୍ଧି ପାଇବ। ଜଣେ ଅଣକୁଶଳୀ ଶ୍ରମିକ ସର୍ବନିମ୍ନ ମଜୁରି ୨୦୦ ଟଙ୍କାରୁ ୨୮୦ ଟଙ୍କାକୁ ବୃଦ୍ଧି ପାଇବ। ସେହିପରି ଅର୍ଧକୁଶଳୀ, କୁଶଳୀ ଓ ଅତିକୁଶଳୀ ଶ୍ରମିକ ସର୍ବନିମ୍ନ ମଜୁରି ମଧ୍ୟ ବଢିବ। ଏ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବୃଦ୍ଧି ପ୍ରସ୍ତାବ ସଂପର୍କରେ ଆଗାମୀ ଦୁଇ ମାସ ଭିତରେ ସର୍ବସାଧାରଣଙ୍କଠାରୁ ଆପତ୍ତି ଅଭିଯୋଗ ଆହ୍ଵାନ କରାଯାଇଛି। ଯଦି ଏହି ସର୍ବନିମ୍ନ ମଜୁରି ବୃଦ୍ଧି ପ୍ରସ୍ତାବ ବିରୋଧରେ କୌଣସି ଆପତ୍ତି ଅଭିଯୋଗ ନ ମିଳେ, ଏହାକୁ ରାଜ୍ୟରେ ଲାଗୁ କରାଯିବ।

ଗତ ୩ ତାରିଖରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏହି ବିଜ୍ଞପ୍ତି ପ୍ରକାଶ କରିଛି। ବର୍ତମାନ ଜଣେ ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୨୦୦ ଟଙ୍କା ରହିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏଥିରେ ୪୦ ପ୍ରତିଶତ ବୃଦ୍ଧି ଘଟିବ।

ଅର୍ଥାତ୍‌ ୨୮୦ ଟଙ୍କାକୁ ଏହା ବୃଦ୍ଧି ପାଇବ। ଅର୍ଧକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ହେଉଛି ୨୨୦ ଟଙ୍କା। ଏହା ୪୫ ପ୍ରତିଶତ ବୃଦ୍ଧି ପାଇ ୩୨୦ ଟଙ୍କା ହେବ। ଏବେ କୁଶଳୀ ଶ୍ରମିକ ପାଉଛନ୍ତି ୨୬୦ ଟଙ୍କା। ଏହି ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୫୪ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ଏହା ୩୭୦ ଟଙ୍କାକୁ ବୃଦ୍ଧି ପାଇବ। ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୬୫ ପ୍ରତିଶତ ବୃଦ୍ଧି ପାଇବ। ଏହା ୨୬୦ ଟଙ୍କାରୁ ୪୩୦ ଟଙ୍କାକୁ ବୃଦ୍ଧି ପାଇବ। ଏହଛଡ଼ା, ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତା ପ୍ରଦାନ ଏହି ନିଯୁକ୍ତିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଥିବା ବିଭାଗୀୟ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର