ରେକର୍ଡ ଭାଙ୍ଗିଲା ତାତି

ଭୁବନେଶ୍ୱର : ରେକର୍ଡ ଭାଙ୍ଗିଲା ତାତି। ବଲାଙ୍ଗୀରରେ ଆଜି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୩.୯ ଡିଗ୍ରିରେ ପହଞ୍ଚିଛି। ଏଥିସହ ସୋନପୁର ଓ ଝାରସୁଗୁଡ଼ାର ତାପମାତ୍ରା ମଧ୍ୟ ଆଜି ୪୩ ଡିଗ୍ରି ଟପିଯାଇଛି। ସାରା ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ କିନ୍ତୁ କାଳବୈଶାଖୀ ଆଶଙ୍କା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବୋହିବାର ବି ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି ଯେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪୪ ଡିଗ୍ରି ଡେଇଁବାର ବି ସମ୍ଭାବନା ରହିଛି। ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ାରେ ତାତି ଅସହ୍ୟ ହେବ। ଉତ୍ତର ଓଡ଼ିଶାରେ କିନ୍ତୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅପରାହ୍ନରୁ ରାତି ମଧ୍ୟରେ ଝଡ଼ବର୍ଷା ଆଶଙ୍କା ରହୁଛି।

ବଲାଙ୍ଗୀର ବ୍ୟତୀତ ଆଜି ସୋନପୁରରେ ୪୩.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୩, ସମ୍ବଲପୁରରେ ୪୧.୯, ତାଳଚେରରେ ୪୧.୩, ହୀରାକୁଦରେ ୪୧.୧, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୦.୪, ଅନୁଗୁଳରେ ୪୦.୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର