ତ୍ରୁଟି ସୁଧାରିଲା ଓପିଏସ୍‌ସି : ସୋସିଓଲୋଜି ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ୧୬କୁ ଘୁଞ୍ଚିଲା

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସୋସିଓଲୋଜି ଅଧ୍ୟାପକ ପଦବି ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ସମୟ ପରିବର୍ତ୍ତନ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରି ପ୍ରମାଣପତ୍ର ଯାଞ୍ଚ ସମୟ ଧାର୍ଯ୍ୟ କରିବା ଘଟଣାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଗତକାଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ଏହାକୁ ପ୍ରାର୍ଥୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ସୂଚନା ଅନୁଯାୟୀ ବିଭିନ୍ନ ମହାବିଦ୍ୟାଳୟରେ ଓଇଏସ୍‌ ଗ୍ରୁପ୍‌ ଏ’ ପାହ୍ୟାର ସୋସିଓଲୋଜି ଅଧ୍ୟାପକ ପଦବି ପାଇଁ ନିଯୁକ୍ତି ଆଶାୟୀଙ୍କ ପ୍ରମାଣପତ୍ର ଯାଞ୍ଚ ୧୬ ତାରିଖ ସକାଳ ସାଢେ ୧୦ରୁ ଯାଞ୍ଚ ଆରମ୍ଭ ହେବ। ଆଜି ଓପିଏସ୍‌ସି ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗଲା ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲାବେଳେ ଗୁରୁବାର ପ୍ରମାଣପତ୍ର ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ଡକାଯାଇଥିଲା। ହେଲେ ଏତେ କମ୍‌ ସମୟ ଦିଆଯାଇଥିବାରୁ ଦୂର ସ୍ଥାନରେ ରହୁଥିବା ପ୍ରାର୍ଥୀ ଏହା ବିଷୟରେ ଜାଣି ପାରି ନଥିଲେ। ଏତେ କମ୍‌ ସମୟ ମଧ୍ୟରେ କଟକ ଆସିବା ସମ୍ଭବ ହୋଇନଥିବାରୁ ଅନେକ ପ୍ରାର୍ଥୀ ଗତକାଲି ପ୍ରମାଣପତ୍ର ଯାଞ୍ଚ କରାଇ ପାରିନଥିଲେ। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ଓପିଏସ୍‌ସି ପକ୍ଷରୁ ତାରିଖ ବଦଳାଯାଇଛି। ତେବେ ସାକ୍ଷାତକାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ୧୮ ତାରିଖରେ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର