ନବରଙ୍ଗପୁର/ଚନ୍ଦାହାଣ୍ଡି : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଛତିଶଗଡ଼ରେ ଧରାପଡ଼ିଲା ଓଡ଼ିଶା ଧାନ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରୁ ଏହି ଧାନ ଛତିଶଗଡ଼ର ଦେଓଭୋଗ ଅଞ୍ଚଳକୁ ଯାଉଥିଲା ବୋଲି ଜଣାପଡ଼ିଛି। ପୁଲିସ ଟ୍ରାକ୍ଟର ସହ ଧାନ ଜବତ କରିବା ପରେ ସ୍ଥାନୀୟ ଏସ୍‌ଡିଏମ୍‌ଓଙ୍କ ନିକଟରେ ଦାଖଲ କରିଛି।

Advertisment

ଧାନ ମୂଲ୍ୟରେ ପ୍ରାୟ ୭ଶହ ଟଙ୍କାର ଫରକ ରହିଥିବାରୁ ଓଡ଼ିଶାରୁ ଧାନ ନେଇ ଛତିଶଗଡ଼ରେ ବିକ୍ରି କରିବାକୁ ବହୁ ବ୍ୟବସାୟୀ ଗତ କିଛି ଦିନ ହେଲା ସକ୍ରିୟ ଥିଲେ। ତେଣୁ ଓଡ଼ିଶା ସୀମାରେ ରହିଥିବା ୧୨ଟି ତନଖି ଫାଟକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ ଛତିଶଗଡ଼ ସରକାର। ଗତ ଗୁରୁବାର ଦିନ ଛତିଶଗଡ଼ର ଗୋରିଆବନ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଦେଓଭୋଗ ଆସି ଓଡ଼ିଶା ସୀମାରେ ଅନୁଧ୍ୟାନ କରିଥିଲେ। ଗୋଟିଏ ବି ବସ୍ତା ଧାନ ଓଡ଼ିଶାରୁ ଯେମିତି ଛତିଶଗଡ଼ରେ ପ୍ରବେଶ ନ କରିବ ସେଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ୧୨ଟି ପ୍ରବେଶ ପଥରେ ନାକା ଲଗାଇଥିଲା ପୁଲିସ। ଏପରିକି ଏହି ତନଖି ଫାଟକି ନିକଟରେ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ତେବେ ଆଜି ଛତିଶଗଡ଼ ସୀମାରେ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଧାନ ବୋଝେଇ ଟ୍ରାକ୍ଟର (ଓଡି ୨୪ଇ ୮୧୮୮)କୁ ଜବତ କରିଛି ଛତିଶଗଡ଼ ପୁଲିସ। ଧାନ ଟ୍ରାକ୍ଟରକୁ ଜବତ କରିବା ପରେ ଦେଓଭୋଗ ଏସ୍‌ଡିଏମ୍‌ଙ୍କ ନିକଟରେ ଦାଖଲ କରିଛି। ଉକ୍ତ ଟ୍ରାକ୍ଟର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୋଇଲିମୁଣ୍ଡା ପଞ୍ଚାୟତର ମାଲପଡା ଅଞ୍ଚଳରୁ ୨୫ବସ୍ତା ଧାନ ନେଇ ଯାଉଥିବା ଜଣାପଡ଼ିଛି। ଆଜି ଭୋର ସମୟରେ ସୀମାନ୍ତ ଆମିଲିପଦର ନିକଟରେ ଛତିଶଗଡ଼ ପୁଲିସ ଏହି ଟ୍ରାକ୍ଟରକୁ ଜବତ କରିଥିବା ପ୍ରକାଶ କରିଛି। ଧାନ ନେଉଥିବା ବ୍ୟକ୍ତି ଜଣକ ଓଡ଼ିଶାରେ ଚାଷ କରୁଥିବା ଏବଂ ଅମଳ ପରେ ନିଜ ଗାଁକୁ ନେଉଥିବା କହିଥିଲେ ମଧ୍ୟ ପୁଲିସ ଛାଡ଼ି ନଥିଲା।

ସୂଚନାଯୋଗ୍ୟ, ଛତିଶଗଡ଼ରେ କ୍ବିଣ୍ଟାଲ ପିଛା ଧାନ ଦର ୨୫ଶହ ଟଙ୍କା ରହିଥିବା ବେଳେ ଓଡ଼ିଶାରେ ୧୮୬୮ଟଙ୍କା ରହିଛି। ଦରରେ ବଡ଼ ତାରତମ୍ୟ ରହିଥିବାରୁ ଛତିଶଗଡ଼ର ବେପାରୀ ଏହାର ଲାଭ ଉଠାଇବା ପାଇଁ ସୁଯୋଗ ସନ୍ଧାନରେ ରହିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାର ପଡ଼ୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାରେ ପ୍ରବେଶ ନକରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ସ୍କ୍ବାଡ୍ ଗଠନ ହୋଇଛି। ଦୁଇ ରାଜ୍ୟ ଏବେ ପରସ୍ପରର ଧାନକୁ ଅଟକାଇବା ପାଇଁ ତତ୍ପରତା ପ୍ରକାଶ କରିଥିବା ବେଳେ ବେପାରୀ କିନ୍ତୁ ଗଳା ବାଟରେ ଧାନ ପାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ପଞ୍ଜୀକରଣ କରିନଥିବା ଚାଷୀଙ୍କ ଠାରୁ ଧାନ ନେବାକୁ ଛତିଶଗଡ଼ ବେପାରୀ ଅଧିକ ଗ୍ରହଣ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ପ୍ର‌ାୟତଃ ପ୍ରତିବର୍ଷ ବ୍ୟବସାୟୀ କମ ଦରରେ ଏଠାରୁ ଧାନ କିଣି ବାହାର ରାଜ୍ୟକୁ ଚାଲାଣ କରୁଥିବା ନଜିର ରହିଛି। ଗତବର୍ଷ ବି ନବରଙ୍ଗପୁର ଜିଲ୍ଲାରୁ ଆନ୍ଧ୍ର ଓ ଛତିଶଗଡ଼କୁ ଧାନ ଚାଲାଣ ବେଳେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା‌।