ଓଡ଼ିଶା ରିଜିଓନାଲ ବିଜନେସ୍‌ ୱିକ୍‌ ୨୦୨୨: ସଫଳ ଉଦ୍ୟୋଗୀଙ୍କ କାହାଣୀ ପ୍ରେରଣା ସୃଷ୍ଟି କରିବ

ଭୁବନେଶ୍ବର : କରୋନା ମହାମାରୀ ଲୋକମାନଙ୍କ ଜୀବନଜୀବିକାକୁ ନେଇ ବଡ଼ ଆହ୍ବାନ ସୃଷ୍ଟି କରିଛି। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ସାରା ଦୁନିଆ ଏହି ସମସ୍ୟା ଦେଇ ଗତି କରୁଛି। ଏହାର ପ୍ରଭାବରେ ଅର୍ଥନୀତିରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ପ୍ରତିଟି କ୍ଷେତ୍ରରେ ଜୀବନଜୀବିକା ପ୍ରଭାବିତ ହୋଇଛି। ଆମେ ଏ‌ଭଳି ଏକ ସମୟ ଦେଇ ଗତି କରୁଛେ ଯେଉଁଠାରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହ୍ରାସ ପାଉଥିବା ବେଳେ ‌ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ବଢ଼ୁଛି। ଏହା ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଦେଶର ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଥିବା ଉଦ୍ୟୋଗୀମାନେ ଦେଶର ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ଆବଶ୍ୟକତା ଆଦି ବିଷୟରେ ଅବଗତ ହେବା ଦରକାର। ମହାମାରୀ ଯୋଗୁଁ ସୃଷ୍ଟି ‌ହୋଇଥିବା ଏହି ଆହ୍ବାନପୂର୍ଣ୍ଣ ସମୟରେ ଉଦ୍ୟୋଗୀମାନଙ୍କ ସଫଳତା କାହାଣୀ ଆମମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ରାଜ୍ୟର ଅଗ୍ରଣୀ ନିଉଜ୍‌ ଚ୍ୟାନେଲ୍‌ କନକ ନିଉଜ୍‌ ପକ୍ଷରୁ ହୋଟେଲ୍‌ ମେ’ ଫେୟାର କନ୍‌ଭେନ୍‌ସନ୍‌ରେ ଆୟୋଜିତ ‘ଓଡ଼ିଶା ରିଜିଓନାଲ୍ ବିଜନେସ୍‌ ୱିକ’ରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସଫଳ ଉଦ୍ୟୋଗୀଙ୍କ କାହାଣୀ ଆମକୁ ଆଗକୁ ବଢ଼ିବାକୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିବ। ବର୍ତ୍ତମାନ ଆମେ ଯେଉଁ ସଙ୍କଟ ଦେଇ ଗତି କରୁ‌ଛେ ‌ତା’ଠାରୁ ଆଗକୁ ବଢ଼ିବାରେ ଆମ ପାଇଁ ତାହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ପାଞ୍ଚଟି ଅଧିବେଶନ ଆୟୋଜନ କରାଯାଇଛି। ପ୍ରତିଟି ଅଧିବେଶନରେ ବିଭିନ୍ନ ଶିଳ୍ପ ସଂସ୍ଥାର ଉଦ୍ୟୋଗୀ ଅଂଶଗ୍ରହଣ କରି ଏକ ସ୍ବତନ୍ତ୍ର ବିଷୟ ଉପରେ ଆଲୋଚନା କରିଛନ୍ତି। ପ୍ରଥମ ଅଧିବେଶନର ବିଷୟବସ୍ତୁ ଥିଲା ମହାମାରୀ ବେଳେ ନୂଆ ଅନୁଚିନ୍ତା। ଦ୍ବିତୀୟ ଅଧିବେଶନରେ ‘କେତେ ସହାୟକ: ମହାମାରୀର ସରକାରୀ ପ୍ୟାକେଜ୍’ ଉପରେ ଆଲୋଚନା ହୋଇଥିଲା। ତୃତୀୟ ଅଧିବେଶନର ବିଷୟବସ୍ତୁ ଥିବା ‘କରୋନା: ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି କି?’। ଚତୁର୍ଥ ଅଧିବେଶନରେ କରୋନା ବେଳର ବ୍ୟବସାୟ ଓ ପଞ୍ଚମ ଅଧିବେଶନରେ ‘କୋଭିଡ୍‌ ସମୟରେ ଘରକିଣା’ ଉପରେ ଆଲୋଚନା ହୋଇଥିଲା। ପ୍ରତିଟି ଅଧିବେଶନ ଶେଷରେ ପ୍ୟାନେଲିଷ୍ଟ୍‌ମାନଙ୍କୁ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦେଶିକା‌ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

୫ଟି ଅଧିବେଶନ

ମହାମାରୀ ବେଳେ ନୂଆ ଅନୁଚିନ୍ତା
ପ୍ରାରମ୍ଭିକ ଅଧିବେଶନରେ ଓଡ଼ିଶା ପ୍ଲାଷ୍ଟୋ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି କୌଶଳ ପୋଦାର, ଟ୍ରୁଷ୍ଟ୍ରଲ୍‌ ଲୁବ୍ରିକ୍ୟାଣ୍ଟସ୍‌ ଆଣ୍ଡ୍‌ ଗ୍ରିଜ୍‌ର ଏମ୍‌ଡି ଆଶିଷ କୁମାର ଦାସ ଓ ସ୍ମାର୍ଟ ୱିଣ୍ଡୋର ସିଷ୍ଟମ୍‌ସର ନିର୍ଦେଶକ ଜିତେନ୍ଦ୍ର କୁମାର ସାହୁ ଅଂଶଗ୍ରହଣ କରିଥିଲେ। ନିଜ ବ୍ୟବସାୟ ଆରମ୍ଭ କରିବାର କାହାଣୀକୁ ସେମାନେ ବର୍ଣ୍ଣନା କରିଥିଲେ। ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରିବା ଲାଗି ରହିଥିବା ଅନୁକୂଳ ପରିବେଶକୁ ସେମାନେ ପ୍ରଶଂସା କରିଥିଲେ। ଉଦ୍ୟୋଗୀ ହେବା ଲାଗି ରାଜ୍ୟରେ ବିପୁଳ ସୁଯୋଗ ରହିଛି ବୋଲି କହିଥିଲେ। ବର୍ତ୍ତମାନ ଯେଉଁ କୋଭିଡ୍ ମହାମାରୀର ପ୍ରଭାବ ରହିଛି ତାହା କ୍ଷଣସ୍ଥାୟୀ ବୋଲି ମଧ୍ୟ କହିଥିଲେ। ସ୍ବସ୍ତିକା ପଣ୍ଡା ଏହି ଅଧିବେଶନର ସଂଯୋଜନା କରିଥିଲେ।

କେତେ ସହାୟକ: ମହାମାରୀର ସରକାରୀ ପ୍ୟାକେଜ୍
ଦ୍ବିତୀୟ ଅଧିବେଶନରେ ମିସନ ଶିକ୍ଷାର ଏମ୍‌ଡି ସୁମନ୍ତ କୁମାର ବେହେରା, ଶ୍ରୀ ଏଚ୍‌ବି ଏଣ୍ଟରପ୍ରାଇଜେସ୍‌ର ମ୍ୟାନେଜିଂ ପାର୍ଟନର୍‌ ହଳଧର ମେହେର ଓ ହାଇଜିନ୍ ପ୍ରୋର ତତ୍ତ୍ବାବଧାୟକ ସର୍‌ତାଜ ଅଲ୍ଲୀ ଅଂଶଗ୍ରହଣ କରିଥିଲେ। କନକ ନିଉଜ୍‌ର ମୁଖ୍ୟ ଆଙ୍କର ସଂଗ୍ରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ବକ୍ତାମାନେ କୋଭିଡ୍‌ ସମୟରେ ସେମାନଙ୍କ ବ୍ୟବସାୟ କିଭଳି ପ୍ରଭାବିତ ହୋଇଥିଲା ଓ ତାହାକୁ ସେମାନେ କିଭଳି ପରିଚାଳନା କରିବାରେ ସଫଳ ହୋଇଥିଲେ ତାହା ବର୍ଣ୍ଣନା‌ କରିଛନ୍ତି। ଏହା ସହିତ ଉଦ୍ୟୋଗୀମାନଙ୍କ ଲାଗି ରହିଥିବା ସରକାରୀ ସହାୟତା ବିଷୟ ମଧ୍ୟ ଆଲୋଚନା କରିଥିଲେ। ବ୍ୟବସାୟ ଆରମ୍ଭ କରିବାର ଅନୁଭୂତି, ବ୍ରାଣ୍ଡ୍‌ ଗଠନ ଓ ତାହାକୁ ପ୍ରତିଷ୍ଠିତ କରାଇବାରେ ସାମ୍ନା କରିଥିବା ଆହ୍ବାନଗୁଡ଼ିକ ବିଷୟରେ ସେମାନେ ଆଲୋଚନା କରିଥିଲେ।

କରୋନା: ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି କି?
ତୃତୀୟ ଅଧିବେଶନରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ ଶିଳ୍ପ ସଂସ୍ଥାଗୁଡ଼ିକର ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଉର୍ମି ଫୁଡ୍‌ସର ଏମ୍‌ଡି ପ୍ରତିଶ୍ରୁତି ଜେନା, ମୁସ୍‌କାନ୍ ସ୍ପାଇସେସ୍‌ର ଏମ୍‌ଡି ସୁନିଲ ମୁରର୍‌କା ଓ ତ୍ରୁପ୍ତି ଡେରିର କାର୍ଯ୍ୟନିର୍ବାହୀ ଅଧିକାରୀ ବର୍ଷା ବିଶ୍ବାଳ। ଖାଦ୍ୟର ଗୁଣାତ୍ମକମାନ କେତେ ଜରୁରୀ ତାହା ଉପରେ ସେମାନେ ଆଲୋକପାତ କରିଛନ୍ତି। ଯେଉଁ ସଂସ୍ଥା ଗୁଣାତ୍ମକ ମାନର ସାମଗ୍ରୀ ପ୍ରଦାନ କରିବ ତାହା ଉପରେ ଗ୍ରାହକମାନେ ବିଶ୍ବାସ କରିବେ। ତେଣୁ ଏହି ବିଷୟ ପ୍ରତି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ସବୁ ଉଦ୍ୟୋଗୀ ପ୍ରାଥମିକତା ଦିଅନ୍ତି ବୋଲି ସେମାନେ କହିଛନ୍ତି। ଏହି ଅବସରରେ ଲଜିଷ୍ଟିକ୍‌ସ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।

କରୋନା ବେଳର ବ୍ୟବସା‌ୟ
ଚତୁର୍ଥ ଅଧିବେଶନରେ କରୋନା ବେଳର ବ୍ୟବସାୟ ବିଷୟ ଉପରେ ଆଲୋଚନା ଆଧାରିତ ଥିଲା। ଏହି ଅଧିବେଶନରେ ଫ୍ରୋଜିଟ୍‌ର ନିର୍ଦେଶକ ରଶ୍ମୀ ସାହୁ, ନିମାପଡ଼ା ସୁଇଟ୍‌ସର ତତ୍ତ୍ବାବଧାୟକ ବିମ୍ବାଧର ବେହେରା ଓ ସନୟା ଗ୍ୟାସ୍‌ ଆଣ୍ଡ୍‌ ଆପ୍ଲାଏନ୍‌ସେସ୍‌ର ପୂଜା ବଡ଼ୁ ଅଂଶଗ୍ରହଣ କରିଥିଲେ। ତିନି ଉଦ୍ୟୋଗୀ ହେବା ପର୍ଯ୍ୟନ୍ତର ନିଜ ଯାତ୍ରା କାହାଣୀକୁ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ। ରାଜ୍ୟର ସବୁ ପ୍ରକାର ମିଠା ଓ ପିଠାକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇବା ସଂକଳ୍ପ ନେଇ ନିମାପଡ଼ା ସୁଇଟ୍‌ସ ଏହାର ଯାତ୍ରାରେ କିଭଳି ଆଗକୁ ବଢ଼ିଥିଲା ସେ ବିଷୟରେ ଶ୍ରୀ ବେହେରା ଆଲୋଚନା କରିଥିଲେ। ରଶ୍ମୀ ସାହୁ ଫ୍ରୋଜେନ୍ ଫୁଡ୍‌ ବ୍ୟବସାୟର ବିଭିନ୍ନ ଦିଗ ବିଷୟରେ ଅଲୋଚନା କରିଥିଲେ। କୋଭିଡ୍‌ ସମୟରେ ଅନ୍ୟ କ୍ଷେତ୍ରର କାରବାର ପ୍ରଭାବିତ ହୋଇଥିବା ବେଳେ ଖାଦ୍ୟ ଶିଳ୍ପ ପାଇଁ ତାହା ସମସ୍ୟା ସହିତ ସୁଯୋଗ ସୃଷ୍ଟି କରିଥିଲା ବୋଲି ସେ କହିଛନ୍ତି। ପୁଜା ବଡ଼ୁ ଜଣେ କ୍ରୀଡ଼ାବିତରୁ କିଭଳି ଉଦ୍ୟୋଗୀ ହେଲେ ତାହା ବର୍ଣ୍ଣନା କରିଛନ୍ତି। ୨୦୧୮ରେ ସେ ସ୍ଥାପନ କରିଥିବା ସନୟା ଗ୍ୟାସ୍‌ ୧୫ କେଜିଆ ଓ ୨୧ କେଜିଆ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦେଉଥିବା ସେ କହିଛନ୍ତି।

କୋଭିଡ୍ ସମୟରେ ଘର କିଣା
କାର୍ଯ୍ୟକ୍ରମର ପଞ୍ଚମ ଅଧିବେଶନରେ କୋଭିଡ୍‌ ସମୟରେ ଘର କିଣା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ନୱାହ୍‌ର ପରିଚାଳନା ନିର୍ଦେଶକ ସିଦ୍ଧାର୍ଥ ଶେଖର ମହାପାତ୍ର ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ସ୍ବସ୍ତିକାଙ୍କ ସହ ଆଲୋଚନା କରିବା ବେଳେ ସେ ରାଜ୍ୟର ରିଅଲ ଇଷ୍ଟେଟ୍ ଶିଳ୍ପରେ କିଛି ବର୍ଷ ଭିତରେ ହୋଇଥିବା ପରିବର୍ତ୍ତନ କଥା କହିଥିଲେ। ନୱାହ କିଭଳି ଗ୍ରାହକମାନଙ୍କୁ ସଠିକ୍ ସମୟରେ ଘର ଯୋଗାଇବା ଉପରେ ଗୁରୁତ୍ବ ଦେଉଛି ତାହା କହିଥିଲେ। ରିଅଲ ଇଷ୍ଟେଟ୍‌ ଶିଳ୍ପରେ ସଫଳତା ପାଇଁ ଗ୍ରାହକମାନଙ୍କ ବିଶ୍ବାସ ଭାଜନ ହେବା, ସଠିକ୍ ସମୟରେ ଘର ହସ୍ତାନ୍ତର କରିବାର ଗୁରୁତ୍ବ ବିଷୟରେ କହିଥିଲେ। ଏଥି ସହିତ ଜଣେ ଉଦ୍ୟୋଗୀ ହେବା ପାଇଁ ନିଜେ କରିଥିବା ସଂଘର୍ଷ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର