ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌-କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷାପବନ ଲାଗିରହିଛି। ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି। କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିଥିଲା। ତେବେ ବାତ୍ୟା ସଂକ୍ରାନ୍ତରେ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ପୂର୍ବରୁ ଯାହା ସବୁ ଆକଳନ କରିଥିଲେ ସେହି ଅନୁଯାୟୀ ହୋଇନାହିଁ। 

Advertisment

ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’
ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ କିମି
ପାହାଡ଼ ଧସିଲା, ଗଜପତିରେ ସର୍ବାଧିକ ପ୍ରଭାବ

ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଗତିପଥ ବଦଳିଯିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ।  ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି। ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ‘ମୋନ୍ଥା’ ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଭୋର୍‌ ସମୟରେ ଦକ୍ଷିଣ ଓଡ଼ିଶା ପାଖ ଦେଇ ଛତିଶଗଡ଼ମୁହାଁ ହେବ ବୋଲି ଜଣାପଡ଼ିଛି। ରାତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି। ୨୯ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର କୋପ ଓଡ଼ିଶା ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବୁଧବାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାପରେ ଧୀରେ ଧୀରେ ପବନର ବେଗ ହ୍ରାସ ପାଇବ। ୨୯ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ, କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗୋପାଳପୁର ବନ୍ଦରରେ ତିନି ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଏବଂ ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଓ ଚାନ୍ଦବାଲି ବନ୍ଦରରେ ଦୁଇ ନମ୍ବର ଦୂରବର୍ତ୍ତୀ ସତର୍କତା‌ ସଙ୍କେତ ଜାରି ହୋଇଛି। 

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ସକାଳେ ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଥିବା ‘ମୋନ୍ଥା’ ଅପରାହ୍ଣ ବେଳକୁ ହଠାତ୍‌ ମନ୍ଥର ହୋଇଯାଇଥିଲା। ଭୀଷଣ ବାତ୍ୟା ରୂପ ନେବା ପରେ ସମୁଦ୍ରରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ‌ବେଗରେ ପବନ ହୋଇଥିଲା। ସ୍ଥଳବିଶେଷରେ ପବନର ବେଗ ୧୧୦ କିମି ଛୁଇଁଥିଲା। ଲ୍ୟାଣ୍ଡଫଲ୍‌ ପରେ ‘ମୋନ୍ଥା’ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି। ଘରଦ୍ବାର ଭାଙ୍ଗିବା ସହ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ମାଡ଼ରେ କାକିନାଡ଼ା ଓ ଉପପଡ଼ା ବେଳାଭୂମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ୭ଟି ଜିଲ୍ଲା କ୍ରିଷ୍ଣା, ଇଲୁରୁ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, କାକିନାଡ଼ା, ଡ. ବିଆର୍‌ ଆମ୍ବେଦକର କୋନାସୀମା ଓ ଆଲୁରି ସୀତାରାମେରାଜୁରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ସନ୍ଧ୍ୟା ସାଢ଼େ ୮ରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ସମସ୍ତ ପ୍ରକାର ଯାତାୟାତକୁ ଏଠାରେ ବନ୍ଦ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ତନାଘନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ‘ମୋନ୍ଥା’ର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶୂନ ମୃତ୍ୟୁ (ଜିରୋ କାଜୁଆଲ୍‌ଟି) ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିବା ସହ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଉପରେ ଜୋର୍‌ ଦେଇଥିଲେ। ବାତ୍ୟା ପରେ ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଆଜି ରାତି ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କଣ୍ଟ୍ରୋଲ ରୁମ୍‌ ପରିଦର୍ଶନ କରି ସ୍ଥିତି ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥା ହୋଇ ଓଡ଼ିଶା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ରାତିରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବାତ୍ୟାର ପ୍ରଭାବ ସମ୍ପର୍କରେ ଯେଉଁଭଳି ଭାବେ ଆଶଙ୍କା କରାଯାଉଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କିଛି ବଡ଼ 
ପ୍ରଭାବ ପରିଲକ୍ଷିତ ହୋଇନାହିଁ। ତେବେ ଆସନ୍ତାକାଲି ବାତ୍ୟା ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲା ଦେଇ ଗତି କରିବାର ସମ୍ଭାବନା ରହିଛି। ପ୍ରଭାବ ଛୋଟ ହେଉ କି ବଡ଼ ହେଉ, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ସଜାଗ  ଅଛନ୍ତି ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟା ପରିଚାଳନା କରୁଛନ୍ତି। ରାଜ୍ୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି- ଜିରୋ କାଜୁଆଲଟି। ଏ ଦିଗରେ ଆମେ ପୂର୍ବରୁ ଅନେକ ସଫଳତା ହାସଲ କରିଛୁ ଏବଂ ପୂର୍ବର ଅଭିଜ୍ଞତାକୁ ନେଇ ରାଜ୍ୟ ସରକାର ଖୁବ୍‌ ଭଲ ଭାବେ ପ୍ରସ୍ତୁତି କରିଛନ୍ତି । ରାଜ୍ୟ କଣ୍ଟ୍ରୋଲରୁମ ପକ୍ଷରୁ ୨୪ ଘଣ୍ଟା ପରିସ୍ଥିତିର ମନିଟରିଂ କରାଯାଉଛି।  ସରକାରଙ୍କ ପଦକ୍ଷେପ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୭, ୮୧୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଆବଶ୍ୟକ ହେଲେ ଆଉ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସେହିଭଳି ୨୧୯୮ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି, ଆଉ ୬୫୧ ଜଣଙ୍କୁ ସ୍ଥାନାନ୍ତରଣ କରାଯିବ।
ପୂର୍ବାହ୍ନରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ବିପର୍ଯ୍ୟୟରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲ୍‌ଟି। ଗତ ବର୍ଷ ମଧ୍ୟ ବାତ୍ୟା ‘ଦାନା’ ସମୟରେ ଆମେ ସଫଳ ଭାବରେ ଲୋକଙ୍କୁ ସ୍ଥାନାନ୍ତରିତ କରି ଜିରୋ କାଜୁଆଲ୍‌ଟି ହାସଲ କରିଥିଲୁ। ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ହେଉଛି ଆମର ଏକ ପ୍ରମୁଖ ରଣନୀତି। ତେଣୁ ଏହି ଦିଗ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ପଡ଼ିବ। ବାତ୍ୟା ପରେ ଯେପରି ବିଭିନ୍ନ ଜରୁରୀ ବ୍ୟବସ୍ଥା ତୁରନ୍ତ ପୁନଃକ୍ଷମ କରାଯାଇପାରିବ, ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଇଞ୍ଜିନିୟରିଂ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପରେ ଭାଙ୍ଗିଯାଇଥିବା ଗଛଗୁଡ଼ିକ ଯୋଗୁ ଯେପରି ରାସ୍ତା ଅବରୋଧ ନହୁଏ, ସେଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମା‌ଝୀ କହିଥିଲେ, ବର୍ତ୍ତମାନ ସମୟ ହେଉଛି ଫସଲ ଅମଳର ସମୟ। ତେଣୁ ବାତ୍ୟା ପରେ କ୍ଷୟକ୍ଷତିର ଆକଳନ କରି ଚାଷୀ ଭାଇମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ କୃଷି ବିଭାଗ ପଦକ୍ଷେପ ନେଉ। ବିଭାଗୀୟ ସଚିବ ତଥା ଜିଲ୍ଲାପାଳମାନେ ପ୍ରସ୍ତୁତିକୁ ଠିକ୍ ଭାବେ ତଦାରଖ କରି ସମସ୍ତ ପଦକ୍ଷେପକୁ ସୁନିଶ୍ଚିତ କରନ୍ତୁ। ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର, ପୁଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ସଚିବମାନେ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନା କରିଥିଲେ। 
ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ  ୨୦୪୮ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ମୁକାବିଲା ପାଇଁ ୩୦ଟି ଓଡ୍ରାଫ୍‌, ୫ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୧୨୩ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ଆହୁରି ଅଧିକ ଟିମ୍ ଆଲର୍ଟରେ ଅଛନ୍ତି। ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକ ହେଲେ ଛୁଟିର ସମୟସୀମା ବଢ଼ାଯିବ।  ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟା ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।