ଓଡ଼ିଶା ‌ଲୋକସେବା ଆୟୋଗର ବିଚିତ୍ର ପରୀକ୍ଷା ନୀତି: ଫଳ ପ୍ରକାଶ ପାଇନି, ପୁଣି ପରୀକ୍ଷା

ଆଇଏଏସ୍‌ ଇଣ୍ଟରଭ୍ୟୁ ସମୟରେ ଓଏଏସ୍‌ ପ୍ରିଲିମ

କଟକ : ଓଡ଼ିଶା ଲୋକ ‌ସେବା ଆୟୋଗ( ଓପିଏସ୍‌ସି)ର ବିଚିତ୍ର ପରୀକ୍ଷା ନୀତିକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଓସିଏସ( ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷା ପରିଚାଳନାର ବିଭ୍ରାଟ ଯୋଗୁଁ ଏଭଳି ଅସନ୍ତୋଷ ଦେଖାଦେଇଛି। ଓପିଏସସି ୨୦୧୯ ଓସିଏସ୍‌ ପରୀକ୍ଷାର ଚୂଡାନ୍ତ ପ୍ରକ୍ରିୟା ‌ବା ମେଧା ତାଲିକା ଏଯାଏ ପ୍ରକାଶ କରି ପାରି ନଥିବା ବେଳେ ଏବେ ୨୦୨୦ ବର୍ଷ ପାଇଁ ପରୀକ୍ଷା କରିବାକୁ ଯାଉଛି।

ଆସନ୍ତା ଅଗଷ୍ଟ ୨୭ ତାରିଖରୁ ୨୦୨୦ ଓସିଏସ ପରୀକ୍ଷାର ପ୍ରିଲିମନାରି ପରୀକ୍ଷା ହେବାକୁ ଯାଉଛି। ଅନ୍ୟପଟେ ଅଗଷ୍ଟ ୨ରୁ ସେପ୍ଟମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୟୁପିଏସସି ପରୀକ୍ଷାର ସାକ୍ଷାତକାର( ଭାଇଭା) ଚାଲିଥିବା ବେଳେ ଓପିଏସସି ସେହି ସମୟ ମଧ୍ୟରେ ଅର୍ଥାତ ଅଗଷ୍ଟ ୨୭ ତାରିଖରେ ପ୍ରିଲିମନାରି ପରୀକ୍ଷା କରୁଥିବାରୁ ତାହାକୁ ନେଇ ଆଶାୟୀ ରଜତ କୁମାର ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏଭଳି କରିବା ଦ୍ବାରା ସର୍ବଭାରତୀୟ ଆଇଏଏସ ପରୀକ୍ଷାରେ ଓଡ଼ିଆଙ୍କ ସଂଖ୍ୟା କମିବା ସ୍ବଭାବିକ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏଭଳି ଅଦୂରଦୃଷ୍ଟି ପରୀକ୍ଷା ପରିଚାଳନା ପାଇଁ ଓଡ଼ିଆ ଆଶାୟୀଙ୍କ ସୁଯୋଗକୁ ସଙ୍କୁଚିତ କରାଯାଉଛି। ଏହାଦ୍ବାରା ଉଭୟ ଓଡ଼ିଶା ପ୍ରଶାସନିକ ସେବା ଓ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଆଶାୟୀଙ୍କ ସୁଯୋଗ ସୀମିତ ହୋଇଯାଇଛି।

ଓସିଏସ( ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷା ପାଇଁ ୨୦୧୯ ନ‌ଭେମ୍ବର ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୫୩ଟି ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇ ପ୍ରିଲିମ ପରୀକ୍ଷା କରାଯାଇଥିଲା। ପ୍ରିଲିମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀମାନେ ମେନ ପରୀକ୍ଷା ଦେଇଥିଲେ। ମାତ୍ର ମେନ୍ ପରୀକ୍ଷାର ଫଳାଫଳ ଏଯାଏ ପ୍ରକାଶ ପାଇନାହିଁ। ୨୦୧୯ରେ ମେନ ପରୀକ୍ଷା ଦେଇଥିବା ଶହ ଶହ ଆଶାୟୀ ପରୀକ୍ଷାଫଳକୁ ଅପେକ୍ଷା କରି କରି ବସିଥିବା ବେଳେ ଏବେ ପୁଣି ୨୦୨୦ର ବିଜ୍ଞପ୍ତି ପାଇଁ ପରୀକ୍ଷା ଦେବେ। ଓପିଏସସି ଗତ ୩୧.୧୨.୨୦୨୦ରେ ୩୯୨ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମ‌ାନେ ଏଥିପାଇଁ ଆବେଦନ ମଧ୍ୟ କରିଛନ୍ତି। ୨୦୨୦ ପରୀକ୍ଷାର ପ୍ରିଲିମ ପରୀକ୍ଷା ଆସନ୍ତା ଅଗଷ୍ଟ ୨୭ ତାରିଖକୁ ଧାର୍ଯ୍ୟ କରାଯାଇଛି। ୨୦୧୯ ପରୀକ୍ଷାଫଳ ଏଯାଏ ବାହର ନ କରିବା ଘଟଣାକୁ ନେଇ ଜଣେ ଆଶାୟୀ ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।

ସମ୍ବନ୍ଧିତ ଖବର