ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାରେ ରାଜନୈତିକ ଦୃଷ୍ଟିରୁ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ପଛରେ ପଡ଼ିଯାଇଛି। ଓଡ଼ିଶାର ବିକାଶ ନେଇ କେନ୍ଦ୍ରରେ ସେଭଳି ବିଶେଷ ଆଲୋଚନା ହୋଇପାରୁନାହିଁ। ଦିଲ୍ଲୀରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀମାନେ ବ୍ୟକ୍ତିଗତ ଆଲୋଚନା ବେଳେ ଏହା କହି କ୍ଷୋଭ କରନ୍ତି ଯେ ତାଙ୍କ କଲମ ମୁନରେ ଓଡ଼ିଶାର ଅର୍ଥ ଆନ୍ଧ୍ର, କେରଳ ଭଳି ଅନ୍ୟ ରାଜ୍ୟର ବିକାଶରେ ଖର୍ଚ୍ଚ ହୋଇଥାଏ। କନକ ନ୍ୟୁଜ୍ ପକ୍ଷରୁ ହୋଟେଲ ତାଜ୍ ଭିଭାନ୍ତାରେ ଅନୁଷ୍ଠିତ ‘ଓଡ଼ିଶା ଆଞ୍ଚଳିକ ବ୍ୟବସାୟ ସପ୍ତାହ-୨୦୨୨’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ।
ଶ୍ରୀ ଟୁଡୁ ଆହୁରି କହିଥିଲେ, ଓଡ଼ିଶାରେ ମାଟି ତଳେ ଓ ଉପରେ ଯେଉଁ ସମ୍ପଦ ରହିଛି, ତାହାର ସଦୁପଯୋଗ ହୋଇ ପାରୁନାହିଁ। ଏଠାରେ ବ୍ୟାପକ ତେନ୍ତୁଳି, ମହୁଲ ଉତ୍ପାଦନ ହେଉଛି, ଟମାଟୋ ନଷ୍ଟ ହେଉଛି କିନ୍ତୁ ପ୍ରୋସେସିଂ ୟୁନିଟ୍ ନାହିଁ। ମୟୂରଭଞ୍ଜ ସବାଇ ଘାସର ଚାହିଦା ବିଦେଶରେ ରହିଛି। ଜଙ୍ଗଲଜାତ ଦ୍ରବ୍ୟରୁ ଆରମ୍ଭ କରି ଖଣିଜ ସମ୍ପଦ, ପ୍ରତ୍ୟେକ ଜିଲ୍ଲାରେ ଭରପୂର ରହିଛି। ପର୍ଯ୍ୟଟନର ମଧ୍ୟ ବ୍ୟାପକ ସୁଯୋଗ ରହିଛି। କେବଳ ମୟୂରଭଞ୍ଜର ୫୨ଟି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯାଇପାରିବ। ମାତ୍ର ଇଚ୍ଛାଶକ୍ତି ଅଭାବରୁ ଓଡ଼ିଶା ଆଗେଇ ପାରୁନାହିଁ। ଗୋଟିଏ ସମୟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲକୋ, ପାରାଦୀପ ବନ୍ଦର ହେଲା କିନ୍ତୁ ପରବର୍ତ୍ତୀ ସମୟରେ ସେହିଭଳି କୌଣସି ଆଖିଦୃଶିଆ ଶିଳ୍ପ ହୋଇନାହିଁ। ଏଥିଯୋଗୁଁ ନିଯୁକ୍ତି ସୃଷ୍ଟି ହୋଇପାରୁ ନାହିଁ। ତେବେ କୌଣସି କମ୍ପାନି ଓଡ଼ିଶା ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ନିବେଶ କରିବା ପାଇଁ ଆଗ୍ରହୀ ହେଲେ, ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ।
ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, କେବଳ ଖବର ପରିବେଷଣ ଆମ କାମ ନୁହେଁ, ଆମେ ସାମାଜିକ ଦାୟିତ୍ବ ମଧ୍ୟ ନିର୍ବାହ କରୁ। ଏହି ଲକ୍ଷ୍ୟରେ କନକ ଗ୍ରୁପ୍ ପକ୍ଷରୁ ବିଜନେସ କନକ୍ଲେଭ୍ର ଆୟୋଜନ ହୋଇଛି। ସମୟ ଥିଲା, ବ୍ୟବସାୟୀଙ୍କୁ ଭଲ ଦୃଷ୍ଟିରେ ଦେଖାଯାଉ ନଥିଲା। ୫୦ବର୍ଷ ମଧ୍ୟରେ ସେହି ମାନସିକତାର ପରିବର୍ତ୍ତନ ହୋଇଛି। ୧୯୮୦ ମସିହା ପରଠାରୁ ଓଡ଼ିଶାକୁ ରାଜନୈତିକ ସ୍ଥିରତା ଏବଂ ନେତୃତ୍ବ ମିଳିଛି। ତେଣୁ କେବଳ ଅନାହାରରେ ବିରୋଧରେ ବିଜୟ ଯଥେଷ୍ଟ ନୁହେଁ। ବିକାଶର କୌଣସି ଜାତି, ଗୋଷ୍ଠୀ ନଥାଏ। ତେଣୁ ‘କାହାକୁ ମେଞ୍ଚାଏ ତ କାହାକୁ କେଞ୍ଚାଏ’ ଭଳି ମହାପାପ ନହେବା ଭଲ। ଏହି ଅବସରରେ ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ସମ୍ବର୍ଧିତ କରିଥିଲେ। ଟ୍ବିନ୍ ସିଟି ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଦିବ୍ୟାସ୍ନାତା ମହାନ୍ତି, ଏସ୍ଜିବିଏଲ(ଇଣ୍ଡିଆ)ଲିମିଟେଡ୍ର ଅଧ୍ୟକ୍ଷ-ପରିଚାଳନା ନିର୍ଦ୍ଦେଶକ ଶଙ୍କର ଗୁପ୍ତା, ଗୀତା ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ରିଷି ସରାଫ, ଇଭୋସ୍ ବିଲଡକନ୍ ପ୍ରାଇଭେଟ୍ ଲିମିଟେଡ୍ର କଳିଙ୍ଗ କେଶରୀ ରଥ, ଶିବଶକ୍ତି ଆଷ୍ଟ୍ରୋଓ୍ବାର୍ଲ୍ଡର ଚିପ୍ କନସଲଟାଣ୍ଟ ଡ. ମୃତ୍ୟୁଞ୍ଜୟ ଦାଶ, ଜିଆଇଓ ଆଇଡି ରିସୋର୍ସର ନିର୍ଦ୍ଦେଶକ ଅମରେଶ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଆୟୋଜିତ ବିଭିନ୍ନ ଅଧିବେଶନରେ ବଲିଉଡ୍ ଅଭିନେତା କିରଣ କୁମାର, ଜେଡ ଇଷ୍ଟେଟର ପରିଚାଳନା ନିର୍ଦେଶକ ତପନ ମହାନ୍ତି, ପ୍ରସାଦ ଜ୍ବେଲର୍ସର ପରିଚାଳନା ନିର୍ଦେଶକ ମୋହିତ ପ୍ରସାଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।