ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ବାର୍ଷିକ ସମ୍ମିଳନୀ : ‘ପ୍ରତାରଣା କରିଛନ୍ତି ସରକାର’

ଭୁବନେଶ୍ବର : ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ୧୪ତମ ବାର୍ଷିକ ଉତ୍ସବ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ୩ଟି ଦାବି ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତାରଣା କରିଥିବା ଦର୍ଶାଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ପୁଣି ଥରେ ଏ ନେଇ ସରକାରଙ୍କୁ ଅବଗତ କରାଯିବା ସହ ଦାବି ପୂରଣ ପାଇଁ ସଂଘ ଆପ୍ରାଣ ଉଦ୍ୟମ କରିବ ବୋଲି ସଭା ପରିଚାଳନା କରିବା ଅବସରରେ ସଂଘର ସଭାପତି ଶରତ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକମାନଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ତଥା ଚିକିତ୍ସା ପ୍ରଦାନ, ୨୦୧୬ ମସିହା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କର ଦରମାର ଅଧା ପେନସନ୍‌ ପାଇବା, କେନ୍ଦ୍ର ଅନୁରୂପ ୯ ହଜାର ଟଙ୍କା ସର୍ବନିମ୍ନ ପେନ୍‌ସନ୍‌ ହେବା ପ୍ରମୁଖ ରହିଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ମଞ୍ଚର ଦାବି ଯଥାର୍ଥ ବୋଲି ଦର୍ଶାଇଥିଲେ। ସଭାପତି ସଭା ପରିଚାଳନା କରିଥିବା ବେଳେ ସାଧା ରଣ ସମ୍ପାଦକ ଲୋକନାଥ ରଥ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସୂର୍ଯ୍ୟମଣି ତ୍ରିପାଠୀ, ମୁଖ୍ୟ ଉପଦେଷ୍ଟା ଦୁର୍ଗାଚରଣ ନାୟକ, ଉପସଭାପତି ନୃସିଂହ ଆଚାରୀ ଓ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଅବସରପ୍ରାପ୍ତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ସରକାରୀ କର୍ମଚାରୀଙ୍କର ଦରମା ବଢ଼ୁଥିବା ବେଳେ ଗତ ଜୁନ୍‌ ମାସରୁ ମିଳିବାକୁ ଥିବା ୫ ପ୍ରତିଶତ ମହଙ୍ଗା ଭତ୍ତା ମିଳିନଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ଛଡ଼ା ବରିଷ୍ଠ ନାଗରିକଙ୍କ ପାଇଁ ବସ୍‌ ଭଡ଼ାରେ ରିହାତି, କମ୍‌ ସୁଧରେ ଗୃହ ଋଣ, ବ୍ୟାଙ୍କ୍‌ ଓ ଡାକ୍ତରଖାନାରେ ସ୍ବତନ୍ତ୍ର ଧାଡ଼ି, ବିଶ୍ରାମ ସୁବିଧା ସହ ବିଭିନ୍ନ ସାମାଜିକ ସମସ୍ୟାମାନ ଉପସ୍ଥାପନ ହୋଇଥିଲା।

ସମ୍ବନ୍ଧିତ ଖବର