ଓଡ଼ିଶା ଗବେଷଣା ସମ୍ମେଳନ ଉଦ୍‌ଯାପିତ

କଟକ : ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୨ ଉଦ୍‌ଯାପିତ ହୋଇଛି। କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଶିକ୍ଷା ବିଭାଗ ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ ଯୋଗଦେଇ ଯୁବ ଗବେଷକ ମାନଙ୍କୁ ଉତ୍ସାହିତ କରିଥିଲେ। ‌େବୖଠକରେ ସମ୍ମାନିତ ଅତିଥି ଭାବରେ ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ, ରେଭେନ୍ସା ସ୍ନାତକୋତ୍ତର ଶିକ୍ଷକ ପରିଷଦର ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଅଧିବେଶନରେ ଅତିଥି ଭାବେ ମୁମ୍ବାଇ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ପୂର୍ବତନ କୁଳପତି ପ୍ରଫେସର ଜି.ଡି. ଯାଦବ, ମୁଖ୍ୟବକ୍ତା ଭାବେ ପ୍ରଶାସକ ବି. ପରମେଶ୍ୱରନ୍ ଯୋଗଦେଇ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାରେ ସିପେଟ ପକ୍ଷରୁ ସ୍ମିତା ମହାନ୍ତି ଓ ଡକ୍ଟର୍ ଅସୀମ ମିଶ୍ର ଉଦ୍ୟୋଗ ଆରମ୍ଭ ଓ ବିକାଶ ବିଷୟରେ ଆଲୋଚନା କରିଥିଲେ। ସମ୍ମିଳନୀରେ ପ୍ରତିଷ୍ଠିତ ଗବେଷକମାନଙ୍କ ଦ୍ବାରା ବିବିଧ ବିଷୟ ଭିତ୍ତିକ ଗବେଷଣାର ସାରସଂକ୍ଷେପ ଉପସ୍ଥାପନ ଏବଂ ପ୍ରାୟ ୫୫୦ଟି ପୋଷ୍ଟର ପ୍ରଦର୍ଶନୀ ଅନୁଷ୍ଠିତ ହେଇଥିଲା। ବିଭିନ୍ନ ବିଷୟ ବିଶେଷଜ୍ଞମାନଙ୍କ ମୂଲ୍ୟାୟନ ପରେ ଶ୍ରେଷ୍ଠ ବିବେଚିତ ଗବେଷକମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଶ୍ବବଦ୍ୟାଳୟର କୁଳପତିଙ୍କୁ ନେଇ ଏକାଧିକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଗବେଷକ, ଗବେଷିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ରେଭେନ୍ସା କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର