ଏପ୍ରିଲ ୩ୟ ସପ୍ତାହ ସ୍ଥିତିକୁ ଫେରୁଛି ଓଡ଼ିଶା

୩୪୨୭ ପଜିଟିଭ୍, ୪୨ମୃତ, ସଂକ୍ରମଣ ହାର ଏବେ ବି ୫% ଉପରେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଗତ ଏପ୍ରିଲ ମାସର ସ୍ଥିତିକୁ ଫେରୁଛି। ଏପ୍ରିଲ ମାସର ଦ୍ବିତୀୟ/ତୃତୀୟ ସପ୍ତାହରେ ଯେତେ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଥିଲେ, ରାଜ୍ୟ ଏବେ ସମାନ ସ୍ଥିତିରେ ପହଞ୍ଚିଛି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୫,୧୯୦କୁ ଖସି ଆସିଛି। ଦୈନିକ ସଂକ୍ରମଣ ମଧ୍ୟ ପ୍ରାୟତଃ ଏପ୍ରିଲ ମାସ ଭଳି ରହିଛି। ହେଲେ କିଛି ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାର ଓ ରାଜ୍ୟରେ ଦୈନିକ ସଂକ୍ରମଣ ୫ପ୍ରତିଶତ ଉପରେ ରହିବା ଯୋଗୁଁ ଏବେ ବି ବିପଦ ଟଳି ନଥିବା କୁହାଯାଉଛି। ରାଜ୍ୟ ସରକାର ଲକଡାଉନ୍‌ ଅବଧି ବଢ଼ାଇଥିଲେ ହେଁ କଟକଣା‌ରେ କିଛିଟା କୋହଳ କରିଛନ୍ତି। ଫଳରେ ରାସ୍ତାଘାଟରେ ଗହଳି ବଢ଼ିଛି। ତେଣୁ ପୁଣିଥରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ପୂରା ଏଡ଼ାଇ ଦେଇ ହେବନାହିଁ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୫.୩୫ ପ୍ରତିଶତ ରେକର୍ଡ କରାଯାଇଛି। ଯାଜପୁରରେ ୧୬, ପୁରୀ ୧୧.୩, ଖୋର୍ଧା ୧୦.୫, ନୟାଗଡ଼ ୮.୮, କଟକ ୮.୨ ଓ ବାଲେଶ୍ବରରେ ୮.୩ ପ୍ରତିଶତ ରହିଛି। ଏହି ସବୁ ଜିଲ୍ଲା ଭିତରୁ ବାଲେଶ୍ବର, ଯାଜପୁର, କଟକ ଓ ଖୋର୍ଧା ଏବେ ବି ରେଡ୍ ଜୋନ୍‌ରେ ରହିଛି। ଅଢ଼େଇ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ଥିବା ଜିଲ୍ଲାକୁ ରେଡ୍ ଜୋନ୍‌ରେ ସାମିଲ କରାଯାଇଛି। ନୂଆପଡ଼ାରେ ସବୁଠାରୁ କମ୍ ୧୪୨ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ‌ସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ସଂକ୍ରମଣ ଟିକେ ଉପର ତଳ ହୋଇପାରେ। କିନ୍ତୁ ଧୀରେ ଧୀରେ ଗୋଟିଏ ସ୍ଥିର ସ୍ଥିତି ଆଡ଼କୁ ରାଜ୍ୟ ମୁହାଁଇଛି। ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ମାତ୍ର ଏଥିପାଇଁ ଭୟଭୀତ ହେବାର ନାହିଁ। ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ଖୋର୍ଧାରେ ସର୍ବାଧିକ ୫୫୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକରେ ୩୯୬, ଯାଜପୁର ୨୮୫, ବାଲେଶ୍ବର ୨୬୧, ପୁରୀ ୨୧୭, ମୟୂରଭଞ୍ଜ ୧୬୨, ନୟାଗଡ଼୧୪୨, ଅନୁଗୁଳ ୧୩୮, ଭଦ୍ରକ ୧୩୯, କେନ୍ଦ୍ରାପଡ଼ା ୧୧୧, ଜଗତସିଂହପୁର ୧୦୮, ରାୟଗଡ଼ା ୯୪ ଓ ଷ୍ଟେଟ୍‌ ପୁଲରୁ ୮୨ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫କୁ ବୃଦ୍ଧି ପାଇଛି।

‌‌‌ସେହିପରି କରୋନାରେ ଆଉ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରେ ସର୍ବାଧିକ ୬, ସୁନ୍ଦରଗଡ଼, ପୁରୀ, ଝାରସୁଗୁଡ଼ା, କଟକରୁ ୪ ଲେଖାଏଁ, ବାଲେଶ୍ବର, କେନ୍ଦ୍ରାପଡ଼ା, କୋରାପୁଟରୁ ୩ ଲେଖାଏଁ, ନୂଆପଡ଼ା, ମାଲକାନଗିରି, ମୟୂରଭଞ୍ଜ, ଅନୁଗୁଳରେ ୨ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା, ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ୫୨୮୧ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୩୫ହଜାର ୧୩୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର