ଡେଙ୍ଗୁ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା ପଞ୍ଚମ

ଚଳିତବର୍ଷ ରାଜ୍ୟରେ ୨୦୧୪ ସ୍ଥିତି, ଖୋର୍ଧାରେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ହଠାତ୍ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ମାତ୍ର ୨ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଆଗରେ ରହିଛି ଖୋର୍ଧା ଜିଲ୍ଲା। ମାତ୍ର ଆଶ୍ବାସନାର ବିଷୟ ହେଉଛି ଚଳିତବର୍ଷ ଡେଙ୍ଗୁରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ଯୋଗୁଁ ଚଳିତବର୍ଷ ଓଡ଼ିଶା ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ପଞ୍ଚମ ସ୍ଥାନରେ ରହିଥିବା ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଭିବିଡିସିସି ସୂତ୍ରରୁ ଜଣାପଡ଼ିଛି।

ଚଳିତବର୍ଷ ଜୁଲାଇ ମାସ ଶେଷ ବେଳକୁ ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରଥମେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରବର୍ତୀ ସମୟରେ ଏହାର ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ରାଜଧାନୀର ବିଭିନ୍ନ ହସ୍ପିଟାଲ ଆକ୍ରାନ୍ତରେ ଭରି ଯାଇଥିଲା। ଆରମ୍ଭରୁ କିଛି ହାତଗଣତି ସ୍ଥାନରେ ଡେଙ୍ଗୁ ରୋଗର ପରୀକ୍ଷା ହେଉଥିବା ବେ‌ଳେ ପରବର୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ପରୀକ୍ଷା କରିବା ଲାଗି ନିର୍ଦେଶ ଦେଇଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲରୁ ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନଜରକୁ ଆସିଥିଲା। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତମାସ ୨୫ତାରିଖ ସୁଦ୍ଧା ରାଜ୍ୟରେ ୬୨୦୩ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରୁ ସିଂହଭାଗ ରୋଗୀ କେବଳ ଭୁବନେଶ୍ବରରୁ ରହିଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୫୩୫, ପୁରୀ ୩୧୫, କଟକ ୨୭୯, ଜଗତସିଂହପୁର ୨୨୫, ରାୟଗଡ଼ା ୨୧୭, ମାଲକାନଗିରି ୨୧୦, ନୟାଗଡ଼ ୧୬୮, ଗଞ୍ଜାମ ୧୬୬, ଯାଜପୁର ୧୨୮, ଗଜପତି ୧୧୪ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କେବଳ ଝାରସୁଗୁଡ଼ା ଓ ଓ ସୋନପୁରରେ ଜଣେ ହେଲେ ବି ରୋଗୀ ଏହି ସମୟରେ ଚିହ୍ନଟ ହୋଇ ନାହାନ୍ତି। ତେବେ ଗତ କିଛିବର୍ଷ ହେବ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମି ଆସୁଥିବା ବେଳେ ଚଳିତବର୍ଷ ଏଥିରେ ବୃଦ୍ଧି ଘଟିବା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ସ୍ଥିତି ୨୦୧୪ ମସିହା ସ୍ଥିତିକୁ ମନେ ପକାଇ ଦେଇଛି।

୨୦୧୪ ମସିହାରେ ରାଜ୍ୟରେ ୬୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୫ ମସିହାରେ ୨୪୫୦, ୨୦୧୬ରେ ୮୩୮୦, ୨୦୧୭ରେ ୪୧୫୮, ୨୦୧୮ରେ ୫୧୯୮, ୨୦୧୯ରେ ୩୭୫୮, ୨୦୨୦ରେ ୪୯୬ଜଣଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୪ ମସିହାରେ ୯ଜଣଙ୍କ ଡେଙ୍ଗୁରେ ପ୍ରାଣହାନୀ ଘଟିଥିବା ବେଳେ ଚଳିତବର୍ଷ ସରକାରୀ ଭାବେ ଜଣେ ହେଲେ ଡେଙ୍ଗୁରେ ପ୍ରାଣ ହରାଇ ନାହାନ୍ତି। ଯଦିଓ ରାଜଧାନୀରେ ଜଣେ ଯୁବତୀ ଡେଙ୍ଗୁରେ ପ୍ରାଣ ହରାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଥିଲେ, ମାତ୍ର ତାହା ବିବାଦୀୟ ରହିଛି। ଯେହେତୁ ଯୁବତୀଙ୍କ ପରିବାର ଲୋକ ଘରୋଇ ହସ୍ପିଟାଲରେ ତାଙ୍କର ଡେଙ୍ଗୁ ପରୀକ୍ଷା କରିଥିଲେ ତେଣୁ ଆକ୍ରାନ୍ତଙ୍କ ଠିକ୍ ଭାବେ ପରୀକ୍ଷା ହୋଇ ନ ଥିବା ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଟାଳି ଦିଆଯାଇଥିଲା। ପରବର୍ତୀ ସମୟରେ ଘରୋଇ ହସ୍ପିଟାଲମାନଙ୍କୁ ଡେଙ୍ଗୁ ଚିହ୍ନଟ ହେଉଥିବା ରୋଗୀମାନଙ୍କ ନମୁନା ପୁଣିଥରେ ସରକାରୀ ଡାକ୍ତରଖାନାକୁ ପଠାଇବାକୁ ନିର୍ଦେଶ ଦିଆଯାଇଥିଲା।

ଅପରପକ୍ଷରେ ଏନ୍‌ଭିବିଡିସିପିର ୱେବସାଇଟ୍‌ରେ ଚଳିତବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ତଥ୍ୟ ଅପଲୋଡ କରାଯାଇଛି। ଏହି ତାଲିକାରେ ରାଜ୍ୟରେ ୪୫୦୫ ରୋଗୀ ଚିହ୍ନଟ ହୋଇଥିବା ରେକର୍ଡ ହୋଇଥିବା ବେଳେ ରାଜ୍ୟବ୍ୟାପୀ ତାଲିକାରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶା ଆଗରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ଓ ତେଲେଙ୍ଗାନା ରହିଛନ୍ତି। ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା ପ୍ରାୟତଃ ବର୍ଷାଦିନେ ଡେଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆ ବ୍ୟାପିଥାଏ। ଚଳିତବର୍ଷ ଲକ୍‌ଡାଉନ୍‌ ବର୍ଷାଦିନ ପର୍ଯ୍ୟନ୍ତ ରହିଥିଲା। ତେଣୁ ସ୍କୁଲ, ପାର୍କ ଓ ଗ୍ୟାରେଜ୍ ଇତ୍ୟାଦି ଲକ୍ ହୋଇ ରହିଥିଲା। ତେଣୁ ପାଣି ଜମି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ସ୍ଥିତି ଉପୁଜିଥିଲା। ମାତ୍ର ଧୀରେ ଧୀରେ ଏଥିରେ ସୁଧାର ଆସୁଥିବା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର