ମିଳିବ ୧୩୭ କୋଟି ସହାୟତା

ରୋଗପୋକ ଯୋଗୁଁ ୧.୨୮ ଲକ୍ଷ ହେକ୍ଟରର ଫସଲ କ୍ଷତିଗ୍ରସ୍ତ

୧୫୦ ବ୍ଲକର ୮୦୯୨ ଗ୍ରାମରେ ୩୩ %ରୁ ଅଧିକ ଫସଲ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ରାଜ୍ୟର ପଶ୍ଚିମାଞ୍ଚଳର ଅଧିକାଂଶ ଜିଲ୍ଲାରେ ଧାନ ଫସଲ ଅମଳ ସରିବାକୁ ବସିଲାଣି। ରାଜ୍ୟ ସରକାର ବି ଆରମ୍ଭ କରିଦେଲେଣି ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ। ଫସଲରେ ରୋଗପୋକ ପରିସ୍ଥିତି ସାଂଘାତିକ ରୂପ ଧାରଣ କରି ଚାଷୀମାନଙ୍କ ଜୀବନ ନେଲାଣି। ଏଭଳି ସଙ୍ଗିନ ସ୍ଥିତିରେ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି ରୋଗପୋକ ଜନିତ କ୍ଷୟକ୍ଷତି ଏବଂ କ୍ଷତିପୂରଣ ବାବଦରେ କେତେ ସହାୟତା ରାଶି। ସରକାରଙ୍କ ତାଲିକାରେ ୨୪ଟି ଜିଲ୍ଲାର ୧୫୦ ବ୍ଲକ ଅନ୍ତର୍ଗତ ୮୦୯୨ ଗ୍ରାମର ୧ ଲକ୍ଷ ୨୮ ହଜାର ଜମ୩୧୮.୯୪୫ ହେକ୍ଟର ଜମି ରୋଗପୋକରେ ୩୩ ପ୍ରତିଶତରୁ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏ ବାବଦରେ ମୋଟ ୧୩୭ କୋଟି ୫୨ ଲକ୍ଷ ଟଙ୍କାର କୃଷି ସାମଗ୍ରୀରେ ରିହାତି ବା ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରାଯିବ ବୋଲି ଚୂଡ଼ାନ୍ତ ହୋଇଛି।

ଏନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସବିଶେଷ ତଥ୍ୟ ବୟାନ କରୁଛି ଯେ ରାଜ୍ୟର ୧୫୦ ବ୍ଲକ, ୩୫ଟି ସହରାଞ୍ଚଳ ଅଧୀନରେ ଥିବା ୧୪୮ ଓ୍ଵାର୍ଡ ଅନ୍ତର୍ଗତ ୮୦୯୨ ଗ୍ରାମର ରୋଗପୋକ ଦ୍ୱାରା ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଜମି ନିମନ୍ତେ କ୍ଷତିପୂରଣ ସହାୟତା ପ୍ରଦାନ କରାଯିବ। ଏଥିରୁ ବାଲେଶ୍ୱର, କଟକ, ଜଗତ୍‌ସିଂହପୁର, କନ୍ଧମାଳ, ମାଲକାନଗିରି ବାଦ୍‌ ପଡ଼ିଛି। ସେହି ୬ଟି ଜିଲ୍ଲାରେ ରୋଗପୋକ ଆକ୍ରାନ୍ତ ଜମି ପରିମାଣ ଶୂନ୍ୟ ଦର୍ଶାଯାଇଛି। ଜିଲ୍ଲାପାଳମାନଙ୍କ ରିପୋର୍ଟକୁ ଭିତ୍ତିକରି ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତିି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି/ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ପକ୍ଷରୁ ରୋଗପୋକ ଆକ୍ରମଣରେ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହେବା ଘଟଣାକୁ ବିଧିବଦ୍ଧ ଭାବେ ପ୍ରାକୃତିକ ବିପର୍ଯ୍ୟୟର ମାନ୍ୟତା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ୨୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହି ବିପର୍ଯ୍ୟୟ ପାଣ୍ଠିରୁ ୧୩୭ କୋଟି ୫୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କୃଷି ସାମଗ୍ରୀରେ ରିହାତି ରାଶି ପ୍ରଦାନ କରିବେ। ରିଲିଫ କୋଡ୍‌ ଅନୁସାରେ ଅଣଜଳସେଚିତ ୧ ହେକ୍ଟର ଜମି ପାଇଁ ୬୮୦୦ ଟଙ୍କା ଏବଂ ଜଳସେଚିତ ୧ ହେକ୍ଟର ଜମି ନିମନ୍ତେ ୧୩୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ୨୪ଟି ରୋଗପୋକ ଆକ୍ରାନ୍ତ ଜିଲ୍ଲା ମଧ୍ୟରୁ ବରଗଡ଼ର ସର୍ବାଧିକ ୩୭୧୮୫.୧୩ ହେକ୍ଟର ଜମି ରହିଛି। ସେ ବାବଦରେ ୪୬୬୭.୪୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ତା’ ତଳକୁ ରହିଛି ସମ୍ବଲପୁର ଜିଲ୍ଲା। ଏହି ଜିଲ୍ଲାର କ୍ଷତିଗ୍ରସ୍ତ ଜମି ପରିମାଣ ୨୮୨୭୭.୨୨ ହେକ୍ଟର ଥିବା ବେଳେ ସହାୟତା ରାଶି ୨୮୭୦.୫୭୬ ଲକ୍ଷ ଟଙ୍କା। ସେହିପରି ଗଞ୍ଜାମ, ବଲାଙ୍ଗୀର, ନୂଆପଡ଼ା ଆଦି ରହିଛି। ସବୁଠାରୁ କମ୍‌ କ୍ଷତିଗ୍ରସ୍ତ ଜିଲ୍ଲା ଢେଙ୍କାନାଳ, ଯେଉଁଠି ମାତ୍ର ଗୋଟିଏ ଗ୍ରାମର କ୍ଷତିଗ୍ରସ୍ତ ଜମି ପରିମାଣ ୮ ହେକ୍ଟର ହୋଇଥିବା ବେଳେ ସହାୟତା ରାଶି ୧ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଛି।

ସମ୍ବନ୍ଧିତ ଖବର