ଭୁବନେଶ୍ବର : ମେ ମାସ ୩ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ତାଲାବନ୍ଦ ଜାରି ରହିବ। ଚଳିତମାସ ୨୦ ତାରିଖରୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଓ ରାଜ୍ୟମାନଙ୍କରେ ଯାତାୟତ ଉପରେ କିଛିଟା କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି।

Advertisment

କଟକଣା ଭିତରେ କ’ଣ ରହିବ
-କେବଳ ପ୍ରତିରକ୍ଷା ବିମାନକୁ ଛାଡ଼ି ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନସେବା ବନ୍ଦ
-ସୁରକ୍ଷାବାହିନୀଙ୍କୁ ଛାଡ଼ି ସମସ୍ତ ଟ୍ରେନ୍‌ର ଯାତ୍ରୀ ସେବା ବନ୍ଦ
-ସମସ୍ତ ଯାତ୍ରୀବାହୀ ବସ୍‌ସେବା ବନ୍ଦ
-କେବଳ ମେଡିକାଲ ସାମଗ୍ରୀ ପରିବହନ ବ୍ୟତୀତ ବାକି ସମସ୍ତ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ କଟକଣା ବଳବତ୍ତର
-ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ
-ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ଛାଡ଼ି ବାକି ସମସ୍ତ ପ୍ରତିଷ୍ଠାନ ଉପରେ କଟକଣା
-ସ୍ବତନ୍ତ୍ର ଭାବେ ଅନୁମିତି ମିଳିଥିବା ଭୋଜନାଳୟକୁ ଛାଡ଼ି ସମସ୍ତ ହୋଟେଲ୍‌ ଓ ରେସ୍ତରାଁଗୁଡ଼ିକ ବନ୍ଦ
-ରୋଗୀ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ପରିବହନକ ଛଡ଼ା କୌଣସି ସ୍ଥାନରେ ଅଟୋ ରିକ୍ସା କିମ୍ବା ଟାକ୍ସି ଗାଡ଼ି ଚାଲିବ ନାହିଁ।
-ସମସ୍ତ ସିନେମା ହଲ୍‌, ମଲ୍‌, ସପିଂ କମ୍ପ୍ଲେକ୍ସ, ଜିମ୍‌, ସ୍ପୋର୍ଟ୍ସ କମ୍ପ୍ଲେକ୍‌ସ୍‌, ସୁଇମିଂ ପୁଲ୍‌, ଆମୋଦ ବିନୋଦନ ପାର୍କ, ଥିଏଟର୍‌, ବାର୍‌, ଅଡିଟୋରିୟମ୍‌, କ୍ଲବ୍‌ଗୁଡ଼ିକ ବନ୍ଦ
-ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ଆମୋଦପ୍ରମୋଦ, ସାଂସ୍କୃତିକ, ଧାର୍ମିକ ଓ ଶୈକ୍ଷିକ ଉତ୍ସବଗୁଡ଼ିକ ଉପରେ କଟକଣା ବଳବତ୍ତର
-ମନ୍ଦିର, ଗୀର୍ଜା, ସଜିଦ୍‌ ସମେତ ସର୍ବସାଧାରଣ ଧାର୍ମିକ ସ୍ଥଳୀଗୁଡ଼ିକରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ନିଷେଦ୍ଧ କରାଯାଇଛି
-କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହେଲେ ଅନ୍ତେଷ୍ଟିକ୍ରିୟା ପାଇଁ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବନି।

କୋହଳ ହେବ କଟକଣା
-ହସ୍ପିଟାଲ, ନର୍ସିଂ ହୋମ୍‌, କ୍ଲିନିକ୍‌ସ୍‌, ଟେଲିମେଡିସିନ୍‌ ସୁବିଧା ଚାଲୁ ହେବ
-ଡିସ୍‌ପେନ୍‌ସେରି, କେମିଷ୍ଟ୍‌, ଫାର୍ମାସିଜ୍‌, ଜନ ଔଷଧୀ କେନ୍ଦ୍ର, ମେଡିକାଲ୍‌ ଉପକରଣ ଦୋକାନ ସମେତ ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ
-ମେଡିକାଲ୍‌ ଲାବୋରେଟରୀଜ୍‌ ଓ ନମୁନା ସଂଗ୍ରହ କେନ୍ଦ୍ର ବି ଖୋଲା ହେବ
-କୋଭିଡ-୧୯ ସଂକ୍ରାନ୍ତ ଗବେଷଣା କେନ୍ଦ୍ର ବି ଖୋଲା ରହିବ
-ପ୍ରାଣୀ ଚିକିତ୍ସାଳୟ, ଡିସିପେନ୍‌ସିରି, କ୍ଲିନିକ୍‌ସ୍‌, ପାଥୋଲୋଜି କେନ୍ଦ୍ର, ଟିକା ବିକ୍ରି ଓ ଯୋଗାଣ ଉପଲବ୍ଧ ହେବ
-କରୋନା ପ୍ରତିହତ ପାଇଁ କାର୍ଯ୍ୟ କରୁଥିବା ଅନୁମତିପ୍ରାପ୍ତ ଘରୋଇ ଅନୁଷ୍ଠାନ ଯଥା ସଙ୍ଗରୋଧ କେନ୍ଦ୍ର, ରୋଗ ନିରୂପଣ କେନ୍ଦ୍ର, ହସ୍ପିଟାଲକୁ ଯୋଗାଣ କରୁଥିବା ଫାର୍ମଗୁଡ଼ିକ ଖୋଲା ରହିବ
-ଔଷଧ ନିର୍ମାତା, ଫର୍ମାସିଉଟିକାଲ୍‌, ମେଡିକାଲ ଯନ୍ତ୍ର, ଅକ୍‌ସିଜେନ୍‌ ପ୍ରସ୍ତୁତ କରୁଥିବା କମ୍ପାନି, ମେଡିକାଲ୍‌ ପ୍ୟାକେଜିଂ କମ୍ପାନିରେ ଉତ୍ପାଦନ କାର୍ଯ୍ୟ ଚାଲୁ ରହିବ
-ମେଡିକାଲ ଭିତ୍ତିଭୂମି ନିର୍ମାଣ ଓ ଆମ୍ବୁଲାନ୍‌ସ୍‌ ମରାମତି କାର୍ଯ୍ୟ ହୋଇପାରିବ
-ରାଜ୍ୟ ଭିତରେ କିମ୍ବା ଆନ୍ତଃ ରାଜ୍ୟ ଭିତରେ ଡାକ୍ତର, ପ୍ରାଣୀ ଚିକିତ୍ସା କରୁଥିବା ଡାକ୍ତର, ମେଡିକାଲ୍‌ କର୍ମଚାରୀ ଚିକିତ୍ସା ପାଇଁ ବିମାନସେବା ବ୍ୟବହାର କରିପାରିବେ

ସମସ୍ତ କୃଷି କାର୍ଯ୍ୟ ପାଇଁ କଟକଣା କୋହଳ
କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦୋକାନ ଖୋଲା ରହିବ
କୃଷି ଯନ୍ତ୍ରପାତି ମରାମତି କରୁଥିବା ଓ୍ବାର୍କସପ୍‌ ବି ଖୋଲା ରହିବ
ସାରା ଓ କୀଟନାଶକ ଉତ୍ପାଦନ, ବିକ୍ରି ଓ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ
କୃଷି ଯନ୍ତ୍ରପାତି, ପମ୍ପ୍‌ ସେଟ୍‌ ଓ ଟ୍ରାକ୍ଟଟର୍‌ ପାଇଁ ଆନ୍ତଃ ଜିଲ୍ଲା ଓ ଆନ୍ତଃରାଜ୍ୟ ଗମନାଗମନକୁ ଅନୁମତି ଦିଆଯିବ
ଆଦିବାସୀମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବିକ୍ରିବଟା କରିପାରିବେ
ମତ୍ସ୍ୟ ଉତ୍ପାଦନ ଓ ବିକ୍ରି ହୋଇପାରିବ
ମାଛ ବିହନ, ଚିଙ୍ଗୁଡ଼ି ଓ ମତ୍ସ୍ୟ ଉତ୍ପାଦ ପରିବହନ ପାଇଁ ବି ସୁଯୋଗ ଦିଆଯିବ
ଚା, କଫି ବଗିଚାରେ ସର୍ବାଧିକ ୫୦% ଲୋକ କାମ କରିପାରିବେ
ଚା, କଫି ପ୍ରକ୍ରିୟାକରଣ ୟୁନିଟ୍‌ରେ ବି ସର୍ବାଧିକ ୫୦% ଲୋକ କାମ କରିବେ
ବାଉଁଶ, ନଡ଼ିଆ, କୋକୋ, ମସଲା ଉତ୍ପାଦନ କରାଯିବା ସହ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରିବଟା ପାଇଁ ଅନୁମତି ମିଳିବ
ନର୍ସରି, ମାଛ ଯାଆଁଳ ଉତ୍ପାଦନ, କେନ୍ଦୁ ପତ୍ର ତୋଳା ପାଇଁ ସର୍ବାଧିକ ୫୦% ଲୋକ ନିୟୋଜିତ ହେବେ
ଦୁଗ୍ଧ ଉତ୍ପାଦନ, ପ୍ରକ୍ରିୟାକରଣ, ବିକ୍ରି ଉପରେ କଟକଣା ରହିବ ନାହିଁ

ସାଧାରଣ ସେବା
-ସମସ୍ତ ତୈଳ ଓ ଗ୍ୟାସ ସେବା ଚାଲୁ ରହିବ। ପେଟ୍ରୋଲ୍‌ ପମ୍ପ୍‌, ଡିଜେଲ୍‌, କିରୋସିନି, ସିଏନ୍‌ଜି, ଏଲପିଜି, ପିଏନ୍‌ଜି ସେବା ପୂର୍ବପରି ଜାରି ରହିବ
-ଶକ୍ତି ଉତ୍ପାଦନ, ଟ୍ରାନ୍‌ସ୍‌ମିସନ ଓ ବଣ୍ଟନ କାର୍ଯ୍ୟ ବି ଜାରି ରହିବ
-ଡାକ ସେବା, ପୋଷ୍ଟ ଅଫିସ୍‌ ଖୋଲା ରହିବ
-ଜଳଯୋଗାଣ, ପରିମଳ, ଆବର୍ଜନା ପରିଚାଳନାକୁ ପୌର ସଂସ୍ଥାମାନେ ଜାରି ରଖିବେ
-ଟେଲିକମ୍‌, ଇଣ୍ଟରନେଟ୍‌ ସେବା ଜାରି ରହିବ