ଭୁବନେଶ୍ବର: ଭାରତୀୟ ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ୨୦୨୩-୨୪ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କ ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ୬ଟି ବର୍ଗରେ ଓଡ଼ିଶାକୁ ୪୭ ମାର୍କ ମିଳିଛି। ଗତବର୍ଷ ଓଡ଼ିଶା ଏହି ତାଲିକାରେ ତ୍ରୟୋଦଶ ସ୍ଥାନରେ ରହିଥିଲା। ତେବେ ୨୦୨୦-୨୧ବର୍ଷରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହି ବଡ଼ ସଫଳତା ହାସଲ କରିଥିଲା।

Advertisment

ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଷଷ୍ଠ ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କ ଘୋଷଣା ହୋଇଛି। ଏଥିରେ କେରଳ ପ୍ରଥମ ସ୍ଥାନରେ ରହିଛି। ଏହାପରେ ତାମିଲନାଡ଼ୁ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ଗୋଆ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ କ୍ରମାନ୍ବୟେ ୧୦ଟି ସ୍ଥାନରେ ରହିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷଦ୍ବୀପ ୩୬ ନମ୍ବର ସ୍ଥାନରେ ରହିଛି। ଏଫ୍‌ଏସ୍‌ଏସ୍‌ଏଆଇର ବିଭିନ୍ନ ଅନ୍‌ଲାଇନ୍ ପୋର୍ଟାଲ ଯଥା ଏଫ୍‌ଓଏସ୍‌ସିଓଏସ୍‌, ଏଫ୍‌ଓଏସ୍‌ସିଓଆର୍‌ଆଇଏସ୍‌, ଏଫ୍‌ଓଏସ୍‌ଟିଏସି,ଆଇଏନ୍‌ଏଫ୍‌ଓଏଲଏନ୍‌ଟି ଓ ଇଆର୍‌ଆଇରେ ଉପଲବ୍ଧ ତଥ୍ୟକୁ ବିଚାରକୁ ନେଇ ରାଜ୍ୟମାନଙ୍କ ତାଲିକା ପ୍ରକାଶ କରାଯାଇଛି। 

ମାନବ ସମ୍ବଳ ଓ ଡାଟାରେ ୩.୫, ଅନୁପାଳନରେ ୧୨, ଖାଦ୍ୟ ପରୀକ୍ଷା ଓ ଭିତ୍ତିଭୂମିରେ ୨୧, ତାଲିମ ଓ ଦକ୍ଷତା ବିକାଶରେ ୪, ଉପଭୋକ୍ତା ସଶକ୍ତୀକରଣରେ ୪.୫, ଏସ୍‌ଏଫ୍‌ଏସ୍‌ଆଇରେ ବିକାଶରେ ୨ ମାର୍କକୁ ମିଶାଇ ଓଡ଼ିଶା ସମୁଦାୟ ୪୭ ନମ୍ବର ହାସଲ କରିପାରିଛି। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ କୁହାଯାଇଛି ଯେ ଦେଶରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଥିବା ଏହି ସୂଚକାଙ୍କରୁ ଜଣାପଡ଼ିଛି। ତେବେ ଏଥିରେ ଅଧିକ ଅଗ୍ରଗତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମିତ ଉଦ୍ୟମ କରାଯିବା ଜରୁରି। ଅପମିଶ୍ରଣର ଆଗୁଆ ଚିହ୍ନଟ ପାଇଁ ଅତ୍ୟାଧୁନିକ ଟେଷ୍ଟିଂ ସୁବିଧା ସହ ଖାଦ୍ୟ ସୁରକ୍ଷା ମାନଦଣ୍ଡର ତଦାରଖ ଓ ପ୍ରବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ।

ରାଜ୍ୟ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରରେ ଅତ୍ୟାଧୁନିକ ସଂରକ୍ଷିତ ବ୍ୟବସ୍ଥା, ଉପଯୁକ୍ତ ପରିବହନ ନେଟୱର୍କ, କୋଲ୍‌ଡ ଚେନ୍‌ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଚାଷୀଙ୍କଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତକାରୀ ଓ ନିରୀକ୍ଷକଙ୍କ ପର୍ଯ୍ୟନ୍ତ ସବୁ ଅଂଶୀଦାରମାନଙ୍କ ତାଲିମ ଓ ଦକ୍ଷତା ବିକାଶ ଆବଶ୍ୟକ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ କୁହାଯାଇଛି।