ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ସମସ୍ତେ ଖୁସି, ବିଳମ୍ବ ସତ୍ତ୍ବେ ଓଡ଼ିଶାର ଦାବି ଗୃହୀତ ହେଲା, ମିଠା ବ୍ୟବସାୟୀଙ୍କ ଅଭିବୃଦ୍ଧିରେ ସହାୟକ ହେବ

ଭୁବନେଶ୍ବର : ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୋଟେ ମିଠା ମିଠା ଖବର। ରସଗୋଲାର ଉତ୍ପତ୍ତିକୁ ନେଇ ଚାଲିଥିବା ଲଢ଼େଇରେ ଶେଷରେ ଓଡ଼ିଶାକୁ ସଫଳତା ମିଳିଛି। ଚେନ୍ନାଇସ୍ଥିତ ଭୌତିକ ସଂପତ୍ତି କାର୍ଯ୍ୟାଳୟ ପକ୍ଷରୁ ଆଜି ଓଡ଼ିଶା ରସଗୋଲାକୁ ଭୌଗୋଳିକ ଉତ୍ପତ୍ତି ମାନ୍ୟତା ବା ଜିଆଇ ଟ୍ୟାଗ୍ ମିଳିଛି। ପ୍ରାୟ ୨୦ ମାସ ପୂର୍ବରୁ ‘ବାଂଲାର ରସଗୋଲା’ ଜିଆଇ ମାନ୍ୟତା ପାଇଥିବା ବେଳେ ଓଡ଼ିଶା ରସଗୋଲା ଏହାଠାରୁ ସ୍ବାଦ ଓ ରଙ୍ଗରେ ଭିନ୍ନ ବୋଲି ପ୍ରମାଣିତ ହୋଇଛି। ଏହି ମାନ୍ୟତା ଆସନ୍ତା ୧୦ବର୍ଷ ପାଇଁ ବୈଧ ରହିବ। ଜିଆଇ ଟ୍ୟାଗ୍ ମିଳିବା ପରେ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଥିବାବେଳେ ଓଡ଼ିଶାର ରସଗୋଲା ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ଆଶାର ସଞ୍ଚାର ହୋଇଛି।

ରସଗୋଲା କାହାର ଏହାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦ ଦେଖାଦେଇଥିଲା। ଉଭୟ ରାଜ୍ୟ ରସଗୋଲାର ଉତ୍ପତ୍ତି ନିଜ ରାଜ୍ୟରେ ବୋଲି ଦର୍ଶାଇଥିଲେ। ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଦିନ ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ରସଗୋଲା ଦିବସ ଭାବେ ପାଳନ କରାଯିବା ସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଥିପ୍ରତି ବିପୁଳ ସମର୍ଥନ ମିଳିଥିଲା। ଓଡ଼ିଶା ତରଫରୁ ଏ ନେଇ ଗବେଷକ ଡ.ଅସିତ ମହାନ୍ତି ବହୁ ଯୁକ୍ତିସମ୍ବଳିତ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିଥିଲେ ବି ଓଡ଼ିଶା ସରକାରଙ୍କ ତରଫରୁ ଜିଆଇ ମାନ୍ୟତା ପାଇଁ ଆବେଦନରେ ବିଳମ୍ବ ହୋଇଥିଲା। ଏହାର ସୁଯୋଗ ନେଇ ପଶ୍ଚିମବଂଗ ସରକାର ୨୦୧୫ରେ ନିଜ ରାଜ୍ୟର ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରି ୨୦୧୭ ନଭେମ୍ବରରେ ଏହା ହାସଲ କରି ନେଇଥିଲେ।

ଏହାପରେ ଓଡ଼ିଶା ସରକାର ଚେତିଥିଲେ। ବିଳମ୍ବରେ ହେଲେ ବି ଗତବର୍ଷ ଫେବ୍ରୁଆରି ୨୨ତାରିଖରେ ଓଡ଼ିଶା କ୍ଷୁଦ୍ର ଉଦ୍ୟୋଗ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତି ପକ୍ଷରୁ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଥିଲା। ଶେଷରେ ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି। ଏହାର ସାର୍ଟିଫିକେଟ୍ ନମ୍ବର ୩୪୫ ରହିଛି।

ଓଡ଼ିଶାର ରସଗୋଲା ଦେଶର ଅନ୍ୟାନ୍ୟ ସ୍ଥାନରେ ଉତ୍ପାଦିତ ହେଉଥିବା ରସଗୋଲାଠାରୁ ସଂପୂର୍ଣ୍ଣ ଭିନ୍ନ ଓ ସ୍ବତନ୍ତ୍ର। ଏଥିରେ କୌଣସି ପ୍ରକାରର ରସାୟନିକ ରଙ୍ଗ ପ୍ରଯୋଗ କରାନଯାଇ ବିଭିନ୍ନ ରଙ୍ଗରେ ଓଡ଼ିଶାରେ ପ୍ରସ୍ତୁତ କରାଯାଇଥାଏ। ଯାହା ଅନ୍ୟ କେଉଁ ରାଜ୍ୟରେ ଦେଖାଯାଏ ନାହିଁ। ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ରସଗୋଲାର ସ୍ବାଦ ସ୍ବତନ୍ତ୍ର ଓ ଏହା ସହଜରେ ପାଟିରେ ମିଳାଇ ଯାଇଥାଏ। ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ପାଇବା ଫଳରେ ଏହା ବିଦେଶକୁ ରପ୍ତାନି କରିବାରେ ପଥ ସହଜ ହେବ। ଏହା ରାଜ୍ୟର ଛେନା ଉତ୍ପାଦନକାରୀ ଚାଷୀ ଓ ରସଗୋଲା ଉତ୍ପାଦନକାରୀଙ୍କ ନିରନ୍ତର ବିକାଶରେ ସହାୟକ ହେବା ସହ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ।

ଗବେଷକ ଶ୍ରୀ ମହାନ୍ତି କହନ୍ତି, ରସଗୋଲା ଉତ୍ପତ୍ତିର ଇତିହାସ ଓଡ଼ିଶାରେ ବହୁ ପ୍ରାଚୀନ ଓ ପୁରାତନ। ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ସମୟରେ ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନଭଞ୍ଜନ କରିବାର ପ୍ରଥା ରହିଛି। ଏପରିକି ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ ଭିତିରଛ ସେବକ ଏହି ସେବା ମନ୍ଦିରରେ କରିଥାନ୍ତି। ବଳରାମ ଦାସଙ୍କ ଦ୍ବାରା ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶାରେ ଲିଖିତ ଦାଣ୍ଡି ରାମାୟଣର ଅଯୋଧ୍ୟାକାଣ୍ଡରେ ରସଗୋଲା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ରାମଚନ୍ଦ୍ର ବନବାସରେ ଥିବା ସମୟରେ ତାଙ୍କୁ ଫେରାଇ ଆଣିବା ପାଇଁ ଭାଇ ଭରତ ଓ ଶତ୍ରୁଘ୍ନ ଯିବା ସମୟରେ ଋଷି ଭରଦ୍ବାଜଙ୍କ ଆତିଥ୍ୟ ଗ୍ରହଣ କରିଥିଲେ ଓ ସେଠାରେ ତାଙ୍କୁ ଛେନାରେ ତିଆରି ରସଗୋଲା ଅର୍ପଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏ ପର୍ଯ୍ୟନ୍ତ ୩ ଶହରୁ ଅଧିକ ଉତ୍ପାଦନକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶା ରସଗୋଲା ସମେତ ୧୭ଟି ଉତ୍ପାଦ ଏହା ମଧ୍ୟରେ ରହିଛି। ପୂର୍ବରୁ ଓଡ଼ିଶାର କୋଟପାଡ଼ ଶାଢ଼ି, ଓଡ଼ିଶା ଇକାତ୍ ଶାଢ଼ି, କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ଖଣ୍ଡୁଆ ପାଟ, ଗୋପାଳପୁର ଟସର କପଡ଼ା, ଗଞ୍ଜାମ କିଆ ତେଲ, ଧଳାପଥର ଶାଢ଼ି, ସମ୍ବଲପୁରୀ ବାନ୍ଧ, ବୋମକାଇ ଶାଢ଼ି, ହବସପୁରୀ ଶାଢ଼ି, ବ୍ରହ୍ମପୁର ପାଟ ଓ ଶାଢ଼ି ଓ କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମିଳିସାରିଛି।

ସମ୍ବନ୍ଧିତ ଖବର