ବିଦେଶୀ ମଦରେ କୋଭିଡ୍‌ ଫି’ ୧୫%କୁ ହ୍ରାସ

ପୂର୍ବରୁ ୫୦% ନେଉଥିଲେ ରାଜ୍ୟ ସରକାର
୪୪ ଦିନରେ ରାଜ୍ୟକୁ ମିଳିଲା ୨୦୦ କୋଟି

ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଦେଶୀ ମଦର ମୂଲ୍ୟ କମିବ। କାରଣ ଗତ ମେ’ ମାସରୁ ସରକାର ବିଦେଶୀ ମଦର ଏମ୍‌ଆର୍‌ପି ଉପରେ ଲଗାଇଥିବା ୫୦% କୋଭିଡ୍‌ ଟିକସକୁ ୧୫%କୁ କମାଇଛନ୍ତି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୁଣା ଦରରେ ଥିବା ଷ୍ଟକ୍‌ ଯାଞ୍ଚ ପରେ ନୂଆ ଦରରେ ମଦ ଦୋକାନୀମାନଙ୍କୁ ଯୋଗାଇ ଦିଆଯିବ। ତେବେ ସ୍ବତନ୍ତ୍ର କୋଭିଡ୍‌ ଟିକସ ବାବଦରେ ଗତ ୪୪ ଦିନ ମଧ୍ୟରେ ସରକାର ୨୦୦ କୋଟି ଟଙ୍କା ରାଜସ୍ବ ପାଇ ସାରିଲେଣି।

ଅବକାରୀ ବିଭାଗ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ମହାମାରୀ କରୋନା ସମୟରେ ଗତ ମେ’ ମାସ ୨୪ ତାରିଖରୁ ଲୋକଙ୍କୁ ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ଜରିଆରେ ଆଇଏମ୍‌ଏଫ୍‌ଏଲ, ଏଫ୍‌ଏମ୍‌ଏଫ୍‌ଏଲ୍‌, ବିୟର୍‌, ଵାଇନ୍‌, ଆର୍‌ଟିଡି ମଦ ହୋମ୍‌ ଡେଲିଭେରି ଜରିଆରେ ଯୋଗାଇ ଦିଆଯାଉଥିଲା। ପରେ ଚାହିଦାକୁ ଦେଖି ସାମାଜିକ ଦୂରତା ନିୟମ ଅନୁପାଳନ ପୂର୍ବକ ଗତ ପହିଲାରୁ ସମସ୍ତ ପ୍ରକାର ମଦ ଦୋକାନର କାଉଣ୍ଟର ଜରିଆରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି।

ଇତିମଧ୍ୟରେ ୫୦% କୋଭିଡ୍‌ ଟିକସକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ସରକାର ଏ ସଂକ୍ରାନ୍ତ ଅଭିଯୋଗ ପାଇବା ପରେ ସମୀକ୍ଷା କରିଥିଲେ। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିଦେଶୀ ମଦର ଦର ତୁଳନା କରିବା ପରେ ରାଜ୍ୟ ସରକାର କୋଭିଡ୍‌ ଟିକସକୁ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦଗୁଡ଼ିକର ସଂଶୋଧିତ ଦର ଓଡ଼ିଶା ରାଜ୍ୟ ପାନୀୟ ନିଗମର ଵେବ୍‌ସାଇଟ୍‌ www.osbc.co.inରେ ଉପଲବ୍ଧ ହେବ ବୋଲି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର