ଭୁବନେଶ୍ବର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଂଶୁଘାତକୁ ମୁକାବିଲା କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ଆସନ୍ତା ଏପ୍ରିଲ ମାସର ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମର ଆୟୋଜନ କରାଯିବାର ପ୍ରସ୍ତାବ ରହିଛି। ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ ପ୍ରସ୍ତୁତ ଅଛନ୍ତି । ଆଜି ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଏ ସମ୍ବନ୍ଧରେ ଏକ ବୈଠକ ବସିଥିଲା ଏବଂ ରାଜ୍ୟରେ କିଭଳି ଅଂଶୁଘାତକୁ ମୁକାବିଲା କରିହେବ ସେ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ମାର୍ଚ୍ଚ ମାସରୁ ଜୁନ ମାସ ଭିତରେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ତେଣୁ ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ ବିଦ୍ୟୁତଜନିତ ସମସ୍ୟା ରୋକିବାକୁ ମଧ୍ୟ ଏସ୍ଆରସି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନକରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ସହିତ ଲୋକଙ୍କୁ ଘର ଆଗରେ ପାଣିପାତ୍ର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।