ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆପେଣ୍ଠ ପଞ୍ଚାୟତର ପରଡିଗୁଡ଼ା ଗାଁରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ବୁଦ୍ରି ମାଣ୍ଡିଙ୍ଗା (୬୦), କସା ମାଣ୍ଡିଙ୍ଗା (୧୬) ଓ ଅମ୍ବିକା କାଶୀ (୩୫)। ବଜ୍ରପାତରେ ମୃତ ବୁଦ୍ରିଙ୍କ ସ୍ବାମୀ ହିଙ୍ଗୁ ମାଣ୍ଡିଙ୍ଗାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ମଧ୍ୟାହ୍ନରେ ହିଙ୍ଗୁ ମାଣ୍ଡିଙ୍ଗାଙ୍କ ପରିବାର ସମେତ ଗାଁର ଅନ୍ୟ ୪ ଜଣ ଧାନବିଲରେ କାମ କରିବାକୁ ଯାଇଥିଲେ। ଅପରାହ୍ଣରେ ପ୍ରବଳ ବର୍ଷା, ପବନ ସହ ଘଡଘଡ଼ି ମାରିଥିଲା। ସମସ୍ତେ ବିଲ ନିକଟରେ ଥିବା କୁଡ଼ିଆରେ ଆଶ୍ରୟ ନେବାକୁ ଦୌଡ଼ିଥିଲେ। କୁଡ଼ିଆକୁ ଯିବା ସମୟରେ ବଜ୍ରପାତ ହେବାରୁ ହିଙ୍ଗୁଙ୍କ ପତ୍ନୀ ବୁଦ୍ରି, ନାତୁଣୀ କସା ଓ ଅମ୍ବିକାଙ୍କ ମୃତ୍ୟୁ ହୋଇଥିଲା। ଖବର ପ୍ରଚାରିତ ହେବା ପରେ ପରଡିଗୁଡ଼ା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ସେହିପରି ସେମିଳିଗୁଡ଼ା ବ୍ଲକ୍ ଚାରାଙ୍ଗୁଲ ପଞ୍ଚାୟତ ଅନ୍ତର୍ଗତ ଖାଲପାଡ଼ି ଗ୍ରାମର କୁମ ଜାନୀଙ୍କ ପୁଅ ଦାଶ ଜାନୀ (୩୨)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଲେଞ୍ଜିଗୁଡ଼ା ପାଖ ନଦୀରୁ ମାଛ ଧରି ଫେରୁଥିବା ବେଳେ ଦିନ ପ୍ରାୟ ୨ଟା ବେଳେ ଘଡ଼ଘଡ଼ି ମାରିବାରୁ ଦାଶ ଜାନୀଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକଙ୍କଠାରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବେନୋରା ଗ୍ରାମରେ ବଜ୍ରାଘାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଦାଦା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ବେନୋରା ପଞ୍ଚାୟତ ଅଧୀନ ଶଙ୍କରଡ଼ା ଗ୍ରାମର ଚୈତରାମ ମାଝୀ (୩୫) ଓ ତାଙ୍କ ପୁତୁରା ଲଳିତ ମାଝୀ (୧୫) ବେନରା ଗାଁକୁ ମକା ଶୁଖାଇବା ପାଇଁ ଯାଇଥିଲେ। ଏକ ପଥର ଚଟାଣରେ ମକା ଶୁଖାଉଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପ୍ରବଳ ବେଗରେ ପବନ ହୋଇଥିଲା। ବର୍ଷା ହେବାରୁ ଚୈତରାମ ଓ ଲଳିତଙ୍କ ସହିତ ଅନ୍ୟ ୧୦ ଜଣ ଶ୍ରମିକ ଶୁଖାଯାଇଥିବା ମକା ଉପରେ ପଲିଥିନ୍ ଘଡ଼ାଉଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ଚୈତରାମ ଓ ଲଳିତଙ୍କ ମୃତ୍ୟୁ ହୋଇ ଯାଇଥିଲା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁର ସୁରୁଷି ବିଶ୍ୱାଳ (୪୦)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଆଜି ଅପରାହ୍ଣରେ ସୁରୁଷି ଘର ସାମନାରେ ଥିବାବେଳେ ଅଚାନକ ବଜ୍ରପାତ ହୋଇଥିଲା। ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଈ, ନାତୁଣୀଙ୍କ ମୃତ୍ୟୁ, ବର୍ତ୍ତିଲେ ଅଜା
କ୍ରିକେଟ୍ ପଡ଼ିଆରେ ଟଳିପଡ଼ିଲେ ବାଳକ
ଘର ପିଣ୍ଡାରେ ୨ ବାଳକ, ରାସ୍ତାରେ ଶ୍ରମିକଙ୍କ ମୃତ୍ୟୁ
ଗଞ୍ଜାମ ବେଲଗୁଣ୍ଠା ଥାନା ଅଧୀନ କେବିରୀ ବ୍ରହ୍ମପୁରଠାରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତନରଡ଼ା ଗାଁରେ ଜଣେ ମହିଳା ଆହତ ହୋଇଛନ୍ତି। ଅପରାହ୍ଣରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ସମୟରେ କେବିରୀ ବ୍ରହ୍ମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ଝିଅ ରୀତା ଗୌଡ଼ (୩୦) ନିକଟସ୍ଥ ଆମ୍ବତୋଟାକୁ ଯାଇଥିବାବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ଆଣିଥିବାବେଳେ ସେଠାରେ ଡାକ୍ତର ରୀତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ତନରଡ଼ା ଗ୍ରାମର ନର୍ମଦା ପୋଲାଇ (୩୮) ଘର ସମ୍ମୁଖରେ ବସିଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡ଼ା ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ୧୩ ବର୍ଷର ପୁଅ ଓମ୍ପ୍ରକାଶ ପ୍ରଧାନଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ଗାଁ ଖେଳ ପଡ଼ିଆରେ କ୍ରିକେଟ୍ ଖେଳୁଥିବାବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ରା.ଉଦୟଗିରି ବ୍ଲକ୍ ସିଆଲିଲଟି ପଞ୍ଚାୟତ କାନକଟା ଗ୍ରାମର ଦମୟନ୍ତୀ ମଣ୍ଡଳ (୩୫) ରାସ୍ତା କଡ଼ରେ ବସି ପରିବା ବିକ୍ରି କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଏଥିରେ ଗ୍ରାମର ଗୋଟିଏ ପରିବାରର ଦାଉଦ ମଣ୍ଡଳ, ଲଙ୍କେଇ ଭୂୟାଁ, ପଣ୍ଡିତ ଭୂୟାଁ, ମେଙ୍ଗୀ ଭୂୟାଁ ଓ ସୁନିଳା ରଇତ ଆହତ ହୋଇଛନ୍ତି।
କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ସିଆରିଆ ବିଶ୍ୱନାଥପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କ ପୁଅ ଆଦିତ୍ୟ କୁମାର ସାହୁ (୨୪) ଘର ନିକଟରେ ଠିଆ ହୋଇଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ କାନପୁର ମେଡିକାଲ ଓ ସେଠାରୁ କଟକ ବଡ଼ଡାକ୍ତରଖାନା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାବରା ଗାଁର ସନାତନ ଦିଆଣି (୪୫)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଆଜି ଅପରାହ୍ଣରେ ସନାତନ ବିଲକାମ ସାରି ଘରକୁ ଫେରିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କବାଟବନ୍ଧ ଅଞ୍ଚଳରେ ଆଜି ଅପରାହ୍ଣରେ ବଜ୍ରାଘାତରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ବୁରୁସାହିର ମଣି ହେମ୍ବ୍ରମ୍ଙ୍କ ପୁଅ ତାରା ହେମ୍ବ୍ରମ (୯) ଓ ପାଣ୍ଡେ ଚାତାରଙ୍କ ପୁଅ ଜାଖୁମ ଚାତାର (୧୨)। ଅପରାହ୍ଣ ୫ଟା ବେଳେ ଉଭୟ ଘର ପିଣ୍ତାରେ ଖେଳୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଥିଲେ। ସେହିପରି ବାଲେଶ୍ବର ଔପଦା ବ୍ଲକ୍ରେ ବଜ୍ରାଘାତ ଯୋଗୁ ଜଣେ ଶ୍ରମିକ ଚୁନାରାମ କିସ୍କୁ (୩୧)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟିଂ ଗ୍ରାମରେ ବୋଲି ଜଣାପଡ଼ିଛି।