ପୁଲଓ୍ୱାମା ଆକ୍ରମଣକୁ ବର୍ଷେ ପୂରିଲା : ଓଡ଼ିଆ ପୁଅ ସହିଦ ମନୋଜଙ୍କୁ ଝୁରୁଛି ଜନ୍ମମାଟି

ଭୁବନେଶ୍ବର: ସେ ଦିନର କଥା ମନେପଡ଼ିଲେ ଆଜି ବି ଶିତେଇ ଉଠେ ଦେହ। କଶ୍ମୀରର ପୁଲଓ୍ୱାମାରୁ ଆସିଥିଲା ଛାତିଥରା ଖବର- ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଗଲେ ୪୦ ଜଣ ବୀର ଯବାନ। ସମଗ୍ର ଦେଶ ସ୍ତମ୍ଭୀଭୂତ ! ଆତଙ୍କୀ ଆକ୍ରମଣର ରକ୍ତରଂଜିତ ଇତିହାସର ସବୁଠୁ ବଡ଼ ଘଟଣା। ଦେଶରେ ଗୋଟିଏ ପଟେ ଥିଲା କ୍ରୋଧର ଲହୁ ଓ ଅନ୍ୟ ପଟେ ବୀର ଯବାନଙ୍କୁ ହରାଇବାର ଦୁଃଖର ଲୁହ। ଓଡ଼ିଶା ମାଟି ବି ଭିଜିଥିଲା ଲୁହ ଓ ଲହୁରେ- ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିଲେ ଓଡିଆ ପୁଅ ମନୋଜ ବେହେରା। କଟକ ଜିଲ୍ଲା ନିଆଳୀ ବ୍ଲକର ରତନପୁର ଗାଁର ବୀର ସନ୍ତାନ ମନୋଜ ।

ବର୍ଷେ ପରେ ବି ସହିଦଙ୍କ ସ୍ମୃତିରେ ଉଜାଗର ସାରା ଗାଁ।  ରତ୍ନ ହରାଇ ରହିରହି କାନ୍ଦୁଛି ରତନପୁର ମାଟି ମାଆ । ଆଜିକୁ ଠିକ ବର୍ଷେ ତଳେ ଅର୍ଥାତ ୧୪ ଫେବୃୟାରୀ ୨୦୧୯ରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ନିଆଳୀ ରତନପୁର ଗାଁର ବୀର ଯବାନ ମନୋଜ ବେହେରା । ଜମ୍ମୁକଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ଓଡିଆ ପୁଅ ମନୋଜ । ସେପାରିରେ ମନୋଜ, ଏପାରିରେ ମନୋଜଙ୍କ ସ୍ମୃତି । ଗେହ୍ଲା ପୁଅର ଗୋଟି ଗୋଟି ମୂହୂର୍ତ୍ତକୁ ମନେପକାଇ ଏବେ ବି  ମାଆ ତାଙ୍କର କାନ୍ଦୁଛନ୍ତି  ତ ଗାଁ ବି ଝୁରୁଛି ଅହରହ।

ଦେଶ ପାଇଁ ପୁଅ ଜୀବନ ଦେବା ପରେ ଏବେ ଦୟନୀୟ ଅବସ୍ଥାରେ କଟୁଛି ପରିବାରର ଦିନ । ରାତି ପାହି ସକାଳ ହେଲେ ପେଟ ପାଇଁ ସଙ୍ଘର୍ଷ ଆରମ୍ଭ କରି ଦେଉଛନ୍ତି ମନୋଜଙ୍କ ବାପାମାଆ । କେମିତି ଚଳିବ ପରିବାର ? କେଉଁଠୁ ଆସିବ ଦାନା? ଏଇ ଚିନ୍ତାରେ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ସହିଦ ପରିବାର।

ପୁଅ ଥିଲେ ହୁଏତ ବୟସର ଅପରାହ୍ଣରେ ଏମିତି କଷ୍ଟ, ଏମିତି ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା । ହେଲେ ପୁଅକୁ ନେଇ ଦେଖିଥିବା ସବୁ ସ୍ୱପ୍ନ ସୀମାରେ ସହିଦ ହେବା ପରେ ଏବେ ଭାଗ୍ୟକୁ ନେଇ ବଞ୍ଚୁଛନ୍ତି ମନୋଜଙ୍କ ମାଆବାପା । ଯେଉଁ ପୁଅ ଦେଶର ଟେକ ରଖିଲା ଆଜି ସେହି ପୁଅର ପରିବାର ଝାଡୁ, ପହଁରା, ତାଳପତ୍ରର ଟୋକେଇ ତିଆରି କରି ବଜାରରେ ବିକୁଛନ୍ତି । ତେବେ ସରକାରଙ୍କ ସବୁ ସୁବିଧା ମନୋଜଙ୍କ ପତ୍ନୀ ଇଲିଲତା ଭୁବନେଶ୍ୱରରେ ରହି ପାଉଥିବା ବେଳେ ସେମାନଙ୍କୁ କିଛି ମିଳୁ ନ ଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।

ସେପଟେ ପ୍ରତି ମୁହୂର୍ତ୍ତରେ ମନେପକାଇ ମନୋଜଙ୍କ ଝୁରୁଛନ୍ତି ତାଙ୍କ ସାଙ୍ଗ । ଆଉ ମନୋଜ ପଢିଥିବା ସ୍କୁଲରେ ବି ସେ ସମାନ ସ୍ଥିତି । କୁନି କୁନି ପିଲାମାନେ ବଡ ହୋଇ ମନୋଜଙ୍କ ପରି ହେବେ ବୋଲି ଶପଥ ନେଇଛନ୍ତି । ପୁଅ ଗାଁକୁ ଫେରିବନି କି ମାଆ କୋଳକୁ ଫେରିବନି । ଚିରନ୍ତନ ସତ୍ୟ ଆଉ ଜୀବନର ବାସ୍ତବତା ଜାଣି ବି ଶୁଖିଯାଇଥିବା ଘାଆ ତଳୁ ଦରଜକୁ ଭୁଲିପାରୁନି ମାଆ, ଭୁଲିପାରୁନି ଗାଁ…।

ସମ୍ବନ୍ଧିତ ଖବର