ବିମାନ ଯୋଗୁଁ ବଢ଼ିଲେ ବିଦେଶୀ ପର୍ଯ୍ୟଟକ

୨୦୧୭ରେ ଓଡ଼ିଶା ଆସିଛନ୍ତି ୧ ଲକ୍ଷ ୧୪ ହଜାର
୨୦୧୬ ତୁଳନାରେ ଘରୋଇ ପର୍ଯ୍ୟଟକ ୧୪ ଲକ୍ଷ ଅଧିକ
ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଏକ କୋଟି ଟପିଲା

ଭୁବନେଶ୍ୱର : ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି । ୨୦୧୫ରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ କମିଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ୨୦୧୬ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୬ ହଜାରରେ ପହଞ୍ଚିଥିଲା ବେଳେ ୨୦୧୭ରେ ପର୍ଯ୍ୟଟନ ବିଭାଗକୁ ମିଳିଛି ଆଖିଦୃଶିଆ ସଫଳତା। ୨୦୧୬ ତୁଳନାରେ ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୩୩ ପ୍ରତିଶତ ବଢ଼ିଛି। ଏହି ସମୟ ମଧ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ୨୦୧୬ ତୁଳନାରେ ପ୍ରାୟ ୧୨ ଲକ୍ଷ ବୃଦ୍ଧି ପାଇଥିବା ପର୍ଯ୍ୟଟନ ବିଭାଗ ନିର୍ଦେଶକ ନୀତିନ୍‌ ଭାନୁଦାସ ଜଓ୍ଵାଲେ କହିଛନ୍ତି।

୨୦୧୭ ଡିସେମ୍ବର ମାସରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ନଭେମ୍ବର ସୁଦ୍ଧା ୮୪ ହଜାର ଆସିଥିବା ବେଳେ କେବଳ ଡିସେମ୍ବରରେ ୩୦ ହଜାର ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ବିଶେଷ କରି ଦକ୍ଷିଣ ପୂର୍ବ ଏସିଆରୁ ବହୁ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଆମେରିକା, ଇଂଲଣ୍ଡ, ଜର୍ମାନୀ ପରି ରାଷ୍ଟ୍ରରୁ ବି ପର୍ଯ୍ୟଟକଙ୍କ ଆଗମନ ଭୁବନେଶ୍ୱର, ପୁରୀ, କୋଣାର୍କ ପରି ପର୍ଯ୍ୟଟନସ୍ଥଳୀକୁ ବଢ଼ିଛି।

ଭୁବନେଶ୍ୱରରୁ ବିଦେଶୀକୁ ବିମାନ ସେବା ଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏଭଳି ବଢ଼ିଥିବା କୁହାଯାଉଛି। ୨୦୧୭ ଆରମ୍ଭରେ ଏୟାର ଏସିଆ ବିମାନ ସିଧାସଳଖ ମାଲେସିଆକୁ ଉଡ଼ାଣ କରିଥିଲା। ଦକ୍ଷିଣ ଏସିଆ ଦେଶଗୁଡ଼ିକ ସହ ଯୋଗାଯୋଗ ସୁବିଧା ହେବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥିଲା। ଏଥିସହ ବ୍ୟାଙ୍କକ୍‌କୁ ବି ସିଧାସଳଖ ବିମାନ ସେବା ଆରମ୍ଭ ହେବା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଉପରେ ତାହାର ପ୍ରଭାବ ପଡ଼ିଛି। ଏହାବ୍ୟତୀତ ଦେଶର କେତେକ ପ୍ରମୁଖ ସହରକୁ ଅଧିକ ବିମାନ ଚଳାଚଳ ସଂଖ୍ୟା ବଢ଼ିବା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋଡ୍‌ ସୋ, ଟ୍ରେନ୍‌ ଓ ବିମାନ ବ୍ରାଣ୍ଡିଂ କରାଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ୍‌ ବଜାରରେ ଅଂଶଗ୍ରହଣ କରିବା ମଧ୍ୟ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି ବୋଲି ଶ୍ରୀ ଜଓ୍ଵାଲେ କହିଛନ୍ତି। ୨୦୧୬ରେ ଏକ କୋଟି ୨୦ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ଏଥର ତାହା ବୃଦ୍ଧି ପାଇ ଏକ କୋଟି ୩୨ ଲକ୍ଷରେ ପହଞ୍ଚିଥିବା ଜଣାପଡ଼ିଛି।

ଏହା ବ୍ୟତୀତ ଓଡ଼ିଶାରେ ବିଶ୍ୱ ହକି ଲିଗ୍‌ ଓ ଏସିଆନ୍‌ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ୍‌ ପରି ଦୁଇଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଶ୍ୱର ବହୁ ଦେଶ ଅଂଶଗ୍ରହଣ କରିଥିବାରୁ ସେଠାକାର ଦର୍ଶକଙ୍କର ବି ଆଗମନ ହୋଇଛି। ପ୍ରଥମ ଥର ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ଓଡ଼ିଶା ଟ୍ରାଭେଲ୍‌ ବଜାର ଆୟୋଜନ କରି ବହୁ ସଂଖ୍ୟାରେ ବିଦେଶୀ ଟୁର ଅପରେଟରଙ୍କୁ ଏକାଠି କରିପାରିଥିଲା। ସେମାନେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ପ୍ରଚାର ପ୍ରସାର କରିଥିବାରୁ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ବୋଲି ନିର୍ଦେଶକ ଶ୍ରୀ ଜଓ୍ଵାଲେ ମତପ୍ରକାଶ କରିଛନ୍ତି। ସେହିପରି ଇଣ୍ଡିଆନ୍‌ ଆସୋସିଏସନ ଅଫ୍‌ ଟୁର୍‌ ଅପରେଟର୍ସ(ଆଇଏଟିଓ) ସମ୍ମିଳନୀ ମଧ୍ୟ ଓଡ଼ିଶାରେ ହୋଇଥିବାରୁ ତାହା ବି ପର୍ଯ୍ୟଟକ ବୃଦ୍ଧିରେ ସହାୟକ ହୋଇଛି।

ଅନ୍ୟପକ୍ଷରେ ଦେଶକୁ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ୨୦୧୫ରେ ଦେଶକୁ ୮୦ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୬ରେ ୮୮ ଲକ୍ଷ ଆସିଥିଲେ। ୨୦୧୭ରେ ଏହି ସଂଖ୍ୟା ଏକ କୋଟି ଟପିଛି। ନଭେମ୍ବର ମାସ ପର୍ଯ୍ୟନ୍ତ ୯୦ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ କେବଳ ଡିସେମ୍ବରରେ ୧୧.୭୬ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିବାରୁ ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏକ କୋଟି ଟପିବ ସମ୍ଭବ ହୋଇଛି।

ସମ୍ବନ୍ଧିତ ଖବର