ଭୁବନେଶ୍ୱର: ବହୁ ଦିନର ପ୍ରତୀକ୍ଷାର ଅବସାନ ଘଟିଛି। ଶେଷରେ ଓଡ଼ିଶାକୁ ମିଳିଛି ତା’ର ହକ୍‌ । ରସଗୋଲା ଓଡ଼ିଶାର ବୋଲି ସରକାରୀ ସ୍ୱୀକୃତି ମିଳିଛି। ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଭାରତ ସରକାରଙ୍କ ଜିଆଇ ଜର୍ଣ୍ଣାଲ ନଂ-୧୧୬ରେ ପ୍ରକାଶ ପାଇଛି। ବର୍ତ୍ତମାନ ‘ରସଗୋଲା’ର ଭୌଗୋଳିକ ଉତ୍ପତ୍ତି ଓଡ଼ିଶାରେ ହୋଇଛି ବୋଲି ମାନ୍ୟତା ଦିଆଯାଇଛି।

Advertisment

publive-image

୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଏହାପରେ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହାପରେ ୨୦୧୯ ମାର୍ଚ୍ଚ ୨୭ ତାରିଖରେ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଜର୍ଣ୍ଣାଲରେ ଜନସାଧାରଣଙ୍କ ଅବଗତି ଓ ଆପତ୍ତି ନିମିତ୍ତ ପ୍ରକାଶ କରାଯାଇଥିଲା। ନିୟମ ଅନୁସାରେ ଏହି ବିଜ୍ଞପ୍ତିକୁ ୪ ମାସ ଧରି ଜିଆଇ ରେଜିଷ୍ଟ୍ରିର େଓ୍ଵବସାଇଟରେ ଜନସାଧାରଣଙ୍କ ଆପତ୍ତି ପ୍ରକାଶ ଲାଗି ରଖା ଯାଇଥିଲା। ମାତ୍ର ‘ରସଗୋଲା’ର ଉତ୍ପତ୍ତି ନେଇ ଅକାଟ୍ୟ ପ୍ରମାଣ ରହିଥିବା ହେତୁ କୌଣସି ଆପତ୍ତି ଉଠି ନ ଥିଲା। ୪ମାସ ପୂର୍ତ୍ତି ପରେ ଆଜି ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦିଆଯାଇଛି।

publive-image HungryForever

ପଞ୍ଚଦଶ ଶତାଦ୍ଦୀ ଶେଷ ଓ ଷୋଡଶ ଶତାଦ୍ଦୀରେ ରଚିତ ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ରହିଛି। ତେଣୁ ରସଗୋଲାର ଉତ୍ପତ୍ତି ଯେ ଓଡ଼ିଶାରେ ସେଥିରେ ଦ୍ୱିମତ ନାହିଁ। ଏହା ସ୍ପଷ୍ଟ କରୁଛି ଯେ ଦୀର୍ଘ ୫୦୦ବର୍ଷ ତଳୁ ଓଡ଼ିଶାରେ ରସଗୋଲାର ପ୍ରଚଳନ ଥିଲା। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଶହ ଶହ ବର୍ଷ ଧରି ଯୋଡ଼ି ହୋଇ ରହିଛି ରସଗୋଲା। ଶ୍ରୀମନ୍ଦିର ପରମ୍ପରାରେ ‘ନିଳାଦ୍ରୀ ବିଜେ’ରେ ରସଗୋଲା ଭୋଗ ହୋଇଥାଏ।