ରେଭେନ୍ସାରେ ଓଡ଼ିଶା ଗବେଷଣା ସମ୍ମିଳନୀ ଉଦ୍‌ଘାଟିତ

କଟକ : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ମିଳିତ ସହଭାଗିତାରେ ‘ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୨’ ଉଦ୍‌ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ସଂଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉତ୍ସବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମିର ବିରିଷ୍ଠ ବୈଜ୍ଞାନିକ ପ୍ରଫେସର ସ୍ବାମୀନାଥନ୍‌ ଶିବରାମ ସମ୍ମିଳନୀର ମୂଳ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଗବେଷଣା ସାରାଂଶ ଭିତ୍ତିକ ପୁସ୍ତକ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ୬ଟି ବିଶ୍ବବିଦ୍ୟାଳୟ ତଥା ଉତ୍କଳ, ବ୍ରହ୍ମପୁର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ଖଲ୍ଲିକୋଟ, ରମାଦେବୀ ଓ ରେଭେନ୍ସାର କୁଳପତିଙ୍କୁ ନେଇ ଏକ ଗୋଲ୍‌ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା।

ମଙ୍ଗଳବାର ଦିନ ରାଜ୍ୟର ଅନ୍ୟ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନେଇ ଦ୍ବିତୀୟ ଗୋଲ୍‌ ଟେବୁଲ ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଗବେଷକ ଓ ଗବେଷିକାଙ୍କ ଦ୍ବାରା ପ୍ରସ୍ତୁ୍ତ କରାଯାଇଥିବା ଗବେଷଣାର ସ‌ାରାଂଶ ଓ ୫୫୦ଟି ପୋଷ୍ଟର ସମ୍ବଳିତ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ରେଭେନ୍ସା ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଅସୀମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର