ଚିକିତ୍ସାଧୀନ ରୋଗୀ ତାଲିକାରେ ଓଡ଼ିଶା ଷଷ୍ଠ

ଦିନକରେ ସର୍ବାଧିକ ମୃତ୍ୟୁ ୬୯ ଛୁଇଁଲା, ୨ହଜାରରୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର : ଦେଶରେ ଚିକିତ୍ସାଧୀନ ରୋଗୀ ରହିଥିବା ରାଜ୍ୟ ତାଲିକାରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ଗତକାଲି ସୁଦ୍ଧା କେରଳରେ ୧ଲକ୍ଷରୁ ଅଧିକ ଚିକିତ୍ସାଧୀନ ରୋଗୀ ଥିବା ବେ‌ଳେ ଓଡ଼ିଶାରେ ୧୭ ହଜାରରୁ ଅଧିକ ରହିଛନ୍ତି। ରାଜ୍ୟର ସର୍ବାଧିକ ଚିକିତ୍ସାଧୀନ ‌ରୋଗୀ ଖୋର୍ଧାରେ ଥିବା ବେଳେ ଏହା ପଛକୁ ରହିଛି କଟକ ଜିଲ୍ଲା। ନୂଆପଡ଼ାରେ ସବୁଠାରୁ କମ୍ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ପୂର୍ବରୁ ହୋଇଥିବା କରୋନା ମୃତ୍ୟ ଏବେ ଘୋଷଣା କରାଯିବା କାରଣରୁ ‌ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛ। ରାଜ୍ୟରେ ଆଉ ୬୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଖୋର୍ଧାରେ ସର୍ବାଧିକ ୨୨, ସୁନ୍ଦରଗଡ଼ ୧୦, ବରଗଡ଼ ୭, ଅନୁଗୁଳ ୬, କେନ୍ଦୁଝର ୫, କେନ୍ଦ୍ରାପଡ଼ା ୪, ବାଲେଶ୍ବର ୩, ଭଦ୍ରକ, ବୌଦ୍ଧ, ଗଞ୍ଜାମ, ନୟାଗଡ଼, ପୁରୀରେ ୨ ଲେଖାଏଁ, ସୁବର୍ଣ୍ଣପୁର, କୋରାପୁଟର ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୨୪୧କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ତୃତୀୟ ଲହର ପାଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇ ଜିଲ୍ଲାପାଳ ଓ ମେଡିକାଲ କଲେଜ ଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଡିଏମ୍‌ଇଟିଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି। ତୃତୀୟ ଲହର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ୮୬୧ କୋଟି ଟଙ୍କା ଦେଇଛନ୍ତି। ଅକ୍ସିଜେନ, ଆଇସିୟୁ, ପିଏଚ୍‌ସି ଓ ଆରଟି-ପିସିଆରରେ ଖର୍ଚ କରିବାକୁ କହିଛନ୍ତି। ଏହି ଟଙ୍କାକୁ କେନ୍ଦ୍ର ସରକାର ୪୦-୬୦ ଅନୁପାତରେ ରାଜ୍ୟକୁ ଯୋଗାଇ ଦେଇଛନ୍ତି। ଏହି ଟଙ୍କା ପର୍ଯ୍ୟାୟ କ୍ରମେ କେନ୍ଦ୍ରରୁ ଆସିବ। ତୃତୀୟ ଲହରକୁ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବା ଲାଗି ଆଶା ରହିଥିବା ଶ୍ରୀ ଦାସ କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣ ୨ହଜାରରୁ ସାମାନ୍ୟ ହ୍ରାସ ପାଇଛି। ୧୯୨୭ ପଜିଟିଭ୍‌ଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୪୯୮ ବାହାରିଛନ୍ତି। କଟକ ୨୪୮, ଯାଜପୁର ୧୨୩, ବାଲେଶ୍ବର ୧୧୧, ପୁରୀ ୧୦୩, ଜଗତସିଂହପୁର ୯୧, ମୟୂରଭଞ୍ଜ ୯୦, କେନ୍ଦ୍ରାପଡ଼ା ୭୩, ଢେଙ୍କାନାଳ ୭୫, ନୟାଗଡ଼ ୬୪ ଓ ଷ୍ଟେଟ୍‌ ପୁଲରୁ ୧୦୦ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୯ହଜାର ୯୮୬ରେ ପହଞ୍ଚିଛି।

ରାଜ୍ୟରେ ଆଜି ୧୯୪୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଲକ୍ଷ ୩୬ହଜାର ୯୫୦ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧୭,୪୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର